ଘରର କାନ୍ଥ ଭୁଶୁଡି ମହିଳା ଗୁରୁତର

ଦେବଗଡ଼ :ଗତକାଲି ରାତ୍ରୀରେ ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଡପାଳ ଗ୍ରାମରେ ଘରର କାନ୍ଥ  ଭୁଶୁଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗାଡପାଳ ଗ୍ରାମର ଏକାଦୁଶିଆ ଶବରଙ୍କ ସ୍ତ୍ରୀ ସୁଶୀଳା ଶବର(୩୦) ଅନ୍ୟଦିନ ମାନଙ୍କ ଭଳି ଗତକାଲି ମଧ୍ୟ ଖିଆପିଆ ସାରି ନିଜର ଜରାଜୀର୍ଣ୍ଣ କୁଡିଆ ଘରେ ଶୋଇଥିଲେ। ତେବେ ରାତ୍ରୀ ପ୍ରାୟ ୧୨ ଟା ସମୟରେ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଘରର କାନ୍ଥଟି ହଠାତ  ଭୁଶୁଡି ପଡି ସୁଶୀଳାଙ୍କ ଉପରେ ପଡିଥିଲା। ଫଳରେ ସୁଶୀଳା ଗୁରୁତର ଆହତ ହୋଇଥିଲେ। ପରିବାର ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଭଙ୍ଗା କାନ୍ଥ ତଳୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ସେ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ଲଗାଣ ବର୍ଷାରେ ସୁଶୀଳାଙ୍କ ଘରର କାନ୍ଥର ଅର୍ଦ୍ଧାଧିକ ଅଂଶ  ଭୁଶୁଡି ପଡିଥିଲା। ମାତ୍ର ଅର୍ଥାଭାବ ଯୋଗୁଁ ସୁଶୀଳା ଏହାର ମରାମତି କରିପାରିନଥିଲେ।

Comments are closed.