ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର, ଶିକାରୀ ଗିରଫ

ଦେବଗଡ: ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନର ଲୁଲଙ୍ଗ ଗ୍ରାମରୁ ୧୧ କେଭି ବିଦ୍ୟୁତ ଖୁଂଟରୁ ଜଣେ ଯୁବକ ଜିଆଇ ତାର ନେଇ ଜନ୍ତୂ ଶିକାର ଉଦ୍ଦେଶ୍ୟରେ କଙ୍କରଖୋଳ ରକ୍ଷିତ ଜଙ୍ଗଲରେ ବିଛାଉଥିବା ବେଳେ ବନ ବିଭାଗ କର୍ମଚାରୀମାନେ ତାକୁ ଘଟଣା ସ୍ଥଳରୁ ହିଁ କାବୁ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟୂଷରେ ଲୁଲଙ୍ଗ ଗ୍ରାମର ନେତ୍ରାନନ୍ଦ ଲକୁମୁରା (୩୨) ଓ ସୁବ୍ରତ କୁମୁରା ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଲୁଲଙ୍ଗ ଗ୍ରାମରେ ଥିବା ଏକ ୧୧ କେଭି କ୍ଷମତା ସମ୍ପନ୍ନ ବିଦ୍ୟୂତ ଖୁଂଟରୁ ନିକଟସ୍ଥ କଙ୍କରଖୋଳ ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ ମଧ୍ୟକୁ ଜିଆଇ ତାର ବିଛାଉଥିଲେ।

ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁ କୁଣ୍ଢେଇଗୋଳା ଫରେଷ୍ଟର ପ୍ରିତମ କୁମାର ସାହୁ ଓ ବନରକ୍ଷୀ ଗୋପାଳ କୃଷ୍ନ ମହାକୁଳ ସଦଳବଳେ ସେଠାରେ ପହଂଚି ନେତ୍ରାନନ୍ଦକୁ କାବୁ କରିବା ସହ ତା’ ନିକଟରୁ ଜିଆଇ ତାର ଜବତ କରିଥିଲେ। ତେବେ ବନ ବିଭାଗ କର୍ମଚାରୀମାନଙ୍କୁ ଦେଖି ଅନ୍ୟତମ ଆସାମୀ ସୁବ୍ରତ କୁମୁରା ଫେରାର ହୋଇଯାଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Comments are closed.