ବେଆଇନ କୁକୁଡା ଲଢେଇ ଓ ଜୁଆ ଆଡ୍ଡା ଉପରେ ପୁଲିସ ଚଢଉ

ଦେବଗଡ଼: ଦେବଗଡ ଥାନା ପଂଚମହଲା ଗ୍ରାମ ନିକଟସ୍ଥ ଚୁଳିଆ ପାହାଡରେ ବେଆଇନ କୁକୁଡା ଲଢେଇ ଚାଲିଥିବା ବେଳେ ଦେବଗଡ ଥାନା ପୁଲିସ ସେଠାରେ ଅତର୍କୀତ ଚଢଉ କରି ନଗଦ ଟଙ୍କା ସହ ୪ଟି ବାଇକ, ୪ଟି ଚାରିଚକିଆ ଯାନ, ୨ଟି ଲଢୁଆ କୁକୁଡା ଓ ୧୨ଟି ମୋବାଇଲ ଫୋନ ଜବତ କରିବାସହ ୧୫ ଜଣଙ୍କୁ ଗିରଫ କରିଛି। ଆଜି ସଂଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଥାନା ଓ ବାରକୋଟ ଥାନା ସୀମାରେ ଥିବା ଦେବଗଡ ଥାନା ଅନ୍ତର୍ଗତ ପଂଚମହଲା ନିକଟସ୍ଥ ଚୁଳିଆ ପାହାଡରେ ଗତକାଲି ସଂଧ୍ୟାରେ ଗୁପ୍ତ ଭାବେ ବେଆଇନ କୁକୁଡା ଲଢେଇ ଏବଂ ଜୁଆ ଆଡ୍ଡା ଚାଲିଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଏସ.ପି.ରାଜକିଶୋର ପାଇକରାୟ ଠୋରେ ଚଢଉ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ତଥା ଦେବଗଡ ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଏହି ସ୍କ୍ୱାର୍ଡ ସଂଧ୍ୟା ପ୍ରାୟ ୫ଟା ସମୟରେ ଉକ୍ତ ଆଡ୍ଡା ଉପରେ ଅତର୍କୀତ ଚଢଉ କରିଥିଲେ। ଚଢଉ ସମୟରେ ପୁଲିସକୁ ଦେଖି ଏକାଧିକ ଫେରାର ହୋଇଯାଇଥିବା ବେଳେ ୧୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ଲଢୁଆ କୁକୁଡା, ନଗଦ ୧୧୨୪୦ ଟଙ୍କା, ୪ଟି ୨ ଚକିଆ ଯାନ, ୪ଟି ଚାରିଚକିଆ ଯାନ, କାତି ଲାଗିଥିବା ୨ଟି ଲଢୁଆ କୁକୁଡା ଓ ୧୨ଟି ମୋବାଇଲ ଫୋନ ଜବତ କରିଥିଲା।

ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାକୁ ନେଇ ପଚରାଉଚୁରା କରିବାରୁ ସେମାନେ ବାରକୋଟର ଦୁର୍ଯ୍ୟୋଧନ ବେହେରା(୫୦), କାଉଁଶିବାହାଳ ଗ୍ରାମର ଚୈତନ୍ୟ ନାୟକ(୬୫), ରାୟଗଡା ଜିଲାର ଦ୍ୱିତୀୟ ଆଇ.ଆର.ବି.ରେ ଜବାନ ଭାବେ କାର୍ଯ୍ୟରତ ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ବଡପୋଶର ବନମାଳୀ ମହାକୁଳ(୪୦), ବାରକୋଟ ଥାନା ଲକ୍ଷ୍ମୀପୁର ଗ୍ରାମର ରଞ୍ଜିତ ମହାନ୍ତ(୪୦), ଦେବଗଡ ଥାନା ଘୁରୁଡୁଖମଣ ଗ୍ରାମର ଭୋଲେଶ୍ୱର ବାଘ(୩୮), ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ମୁଶାପୋଷ ଗ୍ରାମର ତପନ କୁମାର ବେହେରା(୩୪) ସୁନ୍ଦରଗଡ ଜିଲା ଟିକାୟତପାଲି ଥାନା ଅନ୍ତର୍ଗତ ବିଜାକୋଳୀ ଗ୍ରାମର ଅଜୟ କାଲୋ(୩୦), ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ଲଲେଇର ଲକ୍ଷ୍ମୀ ନାରାୟଣ ମିଶ୍ର(୪୦), ବାରକୋଟ ଥାନା ବାସୁପାଲି ଗ୍ରାମର ମଙ୍ଗଳୁ ସାହୁ(୪୦), ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଲେଫୀପଡା ଗ୍ରାମର ଗୌତମ ଭୋଇ(୨୩),ଆର୍ମୀରେ ଜବାନ ଭାବେ କାର୍ଯ୍ୟରତ ବାରକୋଟ ଥାନା ଆମ୍ବକଟା ଗ୍ରାମର ଅଶୋକ ବେହେରା(୩୮),ଅନୁଗୁଳ ଜିଲା ଖମାର ଥାନା ବନର ଗ୍ରାମର କୈବର୍ତ୍ତ ଶବର(୩୫),ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଗ୍ରାମର ଆଶିଷ କୁମାର ସାହୁ(୨୮),ଦେବଗଡ ଥାନା ସମରଖାଇ ଗ୍ରାମର ରାମ ଶବର(୨୯), ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଅଶୋକ କିସାନ(୨୨) ବୋଲି ଜଣାପଡିଥିଲା। ପୁଲିସ ଆଜି ସଂଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସେହିପରି ସମ୍ବଲପୁର ଜିଲା ଜମନକିରା ଗ୍ରାମର ଭୋଜରାଜ ସାହୁ(୩୫) ନାମକ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଥାନାରୁ ନୋଟିସ ଦେଇ ଛାଡି ଦେଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଏ ଘଟଣା ଜିଲାରେ ମୂଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.