ତ୍ରିକୋଣୀୟ ପ୍ରେମରୁ ହତ୍ୟା, ନାବାଳକ ସହ ୪ଜଣଙ୍କୁ କୋର୍ଟ ଚାଲାଣ କଲା ଜୟପାଟଣା ଥାନା ପୁଲିସ

କଲମପୁର/ ମୁଖିଗୁଡା: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି। ଜଣେ ଯୁବତୀ ପାଇଁ ଦୁଇଜଣ ଯୁବକ ଝଗଡ଼ା ଲାଗିଥିଲେ। ଜଣେ ଯୁବକକୁ ଅନ୍ୟ ଜଣେ ଯୁବକ ତାର ସହଯୋଗୀ ସହିତ ହତ୍ୟା କରିଥିଲା। ଏହି ମାମଲାରେ ପୁଲିସ ଜଣେ ନାବାଳକ ସହ ୪ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ତଦନ୍ତ ପରିସରକୁ ଆଣିଥିଲା।

ତଦନ୍ତ ସମୟରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଛନ୍ତି। ଜଣେ ଯୁବତୀକୁ ମୃତକ ଦିଲୀପ ଓ ମୋହନକୁ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା।

୧୮ ତାରିଖ ଦିନ ମୋହନ ଓ ଡାକ୍ତର ନାଏକ ମୃତ ଦିଲୀପକୁ ଏକ ନାଳକୁ ଡାକିନେଇ ହତ୍ୟା କରିଥିଲେ। ପୁନଶ୍ଚ ଏକ ବାଦାମ ଚାଷ ଜମିରେ ଦେଇଥିବା ୧୧ କେଭି ବିଦ୍ୟୁତ୍ ତାର ଯୁକ୍ତ ବାରହାଫାସରେ ଦିଲୀପକୁ ନେଇ ଠେଲିଦେଇ ଚାଲି ଆସିଥିଲେ। ଅପରପକ୍ଷରେ ବାରହାଫାସ ଦେଇଥିବା ନିକଟସ୍ଥ ଟେମରା ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ୍ର ମାଝୀ ମୃତକ ଦିଲୀପକୁ ଦେଖି ଗୋଟିଏ ଦିନ ଲୁଚାଇଥିଲେ।

ସୁଯୋଗ ଉଣ୍ଡି ଏହାପରଦିନ ଦୀଲିପର ମୃତଦେହକୁ ନଦୀରେ ଫୋପାଡ଼ି ଦେଇଥିଲେ। ପୁଲିସ ତଦନ୍ତ ପରେ ଅପରାଧରେ ବ୍ୟବହୃତ ଓ ବାରହାଫାସର ବିଦ୍ୟୁତ୍ ତାର ସମେତ ଅନ୍ୟ ଜିନିଷଗୁଡ଼ିକୁ ଜବତ କରିଛି। ଆଜି ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ୪ ଜଣକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛିନ୍ତି।

Comments are closed.