ବାହାଘର ୨୨ ବର୍ଷ ପରେ ଛାଡ଼ପତ୍ର: ଓକିଲଙ୍କୁ ୬ କୋଟି ଟଙ୍କା ଫିସ ଦେବା ଲାଗି ବିକିବାକୁ ପଡ଼ିଲା ଘର; ଶେଷରେ ମିଳିଲା ମାତ୍ର ୫ ଲକ୍ଷ ଟଙ୍କା

ଲଣ୍ଡନ: ସେମାନଙ୍କର ଥିଲା ଏକ ହସଖୁସି ପରିବାର । ୩ ପିଲା ଥିଲେ, ସବୁକିଛି ଠିକଠାକ୍ ଚାଲିଥିଲା । ମାତ୍ର ୨୨ ବର୍ଷ ପରେ ଅକସ୍ମାତ ପତି-ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ । ସ୍ଥିତି ଏମିତି ହେଲା ଯେ କଥା ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଗଲା । ଉଭୟ ପତି-ପତ୍ନୀ ଅଦାଲତରେ ପହଞ୍ଚିଲେ । ସମ୍ପତ୍ତିର ଅଧିକ ଭାଗ ନିମନ୍ତେ ମାମଲା ରୁଜୁ ହେଲା । ୨ ବର୍ଷପର୍ଯ୍ୟନ୍ତ ଉଭୟ ଅଦାଲତରେ ଚକ୍କର କାଟିଲେ । ଶେଷରେ ୨ ବର୍ଷ ପରେ ମାମଲା ଶେଷ ହେବା ବେଳକୁ ସ୍ବାମୀଙ୍କୁ ଘର ବିକ୍ରି କରିବାକୁ ପଡ଼ିଲା । ଓକିଲଙ୍କୁ ୬ କୋଟି ଟଙ୍କା ଫି ଦେବା ନିମନ୍ତେ ସମସ୍ତ ସଞ୍ଚୟ ଶେଷ ହୋଇଗଲା ଓ ଶେଷକୁ କରଜ କରିବାକୁ ପଡ଼ିଲା । ମାତ୍ର ଶେଷରେ ଯେତେବେଳେ ମାମଲା ଶେଷ ହେଲା ସେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ପାଖରେ ରହିଗଲା ମାତ୍ର ୫ ଲକ୍ଷ ଟଙ୍କା ନଗର ରାଶି । ମାମଲାର ରାୟ ଶେଷରେ ବିଚାରପତି କହିଲେ ଏହା ସମସ୍ତ ଦମ୍ପତ୍ତିଙ୍କ ପାଇଁ ଉଦାହରଣ । ନିଜ ଲୋକଙ୍କୁ ନିଶ୍ବ କରି ଓକିଲକୁ ପୋଷିବା କେବେ ହେଲେ ବୁଦ୍ଧିମାନ କାର୍ଯ୍ୟ ନୁହେଁ ବୋଲି ବିଚାରପତି କହିଛନ୍ତି ।

