ଗଣତନ୍ତ୍ରରେ ଗଣିତ ଓ ସାହିତ୍ୟ

ବିଶ୍ବରଞ୍ଜନ : ଗଣତନ୍ତ୍ର କେବଳ ଗଣିତର ଖେଳ ନୁହେଁ, ଗଣିତ ସହିତ ସାହିତ୍ୟର ଭାବ ଓ ଭାଷା ସମନ୍ବିତ ହେଲେ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳ ଓ ଶକ୍ତିଶାଳୀ ହୁଏ। ଏକଥା ସତ ଯେ ସଂଖ୍ୟା ବଳରେ ବଳୀୟାନ ବ୍ୟକ୍ତି ବା ଦଳ ଶାସନ ଭାର ହାତକୁ ନିଏ। ସଂଖ୍ୟା ଶକ୍ତିରେ ସବୁ କିଛି ନିଷ୍ପତ୍ତି ଗ୍ରହଣ କରାଯାଏ। ଆଇନ ପ୍ରଣୀତ ହୁଏ। ମାତ୍ର ସରକାରଙ୍କ ଦ୍ବାରା ଗୃହୀତ ନିଷ୍ପତ୍ତି ବା ପ୍ରଣୀତ ଆଇନ୍ ସମ୍ପର୍କରେ କେହି ଯଦି ଭିନ୍ନ ମତପୋଷଣ କରେ, ଏହାର ବୈଧତାକୁ ନେଇ ପ୍ରଶ୍ନ କରେ, ତେବେ ସେ ପ୍ରକାର ପ୍ରଶ୍ନ ଓ ପ୍ରତିକ୍ରିୟାକୁ ସହୃଦୟତାର ସହିତ ବିଚାରକୁ ନେବା ଏବଂ ନିଜର ଯଥାର୍ଥ ଯୁକ୍ତି ବଳରେ ପ୍ରତିପକ୍ଷର ସମର୍ଥନ ହାସଲ କରିବାକୁ ନିଷ୍ଠାପର ଉଦ୍ୟମ କରିବା ହେଉଛି ସଂଖ୍ୟା ଦୃଷ୍ଟିରୁ ଶକ୍ତିମାନ ବ୍ୟକ୍ତି ବା ଦଳର ଦାୟିତ୍ବ ଓ ନୈତିକ କର୍ତ୍ତବ୍ୟ। ଏଥିପାଇଁ ସରକାରୀ ଦଳ ନିଜର ଆଚରଣ ଓ ଉଚ୍ଚାରଣରେ ଅଧିକ ନମ୍ର, ଉଦାର ଓ ସହନଶୀଳ ହେବାର ଆବଶ୍ୟକତା ରହିଛି। କ୍ଷମତାର ଅହଂକାର ଓ ଔଦ୍ଧତ୍ୟ ଗଣତନ୍ତ୍ର- ଅନୁକୂଳ ଲକ୍ଷଣ ନୁହେଁ।
ଅବଶ୍ୟ ଏବେ କ୍ଷମତାସୀନ ଦଳର ସର୍ବମାନ୍ୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସବ୍‌କା ସାଥ, ସବ୍‌କା ବିକାଶ’ର କଥା କହୁଛନ୍ତି ଏବଂ ତା’ ସହିତ ‘ସବ୍‌କା ବିଶ୍ବାସ’କୁ ମଧ୍ୟ ଯୋଡ଼ିଛନ୍ତି। ଭଲ କଥା। ଏହାହିଁ ପ୍ରକୃତରେ ସାହିତ୍ୟର ଭାବ ଓ ଭାଷା। ମାତ୍ର ଏହି କଥା କେବଳ ବାଚନିକ, ଶ୍ରୁତିମଧୁର ସ୍ଲୋଗାନ ବା ଭାଷଣର ଭୂଷଣ ନ ହୋଇ ଯଦି ବାସ୍ତବ କ୍ଷେତ୍ରରେ ପରିଲକ୍ଷିତ ହୁଅନ୍ତା, ତେବେ କାହାର କୌଣସି ଆପତ୍ତି ରହନ୍ତା ନାହିଁ। କୌଣସି ପ୍ରକାର ବିରୋଧ ଦେଖିବାକୁ କାହାର କୌଣସି ଆପତ୍ତି ରହନ୍ତା ନାହିଁ କି ଏହା ଦେଖିବାକୁ ମିଳନ୍ତା ନାହିଁ। ମାତ୍ର ତାଙ୍କର ନେତା କହୁଥିବା କଥାକୁ ନିଜର ସହଯୋଗୀ, ସହକର୍ମୀ ନେତା ବା କର୍ମୀମାନେ ଯଦି ପାଳନ ନକରି, ଏହାର ଠିକ୍ ବିପରୀତ ଭାଷା ପ୍ରୟୋଗ କରନ୍ତି, ତେବେ ‘ସବ୍‌କା ବିଶ୍ବାସ’ର ବିଶ୍ବସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗିବ ନାହିଁକି?
