ଆଜି କୃମିନାଶକ ଔଷଧ ବଣ୍ଟନ

ଭୁବନେଶ୍ବର: ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ। ୧ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ଏହି ଔଷଧ ବଣ୍ଟାଯିବ। ୧୨ରେ କୌଣସି କାରଣବଶତଃ ଏହି ଔଷଧ ଖାଇ ପାରୁ ନ ଥିବା ପିଲାଙ୍କୁ ୧୯ ତାରିଖରେ ଆଉଥରେ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଅଗଷ୍ଟ ମାସର ପ୍ରତି ବୁଧବାର ଟିକାକରଣ ଦିବସରେ ୯ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଭିଟାମିନ ‘କ’ ଦ୍ରବଣ ଖାଇବାକୁ ମାଗଣା‌େ‌ର ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନିର୍ଦେଶକ ଡା. ଶ୍ରୀ ପାଣିଗ୍ରାହୀ କହିଥିଲେ, ରାଜ୍ୟର ୧,୬୮,୩୧,୬୭୯ ହିତାଧିକାରୀଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ସରକାରୀ ଓ ବେସରକାରୀ ୫୫,୫୦୯ ବିଦ୍ୟାଳୟ ଓ ୭୪,୧୪୬ ଅଙ୍ଗନବାଡିରେ ପଢୁଥିବା ସମସ୍ତ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ। ଏହି ବୟସ ମଧ୍ୟରେ ବିଦ୍ୟାଳୟକୁ ଯାଉ ନ ଥିବା ପିଲାଙ୍କୁ ସେମାନଙ୍କ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି ଓ ଆଶାକର୍ମୀ ଔଷଧ ଦେବେ। ୩୫,୧୯,୫୫୪ ହିତାଧିକାରୀଙ୍କୁ ଭିଟାମିନ ‘କ’ ଦ୍ରବଣ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଔଷଧ ଖାଇବାକୁ ଦିଆଯିବାକୁ ଥିବାବେଳେ ଶିକ୍ଷକ ୬୯,୨୮୭, ଏଏନଏମ ୭୮୭୯, ଅଙ୍ଗନବାଡି କର୍ମୀ ୭୨,୮୯୩ ଏବଂ ୪୮ ହଜାର ଆଶାକର୍ମୀ ଔଷଧ ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ସମ୍ମିଳନୀରେ ପୁଷ୍ଟିହୀନତା ଯୁଗ୍ମ ନିର୍ଦେଶକ ସ୍ମୃତିଜିତ୍‌ ପଟ୍ଟନାୟକ, ପୁଷ୍ଟିହୀନତା ବୈଜ୍ଞାନିକ ୟୁନିସେଫ ସୌରଭ ଭଟ୍ଟାଚାର୍ଯ୍ୟ, ୟୁନିସେଫ ପୁଷ୍ଟିହୀନତା ଅଧିକାରୀ ସଞ୍ଜୟ ସାହୁ ଏବଂ ପୁଷ୍ଟିହୀନତା ପରାମର୍ଶଦାତା ସନ୍ଧ୍ୟାରାଣୀ ରାଉତ ଉପସ୍ଥିତ ଥିଲେ।

Comments are closed.