ଏହି ଘଟଣା ଲଣ୍ଡନର ଓ ଦମ୍ପତିଙ୍କ ପରିଚୟକୁ ଅଦାଲତ ଗୋପନ ରଖିଛନ୍ତି । ପତିଙ୍କ ବୟସ ୫୩ ଓ ପତ୍ନୀଙ୍କର ବୟସ ୫୦ । ଉଭୟ ଏକ କେୟାର ହୋମ ଚଳାଉଥିଲେ । ସେମାନଙ୍କର ୫ ବେଡ଼ରୁମ ଥିବା ଘର ଥିଲା । ପିଲାମାନଙ୍କ ସହ ଛୁଟି କଟାଇବାକୁ ପ୍ରତିବର୍ଷ ବାହାରକୁ ଯାଉଥିଲେ । ସେମାନଙ୍କୁ ଭଲ ସ୍କୁଲରେ ନାମ ଲେଖାଇଥିଲେ । ଦୁହିଁଙ୍କ ପାଖରେ ବ୍ୟକ୍ତିଗତ ନମ୍ବରପ୍ଲେଟ ବାଲା ମର୍ସିଡ଼ିଜ୍ କାର୍ ଥିଲା । ମାତ୍ର ଉଭୟ ଯେତେବେଳେ ଅଲଗା ହୋଇଗଲେ ସେତେବେଳେ କେୟାର ହୋମ ବନ୍ଦ ହୋଇଗଲା । ସ୍ବାମୀ ବେକାର ହୋଇଗଲେ, ଏକ ପାଇପ କମ୍ପାନୀରେ କାମ କଲେ । ତାଙ୍କ ଉପରେ ଡ଼େବିଟ୍ କାର୍ଡ଼ରେ କରଜ ୧.୧୭ କୋଟି ଟଙ୍କା ହୋଇଗଲା । ଓକିଲଙ୍କୁ ପ୍ରାୟ ୬ କୋଟି ଟଙ୍କା ଦେବାକୁ ପଡ଼ିଲା ଛାଡ଼ପତ୍ର ମାମଲା ପରିଚାଳନା ନିମନ୍ତେ ।

ଅଦାଲରେ ଏହି ମାମଲାର ୧୩ଥର ଶୁଣାଣି ହୋଇଥିଲା, ୫ ଦିନ ଟ୍ରାଏଲ ଚାଲିଲା । ସ୍ବାମୀ ଅଦାଲତରେ ମାମଲା ସଂକ୍ରାନ୍ତରେ ୪ଥର ଆବେଦନ କରିଥିଲେ । ମାତ୍ର ତାହା ଖାରଜ ହୋଇ ଯାଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ ରବର୍ଟ ପିଲ୍ କହିଛନ୍ତି ଯେ ଘର ବିକ୍ରିରୁ ୬.୦୪ କୋଟି ଟଙ୍କା ମିଳିଲା । ମାତ୍ର ତାହା ଓକିଲ ଫି ବାବଦରେ ଖର୍ଚ ହୋଇଗଲା । ଏହାପରେ ସ୍ବାମୀଙ୍କୁ ଭଡ଼ା ଗରେ ରହିବାକୁ ପଡ଼ୁଛି ଆଉ କରଜ ବି ଶୁଝିବାକୁ ପଡ଼ିବ । ଜଜ୍ ଏକଥା ମଧ୍ୟ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା। କେବଳ ସେତିକି ନୁହେଁ ବିଚାରପତି ନ୍ୟାୟିକ ମାମଲାର ପରିଚାଳନା ନିମନ୍ତେ ବିପୁଳ ଖର୍ଚକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ବିଚାରପତି ଜଷ୍ଟିସ ପିଲ୍ କହିଛନ୍ତି ଯେ ମାମଲାର ବିଚାର ନିମନ୍ତେ ଏତେ ଟଙ୍କା ଖର୍ଚ ହୋଇଛି ବୋଲି ବିଶ୍ବାସ କରିବା କଷ୍ଟ । ମାତ୍ର ଏହା ହେଉଛି ବାସ୍ତବିକତା । ଏହି ମାମଲା ସେହି ଦମ୍ପତିମାନଙ୍କ ନିମନ୍ତେ ଚେତାବନୀ ସଦୃଶ, ଯେଉଁମାନେ ମାମଲା ଦାଓପେଞ୍ଚ ନିମନ୍ତେ ସମ୍ପତ୍ତି ଖର୍ଚ କରୁଛନ୍ତି ଓ ଶେଷକୁ ସେମାନଙ୍କ ପାଖରେ କିଛି ଅର୍ଥ ନ ବଳୁଛି । ଏହା ଏକ ଆତ୍ମଘାତୀ ମକଦ୍ଦମା । ଯେଉଁଥିରେ ସେମାନେ ନିଜ ଉପାର୍ଜନଠାରୁ ଅଧିକ ଖର୍ଚ କରିଛନ୍ତି ଓ ଋଣଗ୍ରସ୍ତ ହୋଇଯାଇଛନ୍ତି ।

Comments are closed.