ଏତେ ସବୁ କଥା କହିବାର ଉଦ୍ଦେଶ୍ୟ ହେଉଛି, ବର୍ତ୍ତମାନ ଦେଶରେ ପ୍ରଣୀତ ‘ ନାଗରିକ ସଂଶୋଧନ ଆଇନ୍‌’କୁ ନେଇ ସୃଷ୍ଟି ହୋଇଥିବା ଅଭୂତପୂର୍ବ ପରିସ୍ଥିତି। କେବଳ କ୍ଷମତାରେ ଅଂଶୀଦାର ନଥିବା ବିରୋଧୀ ଦଳ ନୁହନ୍ତି, ଦେଶର ସାମ୍ବାଦିକ,ଲେଖକ, କଳାକାର, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଦୁଇଟି ଶିବିରରେ ବିଭକ୍ତ। ନାଗରିକ ଆଇନ ବିରୋଧୀ ଏବଂ ସପକ୍ଷବାଦୀଙ୍କୁ ନେଇ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଯାଇଛି। କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ସୁସ୍ଥ ବିଚାର ଓ ବିତର୍କ ବଦଳରେ ହିଂସାତ୍ମକ ଆଚରଣ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପ୍ରତି ଏକ ଆହ୍ବାନ ସୃ​‌ଷ୍ଟି କରିଛି। ଗୋଟିଏ ଆଇନକୁ ଆୟୁଧ କରି ଉଭୟ ପକ୍ଷର ଆକ୍ଷେପ ଓ ପ୍ରତି -ଆକ୍ଷେପ ଉଭୟ କଥା ଓ କାର୍ଯ୍ୟରେ ଆକ୍ରମଣ ଓ ପ୍ରତି-ଆକ୍ରମଣ ଆମର ସାମାଜିକ ତଥା ରାଜନୈତିକ ଜୀବନକୁ ଯେ ପ୍ରଦୂଷିତ କରୁଛି, ଏକଥା ଉଭୟ କ୍ଷମତାଯୁକ୍ତ ଓ କ୍ଷମତାରହିତ ଦଳର ନେତାମାନେ ଚିନ୍ତା କରୁଛନ୍ତି କି? ବିଶେଷ କରି ଆମର ଶକ୍ତିମାନ ପ୍ରଧାନମନ୍ତ୍ରୀ ନିଜ ଦଳର ନେତାମାନଙ୍କର ଅସଂଯତ, ହିଂସା ଉଦ୍ରେକକାରୀ ବକ୍ତବ୍ୟ ସମ୍ପର୍କରେ ନିଜର ଉଦ୍‌ବେଗ ପ୍ରକାଶ କରୁଛନ୍ତି କି? ନାଗରିକ ଆଇନ ବିରୋଧୀଙ୍କୁ କୁକୁରକୁ ଗୁଳି ମାରିଲା ଭଳି ଗୁଳି କରିବା କଥା ସର୍ବସମ୍ମୁଖରେ ବେଶ୍‌ ଉତ୍ତେଜିତ ଭାବରେ କହୁଛନ୍ତି କ୍ଷମତାସୀନ ଦଳର ଜଣେ ପ୍ରାଦେଶିକ ସଭାପତି ଏବଂ ଜଣେ କେନ୍ଦ୍ରମନ୍ତ୍ରୀ। ବିରୋଧୀଙ୍କୁ ମୁକାବିଲା କରିବାର ପନ୍ଥା ବା ଉପାୟ କ’ଣ ପ୍ରତିହିଂସା, ପ୍ରତିଶୋଧ? ଭିନ୍ନ ମତବାଦୀ ସଭିଏଁ କ’ଣ ଦେଶଦ୍ରୋହୀ? ‘ଦେଶ’ କ’ଣ କୌଣସି ବ୍ୟକ୍ତି ବା ଦଳର ସଂପତ୍ତି?
