ଅକ୍ଟୋବର ୯ ତାରିଖ ସୁଦ୍ଧା ସରିବନି ସୁଆଣ୍ଡୋର ବିକାଶ ଓ ଉନ୍ନୟନ କାର୍ଯ୍ୟ !

ସାକ୍ଷୀଗୋପାଳ : ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ, ଷଠୀଘର, ସୁଆଣ୍ଡୋ ଗ୍ରାମ ଓ ସୁଆଣ୍ଡୋ ଗ୍ରାମକୁ ଯିବାଆସିବା ନିମନ୍ତେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅନୁରୋଧ ଅନୁଯାଇ୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ସେତୁ ନିର୍ମାଣ ନିଗମ ଦ୍ୱାରା ସମସ୍ତ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ନୂତନ ମନ୍ଦିର ଖଣ୍ଡେଲାଇଟ ପଥରରେ ନିର୍ମାଣ ଚାଲିଛି । ୩୦ ଫୁଟ ଲମ୍ବ ଓ  ୩୦ ଫୁଟ ଓସାରରେ ବର୍ଗାକାରରେ ଏହି ମନ୍ଦିର ଭିତ୍ତିଭୂମି ରହିଛି। ମନ୍ଦିରର ଉଚ୍ଚତା  ୩୭ ଫୁଟ ହେବ। ଗ୍ରାମର ଶେଷରେ ଏକ ପୁଷ୍କରିଣୀ ଓ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ଉତ୍କଳମଣିଙ୍କ କୂଳ ଦେବତା ରାଧା ବିନୋଦ ବିହାରୀ ଦେବଙ୍କ ମନ୍ଦିର ନିର୍ମାଣ ଶେଷ ହୋଇଛି। ସୁଆଣ୍ଡୋ ଗ୍ରାମକୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାଇକିଆ ଛକ ଠାରୁ ସୁଆଣ୍ଡୋ ବ୍ରିଜ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶାସ୍ତିକରଣ କାର୍ଯ୍ୟ ଶେଷ ହୋଇଛି। ଭାର୍ଗବୀ ନଦୀର ସୁଆଣ୍ଡୋ ବ୍ରିଜ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ଚନ୍ଦନ ପୁର ବ୍ରାଞ୍ଚ କେନାଲ ବନ୍ଧ ଉପରେ ନିର୍ମାଣ ହେବାକୁ ଥିବା ନୂତନ ପ୍ରଶସ୍ତ ରାସ୍ତାରେ କେବଳ ମାଟି ପଡିଛି। ଆଉ କିଛି ସ୍ଥାନ ମାଟି ପଡି ପାରି ନାହିଁ।

ପଟ୍ଟନାଇକିଆ ଛକରେ ସୂଚନା କେନ୍ଦ୍ର ନିର୍ମାଣ, ସୁଆଣ୍ଡୋ ଠାରେ ଶିଶୁ ପ୍ରମୋଦ ଉଦ୍ୟାନ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ପ୍ଲେସ ଓ ୧୮ ଫୁଟ ଓସାର ବିଶିଷ୍ଟ ସୁଆଣ୍ଡୋ ଗ୍ରାମ ରାସ୍ତା ନିର୍ମାଣ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ସେହିପରି ସୁଆଣ୍ଡୋ ଗ୍ରାମରେ ଉତ୍କଳମଣିଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ଏହା ରାଜ୍ୟର ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେବ। ଏହି ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ।
ପ୍ରସ୍ତାବିତ ପାର୍କିଂ ପ୍ଲେସର ସ୍ଥାନ ପରିବର୍ତ୍ତନ ନିମନ୍ତେ ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି। ସୁଆଣ୍ଡୋ ବ୍ରିଜ ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ଚନ୍ଦନ ପୁର ବ୍ରାଞ୍ଚ କେନାଲ ଓ ଭାର୍ଗବୀ ନଦୀ ବନ୍ଧ ମଧ୍ୟବର୍ତ୍ତୀ ଅଞ୍ଚଳକୁ ସମତୁଲ କରି ପାର୍କିଂ ପ୍ଲେସ କରାଗଲେ ବହୁତ ସୁବିଧା ହେବ ବୋଲି ନିରଞ୍ଜନ ମହାପାତ୍ର ଓ ରତିକାନ୍ତ ମିଶ୍ରଙ୍କ ସମେତ ଅନ୍ୟମାନେ ମତ ପ୍ରକାଶ କରିଛନ୍ତି।
ସେହିପରି ସୁଆଣ୍ଡୋ ବ୍ରିଜ଼ ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ଭାର୍ଗବୀ ନଦୀବନ୍ଧ ରାସ୍ତାକୁ ପିଚୁ କିମ୍ବା କଂକ୍ରିଟ କରିବା  ନିମନ୍ତେ ସାଧାରଣରେ ମତ ପ୍ରକାଶ ପାଇଅଛି। ଏହି  ନଦୀବନ୍ଧ ରାସ୍ତା ନିର୍ମାଣ ହେଲେ ସୁଆଣ୍ଡୋ ଗ୍ରାମକୁ ଯିବାଆସିବା ନିମନ୍ତେ ୨ ଗୋଟି ରାସ୍ତା ହୋଇ ପାରିବ।
ଅଧପନ୍ତରିଆ ପୁଷ୍କରିଣୀ ନିର୍ମାଣ କାର୍ଯ୍ୟ
ନିର୍ଦ୍ଧାରୀତ ଅବଧି ମଧ୍ୟରେ କାର୍ଯ୍ୟ ଶେଷ ହେବା ସମ୍ପର୍କରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଯନ୍ତ୍ରୀ ଶୁଭମ ପାତ୍ରଙ୍କ ସହିତ ଯୋଗାଯୋଗ କରା ଯାଇଥିଲା। କରୋନା କଟକଣା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ନିର୍ଦ୍ଧାରୀତ ଅବଧି ମଧ୍ୟରେ ନିର୍ଦ୍ଧାରୀତ କାର୍ଯ୍ୟ ଶେଷ ହୋଇ ପାରିନାହିଁ। ବିଭାଗ ଓ ବିଭାଗୀୟ ଅଧିକାରୀମାନେ ନିର୍ଦ୍ଧାରୀତ ଅବଧି ମଧ୍ୟରେ କାର୍ଯ୍ୟ ଶେଷ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି ବୋଲି ଯନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ଆସନ୍ତା ଅକ୍ଟୋବର ୯ ତାରିଖ ଉତ୍କଳମଣିଙ୍କ ଜୟନ୍ତୀ ଉତ୍ସବ ପୂର୍ବରୁ  ଉତ୍କଳମଣିଙ୍କ ଜନ୍ମପୀଠର ସମସ୍ତ ପ୍ରକାର ବିକାଶ, ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟମ ଚାଲିଅଛି ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରକାଶ କରିଛନ୍ତି।

Comments are closed.