ପୁଲିସର ପକ୍ଷପାତିତା ଅଭିଯୋଗରେ ଥାନା ଆଗରେ ବିକ୍ଷୋଭ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ଦୁଇ ପଡୋଶୀ ପବିତ୍ର ବର୍ମା ଓ ସଂଜୟ ବର୍ମାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡି ବିବାଦ ଲାଗି ରହିଥିଲା। ପୂର୍ବରୁ ଜାନୁଆରୀ ମାସ ୧୨ତାରିଖରେ ପବିତ୍ର ଓ ତାଙ୍କ ପରିବାର ସମେତ କିଛି ଗୁଣ୍ଡାଶ୍ରେଣୀର ବ୍ୟକ୍ତି ସଂଜୟ ବର୍ମାଙ୍କ ଘରେ ପଶି ବହୁମୂଲ୍ୟବାନ ସାମଗ୍ରୀ ଭଙ୍ଗାରୁଜା କରିବା ସହ ତାଙ୍କ ପତ୍ନୀ ଓ ଝିଅକୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ। ସଂଜୟ ତାଙ୍କ ପରିବାର ପକ୍ଷରୁ ଏ ସଂପର୍କରେ ଆଠଗଡ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନଥିଲେ। ତେବେ ଗତ ଗୁରୁବାର ରାତିରେ ପବିତ୍ରଙ୍କ ଘରେ ଭଙ୍ଗାରୁଜାକରି ସଂଜୟଙ୍କ ପରିବାର ଲୋକ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ନେଇ ପବିତ୍ରଙ୍କ ପତ୍ନୀ ଆଠଗଡ ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହ ସଂଜୟଙ୍କ ପରିବାର ଲୋକଙ୍କୁ ଖୋଜାଖୋଜି କରିଥିଲେ। ପୁଲିସର ଏପରି ପକ୍ଷପାତିତାକୁ ବିରୋଧ କରି ଶନିବାର ରାଜନଗର ଗ୍ରାମର ଶତାଧିକ ଲୋକ ଆଠଗଡ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ଗ୍ରାମବାସୀଙ୍କ ସହ ଆଲୋଚନା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଗ୍ରାମବାସୀ ବିକ୍ଷୋଭ କାର୍ଯ୍ୟକ୍ରମ ପ୍ରତ୍ୟାହୃତ  କରିଥିଲେ। ତେବେ ପୁଲିସ ପବିତ୍ରଙ୍କ ପରିବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗ୍ରାମବାସୀ ରାଜରାସ୍ତାଙ୍କୁ ଓହ୍ଲାଇବା ସହ ଥାନା ସମ୍ମୁଖରେ ସଂଜୟଙ୍କ ପରିବାରବର୍ଗ ଆତ୍ମାହୁତି ଦେବେବୋଲି ଚେତାବନୀ ଦେଇଛନ୍ତି।

Comments are closed.