ଜବରଦଖଲକାରୀଙ୍କ ଉପରେ ରାଜସ୍ୱ ବିଭାଗର କଡ଼ା ପଦକ୍ଷେପ ; ୧୪୪ ଧାରା ଜାରି

ଲାଞ୍ଜିଗଡ : ମୂଲ୍ୟବାନ ଜମିଗୁଡିକୁ ଜବରଦଖଲ କରି ନିର୍ମାଣ କାର୍ଯ୍ୟ ସବୁ ଚାଲୁଥିବାବେଳେ ଜବରଦଖଲକାରୀମାନଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ଲାଞ୍ଜିଗଡ଼ ରାଜସ୍ୱ ବିଭାଗ। ଲାଞ୍ଜିଗଡ଼ ତହସିଲ ଅଞ୍ଚଳରେ ସରକାରୀ ଜମି ଜବରଦଖଲ ଓ ଜମି ବିବାଦ ବଢି ଚାଲିଥିବାବେଳେ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା। ଆଜି ଶ୍ରୀ ହୋନ୍ନାଗାଙ୍କ ନେତୃତ୍ୱରେ ବିଶ୍ୱନାଥପୁର-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା କଡ଼କୁ ଲାଗି ଯୋଡାବନ୍ଧ ଗାଁ ପ୍ରତାପପୁର ଛକ ନିକଟରେ ସରକାରୀ ଜମି ଜବରଦଖଲ କରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବା ସହ ଏହି ଜମିରେ ୧୪୪ ଧାରା ଜାରି କରାଯାଇଛି। ସରକାରୀ ଜମି ଜବରଦଖଲ ହୋଇଥିବା ସଂପର୍କରେ ଅଭିଯୋଗ ହେବାପରେ ତହସିଲଦାର ଶ୍ରୀ ହୋନ୍ନାଗା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହାସହିତ ଏହି ଜମିରେ ଆଜି ୧୪୪ ଧାରା ଜାରି ନାଲିପତାକା ଲଗାଯାଇଛି। ଆଜିର ଏହି ଜବରଦଖଲ ଉଚ୍ଛେଦ ସମୟରେ ରାଜସ୍ୱ ପରିଦର୍ଶକ ଅରୁଣ କୁମାର ମାଝୀ, ରାଜସ୍ୱ ନୀରିକ୍ଷକ ରସିକ ଶବର ପ୍ରମୁଖ ସାମିଲ ହୋଇଥିବାବେଳେ ପ୍ରତାପପୁର ଛକ ନିକଟରେ ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଛନକା ପଶିଛି। ତେବେ ତହସିଦାର ଶ୍ରୀ ହୋନ୍ନାଗାଙ୍କ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଥିବାବେଳେ ତହସିଲ ଅଞ୍ଚଳରେ ଅନେକ ସ୍ଥାନରେ ବେଆଇନ୍ ଜବରଦଖଲ ଚାଲିଥିବା ଓ ଅଞ୍ଚଳର ବାହାର ଲୋକେ ଏପରିକି ରାଜ୍ୟ ବାହାର ଲୋକେ ବି କୌଶଳ କରି ସରକାରୀ ଜମି ଜବରଦଖଲ କରୁଥିବା ଅଭିଯୋଗ ହେଉଥିବାରୁ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Comments are closed.