ନେଟୱର୍କ ପାଇଁ ଗଛ ଡାଳ, ପାହାଡ଼ ତଳ ଭରସା

ଦେବଗଡ : ଅନୁନ୍ନତ ଗ୍ରାମାଞ୍ଚଳ ତଥା ଅପହଞ୍ଚ ଅଞ୍ଚଳରେ ଆବଶ୍ୟକ ମୋବାଇଲ ଏବଂ ଇଣ୍ଟରନେଟ ସେବା ଅଭାବରୁ ଅନ୍‌ଲାଇନ ଶିକ୍ଷାଦାନରେ ଘୋର ବ୍ୟଘାତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଅନେକ ସ୍ଥାନରେ ଉପଯୁକ୍ତ ମୋବାଇଲ ଓ ଇଣ୍ଟରନେଟ ସେବା ଉପଲବ୍ଧ ହେଉଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ମୋବାଇଲ ଫୋନ କିଣିନପାରି ବହୁ ଶିକ୍ଷାର୍ଥୀ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି। ଅନୁନ୍ନତ ଦେବଗଡ ଜିଲାରେ ଅନ୍‌ଲାଇନ ମାଧ୍ୟମରେ ପାଠ ପଢିବାରେ ଶିକ୍ଷାର୍ଥୀମାନେ କିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ରିଆମାଳ ବ୍ଲକ ଅନ୍ତର୍ଗତ ଉଟୁଣିଆଁ ଗ୍ରାମ ପଞ୍ଚାୟତର ହାଡସଂହାର ଗ୍ରାମର ସ୍ଥିତିକୁ ପରଖିଲେ ସହଜରେ ଜଣାପଡେ।
ଉକ୍ତ ଗ୍ରାମର ଜନସଂଖ୍ୟା ପ୍ରାୟ ୬୦୦ରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୦ରୁ ଅଧିକ। ଲକଡାଉନ ଯୋଗୁଁ କଟକ ଓ ଭୁବନେଶ୍ୱର ଭଳି ବଡ ବଡ ସହରରେ ଥିବା ଗ୍ରାମର ଛାତ୍ରଛାତ୍ରୀ ମଧ୍ୟ ଏବେ ଗାଁରେ ଅଛନ୍ତି। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଉକ୍ତ ଗ୍ରାମରେ କୌଣସି ମୋବାଇଲ ସେବା ସଠିକ ଭାବେ ଉପଲବ୍ଧ ହେଉନାହିଁ। ଫଳରେ ଉକ୍ତ ଗ୍ରାମର ଛାତ୍ରଛାତ୍ରୀ ଅନ୍‌ଲାଇନ ପାଠପଢା କ୍ଷେତ୍ରରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ ଓ ଜିଓ ଆଦି ମୋବାଇଲ ସେବାର ନେଟୱାର୍କ ସାମାନ୍ୟ ଝଲକ ରହିଥିଲେ ମଧ୍ୟ ଗାଁ ମଧ୍ୟରେ ଏହା କୌଣସି କାମରେ ଆସୁନାହିଁ। ଗାଁରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ୨/ ୩ଟି ଆମ୍ବ ଗଛରେ ଉପରେ ସାମାନ୍ୟ ମୋବାଇଲ ସେବା ଉପଲବ୍ଧ ହେଉଥିବାରୁ ପିଲାଏ ଅନ୍‌ଲାଇନରେ ପାଠ ପଢିବାକୁ ହେଲେ ଉକ୍ତ ଆମ୍ବଗଛରେ ଚଢିବାକୁ ପଡୁଛି। ତେବେ ସମ୍ପୃକ୍ତ ଆମ୍ବଗଛ ମାନଙ୍କରେ ମଧ୍ୟ ସବୁବେଳେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇନଥାଏ। ଫଳରେ ଶିକ୍ଷାର୍ଥୀଙ୍କୁ ଗାଁରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ହୁଳି (ଛୋଟ ପାହାଡ)ନିକଟକୁ ଯାଇ ବୁଦା ମୂଳ କିମ୍ବା ବିଲ ମାଳରେ ବସି ପାଠ ପଢିବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ଶିକ୍ଷାର୍ଥୀ ମାନେ କିଭଳି ଭାବେ ଶିକ୍ଷା ହାସଲ କରୁଥିବେ ତାହା ସହଜରେ ଅନୁମେୟ। ଛୋଟ ଛୋଟ ଶିଶୁ ମାନଙ୍କ କଥା ନକହିବା ଭଲ। କାରଣ ଉକ୍ତ ଗ୍ରାମର ଅଧିକାଂଶ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଉକ୍ତ ପରିବାରର ଶିଶୁ ମାନେ ଅନ୍‌ଲାଇନରେ ପାଠ ପଢିବା ନିମନ୍ତେ ମୋବାଇଲ କିଣି ପାରିନାହାନ୍ତି। ଆଉ ଯେଉଁ ଶିଶୁମାନେ ପାଠ ପଢିବା ପାଇଁ ମୋବାଇଲ କିଣିଛନ୍ତି ସେମାନେ ଗଛରେ ଚଢିପାରୁନଥିବାରୁ ଶିଢି ସାହାଯ୍ୟରେ ଗଛରେ ଚଢିବାକୁ ପଡୁଛି। ଆଉ ଗଛରେ ଯଦି ନେଟୱାର୍କ ନଆସେ ତେବେ ବିପଜ୍ଜନକ ଭାବେ ଭାଲୁ ଓ ଅନ୍ୟ ବଣ୍ୟଜନ୍ତୁଙ୍କ ସମେତ ସାପ ଆଦି ସରିସୃପଙ୍କର ଅବାଧ ଯାତାୟତ ରହିଥିବା ଉକ୍ତ ହୁଳି (ଛୋଟ ପାହାଡ) ନିକଟସ୍ଥ ବୁଦା ମୂଳ କିମ୍ବା ବିଲ ମାଳରେ ବସି ପାଠ ପଢିବାକୁ ପଡିଥାଏ। ଏଣୁ ସୁରକ୍ଷା ଦୃଷ୍ଟିରୁ ଅଭିଭାବକ ମାନେ ପାଠ ପଢିବା ନିମନ୍ତେ ଶିଶୁମାନଙ୍କୁ ଉକ୍ତ ହୁଳିକୁ ଛାଡିବାକୁ ଉଚିତ୍‌ ମଣୁନାହାନ୍ତି। ଏହି ସବୁ କାରଣରୁ ଉକ୍ତ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ ପାଠପଢାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହିଛନ୍ତି। ତେବେ ମୋବାଇଲ ନେଟୱାର୍କ ଅଭାବରୁ କେବଳ ଯେ, ଅନ୍‌ଲାଇନ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତାହା ନୁହେଁ, ଉକ୍ତ ଗ୍ରାମର ଗ୍ରାମବାସୀଙ୍କୁ କୌଣସି କାମ ପାଇଁ କୌଣସି ବ୍ୟକ୍ତି କୌଣସି ସ୍ଥାନରୁ ଫୋନ କଲେ ଏହା ସମ୍ଭବ ହୋଇନଥାଏ ଓ ଉକ୍ତ ଗ୍ରାମର କୌଣସି ବ୍ୟକ୍ତି ମୋବାଇଲରେ ଅନ୍ୟତ୍ର ଯୋଗାଯୋଗ କରିବାକୁ ହେଲେ ଆମ୍ବଗଛ କିମ୍ବା ହୁଳି ନିକଟକୁ ଯିବାକୁ ପଡିଥାଏ। ଏହି ସମସ୍ୟାର ସମାଧାନ ନିମନ୍ତେ ଉଟୁଣିଆଁ ପଞ୍ଚାୟତର ସରପଞ୍ଚ ତରଣୀସେନ ପ୍ରଧାନ ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ ଓ ଜିଓ ମୋବାଇଲ ସେବାର ଅଧିକାରୀମାନଙ୍କୁ ଅନେକବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି। ଏହି ସମସ୍ୟା ସମ୍ପର୍କରେ ମତାମତ ପାଇଁ ଦେବଗଡ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ।

Comments are closed.