କଂଗ୍ରେସର ସଂପୃକ୍ତ ମନ୍ତ୍ରୀଙ୍କ ବହିଷ୍କାର, ସିବିଆଇ ତଦନ୍ତ ଦାବି, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା

ଆଠଗଡ : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ଘଟଣାରେ ସଂପୃକ୍ତ ମନ୍ତ୍ର ଦିବ୍ୟସିଂହ ମିଶ୍ରଙ୍କ ବହିଷ୍କାର, ଘଟଣାର ସିବିଆଇ ତଦନ୍ତ ଓ ପୀଡିତା ପରିବାରକୁ ୨କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ଦାବିରେ ଆଠଗଡ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା, ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏଥି ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଆଠଗଡ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ରାଜ୍ୟର ବିଜେଡି ସରକାର ଅମଳରେ ଯେଉଁଭଳି ଅପରାଧ ବଢି ଚାଲିଛି, ନାରୀ ନିର୍ଯାତନ ଓ ବଳାତ୍କାର ଘଟଣା ଘଟୁଛି ତାହା ପୂର୍ବରୁ କେବେ ଘଟିନଥିଲା ଏବଂ ଏଥିରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ସଂପୃକ୍ତି ରହିଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଥିଲେ। ରାଜ୍ୟରେ ମହିଳାମାନେ ଆଦୌ ସୁରକ୍ଷିତ ନାହାଁନ୍ତି ବୋଲି ଶ୍ରୀ ରଥ କହିବା ସହ କଳାହାଣ୍ଡିର ମମିତା ମେହର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସିଧାସଳଖ ସଂପୃକ୍ତି ଥିଲେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ଇସ୍ତଫା ଦେବା ପାଇଁ କହିନାହାଁନ୍ତି ଅଥବା ବହିଷ୍କାର କରିନାହାଁନ୍ତି ତାହା ରାଜ୍ୟବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ରାଜ୍ୟର ମହିଳାଙ୍କୁ ମର୍ମାହତ କରିଛି ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ। ଏଥିରେ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ, ଆଠଗଡ ଏନଏସି କଂଗ୍ରେସ ସଭାପତି ସୋମନାଥ ଭକ୍ତା କଂଗ୍ରେସର ଜିଲ୍ଲା ଉପସଭାପତି ମେହବୁବ୍‍ ଅହମ୍ମଦ ଖାଁ, ମାନସ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ଆଠଗଡ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତ, ତିଗିରିଆର ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ପ୍ରଶାନ୍ତ କୁମାର ବେହେରା, ଶ୍ରୀତମ ଦାସ, ଅବନାଶ ପ୍ରଧାନ, ରାହୁଲ କୁମାର ସାହୁ, ବିଶାଲ ପରିଡା, ସୋମ୍ୟରଞ୍ଜନ ବର୍ମା, ସୂର୍ଯ୍ୟକାନ୍ତ ମହାପାତ୍ର, ଧରଣୀଧର ବେହେରା ପ୍ରମୁଖ ଉଦ୍‍ବୋଧନ ଦେଇ ମମିତା ମେହର ହତ୍ୟା ଘଟଣାର ତୀବ୍ର ନିନ୍ଦା କରିବା ସହ ଏହାର ସିବିଆଇ ତଦନ୍ତ କରାଇବା, ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିଷ୍କାର କରିବା ଏବଂ ମୃତକଙ୍କ ପରିବାରକୁ ୨କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବା ପାଇଁ ଦୃଢ ଦାବି କରିଥିଲେ। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏ ସଂପର୍କୀତ ଏକ ଦାବିପତ୍ର କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଶ୍ରୀ ରଥ ପ୍ରଦାନ କରିଥିଲେ।

Comments are closed.