ଦେବଗଡରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡରେ ଏକ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର

ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ପାଇବେ ସ୍ମାର୍ଟ କାର୍ଡ
ଏପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି
ଜିଲ୍ଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ରୂପାନ୍ତର କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦେବଗଡ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟର ୫ଟି ଜିଲ୍ଲା  ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ଏବଂ ପୁରୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପାଇଥିବା ବେଳେ, ୧୦,୬୫୭ ଜଣ ହିତାଧିକାରୀ ବିଭିନ୍ନ ଘରୋଇ ଡାକ୍ତରଖାନାରେ କୋଡ଼ିଏ କୋଟି ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ପାଇଲେଣି ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଉଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାରେ ଆଜି ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିସହ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରାଯାଇଛି।
ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେବଗଡ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ଏବଂ ଏହା ଓଡିଶା ପାଇଁ ପ୍ରକୃତିର ଏକ ବରଦାନ। ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ବିଜୁ ବାବୁ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁବାବୁଙ୍କ ମହାନ ଉଦ୍ଦେଶ୍ୟକୁ ଆଖିରେ ରଖି ରାଜ୍ୟ ସରକାର ଦେବଗଡରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲର ରୂପାନ୍ତର କରାଯିବ।  ତିନୋଟି ମେଗା ପାଇପ୍ ଜଳ ଯୋଜନା କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ସମସ୍ତ ତିନୋଟି ବ୍ଲକକୁ ପାଇପ୍ ପାଣିର ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଦେବଗଡ ପୌରାଂଚଳ ପାଇଁ ମଧ୍ୟ ଏକ ପାନୀୟ ଜଳ ପ୍ରକଳ୍ପର ଭିତି ପ୍ରସ୍ତର ରଖିଥିଲେ । ଏହା ସହିତ ଦେବଗଡରେ ଏକ ତିନିଶହ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ରଖିଥିଲେ। ଏଥିପାଇଁ ୧୧୫ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ୱାରା ଦେବଗଡବାସୀ ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ , ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସେମାନଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ବିଶେଷ କରି ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଦେଶରେ ଓଡ଼ିଶାର ସମ୍ମାନ ବଢାଇଛି ବୋଲି ମତ ଦେଇଥିଲେ । ବିଧାୟକ ସୁବାସ ପାଣିଗ୍ରାହୀ ଏହି ସ୍ମାର୍ଟ ହେଲଥ୍ କାର୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ସୁଶାନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.