MEllora 950×100

ବିମୁଦ୍ରାୟନ ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ବିମୁଦ୍ରାୟନ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଆଗତ ୫୮ଟି ମାମଲାର ଏକତ୍ର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ୨୦୧୬ରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିବା ବେଳେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ମୋଟ୍‌ ୫୮ଟି ମାମଲା ରୁଜୁ ହୋଇଥିଲା।
ବିଚାରପତି ଏସ୍‌.ଏ ନାଜିର୍‌ଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ୍‌ ଆର. ଭେଙ୍କଟରମଣି, ରିଜର୍ଭ ବ୍ୟାଙ୍କର ଆଇନଜୀବୀ ଓ ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍‌ ଓ ଶ୍ୟାମ ଦିବାନ୍‌ଙ୍କ ଯୁକ୍ତି ଶୁଣିଥିଲେ। ଏଥିସହ ବିମୁଦ୍ରାୟନ ସଂପର୍କିତ ରେକର୍ଡ ଦାଖଲ କରିବାକୁ କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କକୁ ପୀଠ ନିର୍ଦେଶ ଦେଇଛନ୍ତି। ସମସ୍ତ ରେକର୍ଡପତ୍ର ଜଉମୁଦ ଲଫାଫାରେ ପ୍ରଦାନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ ଜଣାଇଥିଲେ। ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ତରଫରୁ ଆଇନଜୀବୀ ପୀଠ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରି ୨୦୧୬ରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ଠିକ୍‌ ବୋଲି ଦର୍ଶାଇଥିଲେ। ବରିଷ୍ଠ ଆଇନଜୀବୀ ଜୟଦୀପ ଗୁପ୍ତା ପୀଠ ସମ୍ମୁଖ​‌େ​‌ର ଯୁକ୍ତି ଉପସ୍ଥାପନ କରି କହିଥିଲେ ବିମୁଦ୍ରାୟନ ନିଷ୍ପତ୍ତି ଦେଶ ଗଠନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ଓ ଅଳ୍ପ କେତେଜଣଙ୍କୁ ଛାଡ଼ି ଦେଲେ ସବୁ ଦେଶବାସୀ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

Comments are closed.