କୋଭିଡ ନିୟମ ଲ୍ଲଙ୍ଘନ କରି ଖାଦ୍ୟସାମଗ୍ରୀ ବିତରଣ, ସୁଗୁଡା ମଣ୍ଡଳ ବିଜେପି ସଭାପତି ଓ ଅନ୍ୟ ୫ଜଣଙ୍କ ନାମରେ ମାମଲା ରୁଜ୍ଜୁ

ଦେବଗଡ: ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତ୍ତୀ ଉପଲକ୍ଷେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ବିଜେପି ସୁଗୁଡା ମଣ୍ଡଳ ପକ୍ଷରୁ ଗତକାଲି ମାଙ୍କଡିଆବସା (କଳାମାଟି) ଗ୍ରାମରେ ଖାଦ୍ୟ ସାମଗ୍ରୀ ବିତରଣ କରାଯିବା ଆୟୋଜକ ମାନଙ୍କୁ ମହଂଗା ପଡିଛି। ଲକଡାଉନ ସମୟରେ କୋଭିଡ ନିୟମର ଖୋଲା ଉଲ୍ଲଙ୍ଘନ ପୂର୍ବକ ମାଙ୍କଡିଆବସା (କଳାମାଟି) ଗ୍ରାମରେ ଜନ ସମାବେଶ ଆୟୋଜନ କରି ଗ୍ରାମବାସୀ ମାନଙ୍କୁ ରାଶନ ସାମଗ୍ରୀ ବିତରଣ କରିଥିବା ଦର୍ଶାଇ ଆୟୋଜକ ତଥା ବିଜେପି ସୁଗୁଡା ମଣ୍ଡଳ ସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନ ଏବଂ ଧରଣୀଧର ସାହୁଙ୍କ ନାମରେ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଛି।

ତିଲେଇବଣି ବ୍ଲକର ବିଡିଓ କୃଷ୍ନଚନ୍ଦ୍ର ଦଳପତି ଗତକାଲି ଯଥା କ୍ରମେ ନୋଟିସ ନଂ-୧୨୩୩, ୧୨୩୪ ତା ୩୦.୫.୨୧ରିଖରେ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିବାସହ କୋଭିଡ ନିୟମ ଲକଡାଉନ) ଉଲ୍ଲଂଘନ କରିଥିବାରୁ ପ୍ରାକୃତିକ ବିପର୍ଯ୍ୟ ଆଇନ ୨୦୦୫ ର ଧାରା ୫୧ରୁ ୬୦ ,କୋଭିଡ-୧୯ ରେଗୁଲେସନ୍ସ ୨୦୨୦ ଏବଂ ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮ ଅନୁଶାରେ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ପାଇବାର ୩ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ଉକ୍ତ ନୋଟିସରେ ଦର୍ଶଯାଇଛି।

ସୂଚନା ଯୋଗ୍ୟ, ତିଲେଇବଣି ବ୍ଲକ ଅନ୍ତର୍ଗତ ବିଜେପି ସୁଗୁଡା ମଣ୍ଡଳ ପକ୍ଷରୁ ମାଙ୍କଡିଆବସା (କଳାମାଟି) ଗ୍ରାମବାସୀଙ୍କୁ ଆଳୁ, ପିଆଜ, ଲୁଣ, ବିସ୍କୁଟ, ହାତଧୁଆ ସାବୁନ, ମାସ୍କ ଓ ହୋମିଓପାଥି ଔଷଧ ବିତରଣ କରାଯାଇଥିଲା। ସର୍ବଶେଷ ସୂଚନା ଅନୁଯାୟୀ ଉପରୋକ୍ତ ଘଟଣାରେ ଦେବଗଡ ଆଦର୍ଶ ଥାନା ପୁଲିସ ପକ୍ଷରୁ ସୁଗୁଡା ମଣ୍ଡଳ ସଭାପତି ଶ୍ରୀ ପ୍ରଧାନ ଓ ଅନ୍ୟ ୫ ଜଣଙ୍କ ବିରୁଦ୍ଧରେ ମାମଲା ଋଜୁ କରାଯାଇଥିବା ଜଣାପଡିଛି।

Comments are closed.