ଡେଙ୍ଗୁ କବଳରେ ରାଜଧାନୀ, ୨୯ ଦିନରେ ଗଲାଣି ୩୪୩ ଜୀବନ

ଭୁବନେଶ୍ୱର: ଗୋଟିଏ ସମୟରେ କରୋନା ଓ ଡେଙ୍ଗୁ ବିଏମ୍‌ସିର ନିଦ ହଜାଇ ଦେଇଛି। ଗୋଟାକୁ ଜଗିଲା ବେଳକୁ ଆଉ ଗୋଟିଏ ବେକାବୁ ହୋଇ ପଡୁଛି। ଗତ କିଛି ଦିନ ହେଲା ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ। କରୋନା ଏଯାବତ୍‌ ନିୟନ୍ତ୍ରଣକୁ ଆସିବାକୁ ନଁା ଧରୁନି। କରୋନା ଏବଂ ଡେଙ୍ଗୁକୁ ନେଇ ରାଜଧାନୀବାସୀ ଚିନ୍ତିତ। ମୁକାବିଲା ଦିଗରେ ବିଏମ୍‌ସିର ଅପାରଗତା ପଦାରେ ପଡ଼ିଛି। ସ୍ମାର୍ଟସିଟିରେ ଡେଙ୍ଗୁ ବିସ୍ତାର କରୁଥିବାରୁ ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗ ଉପରେ ବର୍ଷିଛନ୍ତି ବିରୋଧୀ।

ରାଜଧାନୀରେ କରୋନା ସ୍ଥିତି ଏବେବି ଉଦ୍‌ବେଗଜନକ। ଅନ୍ୟ ଜିଲା ତୁଳନାରେ ଖୋର୍ଦ୍ଧା ଜିଲାରେ ସଂକ୍ରମଣ ହାର ଅଧିକ। ପ୍ରତିଦିନ ଜିଲାରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତା’ର ପ୍ରାୟ ୫୦ ପ୍ରତିଶତ ଭୁବନେଶ୍ବରରୁ। ଜୁନ୍‌ ୩୦ରେ ରାଜଧାନୀରେ ମୋଟ ୯୦୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୪୫୦ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଜୁଲାଇ ୧ରୁ ୨୯ ମଧ୍ୟରେ ବିଏମ୍‌ସିରେ ୮୮୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହାରାହାରି ଦୈନିକ ୩୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅବଶ୍ୟ ଦୈନିକ ଆକ୍ରାନ୍ତ ସଂଖ୍ୟା ୪୦୦ ତଳେ ରହୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ସନ୍ତୋଷଜନକ ନୁହେଁ। ସବୁଠାରୁ ଉଦ୍‌ବେଗଜନକ ହେଉଛି ଚଳିତ ମାସର ୨୯ଦିନରେ ୩୪୩ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ। ଯାହାକି ମୃତ୍ୟୁର ୪୩.୨୫ ପ୍ରତିଶତ।

ରାଜ୍ୟରେ କରୋନା ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରୁଥିବା ବେଳେ କରୋନା ଭୟ ଭିତରେ ରାଜଧାନୀକୁ ପଶିଛି ଡେଙ୍ଗୁ। ଜ୍ବର ହେଲେ କରୋନା କି ଡେଙ୍ଗୁ ତାକୁ ନେଇ ଲୋକେ ଚିନ୍ତିତ। ବିଶେଷକରି ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର ଏବଂ ନୀଳାଦ୍ରିବିହାର ଅଞ୍ଚଳରେ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଏମ୍‌ସି ତଥ୍ୟ କହୁଛି, ଗୁରୁବାର ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨ରେ ପହଞ୍ଚିଛି। ବୁଧବାର ୪୫୩ ଆକ୍ରାନ୍ତ ଥିବାବେଳେ ଆଜି ୨୯ ଜଣ ଚିହ୍ନଟ ହୋଇଛନ୍ତି। ବେସରକାରୀ ଭାବେ ଦେଖିଲେ ଏହି ସଂଖ୍ୟା ବହୁ ଅଧିକ। ରାଜଧାନୀରେ ମାସକ ତଳୁ ଡେଙ୍ଗୁ ବ୍ୟାପିବା ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ବିଏମ୍‌ସି ପକ୍ଷରୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ ହୋଇଛି। ଅସରାଏ ବର୍ଷା ହେଲେ ପାଣି ଜମି ରହିବା ଦ୍ୱାରା ଏଡିସ୍‌ ମଶା ବଂଶବିସ୍ତାର କରୁଛି। ମଶା ମାରିବା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ଡେଙ୍ଗୁ ଜ୍ୱର ବ୍ୟାପୁଛି। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ଜାନୁଆରୀରୁ ଜୁଲାଇ ୨୮ ସୁଦ୍ଧା ରାଜ୍ୟରେ ୫୪୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଏମ୍‌ସିରେ ଅଧିକ ରହୁଛି। ଗୋଟିଏ ସମୟରେ କରୋନା ଏବଂ ଡେଙ୍ଗୁ ବ୍ୟାପୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ମଶାମରା ଅଭିଯାନ ଚାଲିଛି।

Comments are closed.