ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ଆଠଗଡ ବିଜୁ ମହିଳା, ଯୁବ, ଛାତ୍ର ଜନତା ପକ୍ଷରୁ ବିକ୍ଷୋଭ

ଆଠଗଡ :  ସଂପ୍ରତି ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୋଧରେ ଆଠଗଡ ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସୋମବାର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଠଗଡ ସହରର ଚତୁଃପାଶ୍ୱର୍ର ବିଭିନ୍ନ ରାସ୍ତାରେ ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ପଟୁଆରରେ ଆସି ବ୍ଲକ ଓ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଅଶାନ୍ତି ବେହେରାଙ୍କ ସଂଯୋଜନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ମହିଳା ବିଜେଡି ସଂପାଦିକ ମିତାଲି ରାଉତ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ବାସନ୍ତି ରାଉଳ, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁ, ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ଯୁବ ବିଜେଡି ନେତା ପ୍ରଦୀପ ଦାସ, ନଗର ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତା, ବିଜୁ ଯୁବ ଜନତା ଦଳର ସଭାପତି ଶିବଶଙ୍କର ଜେନା, ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ଉଦ୍‍ବୋଧନ ଦେଇ କେନ୍ଦ୍ର ସରକାରଙ୍କର ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଏବଂ କୋଭିଡ ପରିଚାଳନାରେ ତ୍ରୁଟି ଯୋଗୁଁ ସମଗ୍ର ଦେଶରେ ନିମ୍ନ ମଧ୍ୟବିତ୍ତ ପରିବାର ତଥା ଗରିବ ଜନସାଧାରଣ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ବୋଲି କହିଥିଲେ । ଜୀବିକା ହରାଇ ଲକ୍ଷ୍ୟ ଲକ୍ଷ୍ୟ ଲୋକ ହନ୍ତସନ୍ତ ହେଉଥିବାବେଳେ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ବିଶେଷକରି ବିଗତ ୮ମାସ ମଧ୍ୟରେ ୨ଗୁଣ ବୃଦ୍ଧି ପାଇ ୯୫୦ଟଙ୍କାରେ ପହଞ୍ଚିଛି ଫଳରେ ଗରିବ ଜନତା ରନ୍ଧନ ଗ୍ୟାସ କିଣି ପାରୁନାହାଁନ୍ତି । କେନ୍ଦ୍ର ସରକାରଙ୍କର ଗରିବ ଜନସାଧାରଣଙ୍କୁ ଉଜ୍ଜଳା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ ଯୋଗାଇବା ସଂପ୍ରତି ବିଫଳ ହୋଇଛି ବୋଲି ନେତାମାନେ ମତବ୍ୟକ୍ତ କରିଥିଲେ । ରନ୍ଧନ ଗ୍ୟାସ ଉପରେ ଏବେ ଯଥାଶୀଘ୍ର ୪୦୦ଟଙ୍କା ସବ୍‍ସିଡି ଦାବି କରିବା ସହିତ ଏକ ସଂପର୍କରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଲକ ଓ ଏନଏସି କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

Comments are closed.