ହାତୀ ଉପଦ୍ରବରେ ବହୁ ଧାନ ଗଛ ନଷ୍ଟ

ଦେବଗଡ : ବାରକୋଟ ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଆଜି ହାତୀ ଉପଦ୍ରବ ଦ୍ୱାରା ବିପୁଳ ପରିମାଣର ଧାନଗଛ ନଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରତ୍ୟୂଷ ପ୍ରାୟ ୪ଟା ସମୟରେ ପ୍ରାୟ ୨୦/୨୨ ଟି ହାତୀର ଏକ ଦଳ ଗୋଳାବନ୍ଧ ଗ୍ରାମରେ ପଶି ଉକ୍ତ ଗ୍ରାମର ଦନାର ବେହେରା ,ଗୋପାଳ ବେହେରା, ବଂଶୀ ବେହେରା, ଲୋଚନ ବେହେରା ଓ କୁଶ ବେହେରା ପ୍ରମୁଖ ବହୁ ଚାଷୀଙ୍କ ଚାଷ ଜମିରେ ପଶି ବହୁ ପରିମାଣର ଛୋଟଛୋଟ ଧାନ ଗଛ ଓ ଧାନ ପହ୍ଳା ମାଡିଦଳି ନଷ୍ଟ କରିଦେଇଥିଲେ। ଫଳରେ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇବା ସହ ଏ ସମ୍ପର୍କରେ ସେମାନେ ଆଜି ଠିଆନାଳ ଫରେଷ୍ଟର, ରାଜସ୍ୱ ନିରୀକ୍ଷ ଓ ଗୋଳାବନ୍ଧ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇବା ସହ କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବୀ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତବର୍ଷ ଧାନ ଅମଳ ସମୟରେ ମଧ୍ୟ ହାତୀମାନେ ଉକ୍ତ ଗ୍ରାମରେ ପଶି ବହୁ ଚାଷୀଙ୍କର ଚାଷ ଜମିରୁ ବିପୁଳ ପରିମାଣର ପାଚିଲା ଧାନ ନଷ୍ଟ କରିଥିଲେ ହେଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ କରିଛନ୍ତି।