ଏହା ନିର୍ବିବାଦୀୟ ସତ୍ୟ ଯେ ସଂସଦୀୟ ଗଣତନ୍ତ୍ର ହେଉଛି ସଂଖ୍ୟାର ଖେଳ। ଏହାର ଅର୍ଥ ନୁହେଁ। ସଂଖ୍ୟଲଘୁଙ୍କର ରାଜନୈତିକ ବିମର୍ଶରେ କୌଣସି ସ୍ଥାନ ନାହିଁ। ଅନ୍ୟ ପକ୍ଷର କଥା ଶୁଣିବାଲାଗି ପ୍ରସ୍ତୁତ ନଥିଲେ ଗଣତନ୍ତ୍ରର ବିକାଶ କଦାପି ସମ୍ଭବ ହେବ ନାହିଁ ବୋଲି ଗାନ୍ଧିଜୀ ସତର୍କ କରାଇ ଦେଇଥିଲେ ‘ହରିଜନ’ରେ ପ୍ରକାଶିତ ଏକ ଲେଖାରେ। ସେ ପୁଣି କହିଥିଲେ- ‘ଅସହିଷ୍ଣୁତା, ଅଶିଷ୍ଟତା, କର୍କଶତା, ଏଗୁଡ଼ିକ ଯେ କୌଣସି ଉତ୍ତମ ସମାଜରେ ନିଷିଦ୍ଧ ହୋଇ ରହିବା ଉଚିତ ଏବଂ ଏଗୁଡ଼ିକ ନିଃସନ୍ଦେହରେ ଗଣତନ୍ତ୍ର-ଭାବନାର ପରିପନ୍ଥୀ ହୋଇ ରହିଥାନ୍ତି।’ ଗାନ୍ଧୀଙ୍କ ଶହେ ପଚାଶତମ ଜନ୍ମୋତ୍ସବକୁ ପାଳନ କଲାବେଳେ ଆମେ ସମସ୍ତେ ପରା ଦଳମତ ନିର୍ବିଶେଷରେ ଗାନ୍ଧୀ ବିଚାରର କଥା କହୁଛେ! ସମସ୍ତଙ୍କ ସହିତ, ସମସ୍ତଙ୍କ ହିତ ଏବଂ ସଭିଙ୍କ ବିଶ୍ବାସକୁ ଗୁରୁତ୍ବ ଦେଉଛେ! ତେବେ କଥା ଅନୁରୂପ କାର୍ଯ୍ୟ ହେଉନାହିଁ କାହିଁକି? କହିରଖେ, ଶୃଙ୍ଖଳିତ ଏବଂ ସନ୍ଦୀପିତ ଗଣତନ୍ତ୍ର ହେଉଛି ପୃଥିବୀରେ ସର୍ବୋତ୍ତମ ବ୍ୟବସ୍ଥା। ଆମର ପୁଣି ବୃହତ୍ତମ ଗଣତନ୍ତ୍ର ବୋଲି ଡିଣ୍ଡିମ ପିଟୁଛେ। ଗର୍ବ କରୁଛେ। ତେବେ କାହିଁକି ଆମେ ଗଣତାଣ୍ଡବ ଆଦର୍ଶ ଓ ବିଚାରକୁ ଭୁଲି ନୀତିହୀନ ରାଜନୀତିର ଖେଳରେ ମାତିଛେ। ମନେ ରଖିବାକୁ ହେବ, ଯେ ପର୍ଯ୍ୟନ୍ତ କ୍ଷମତାରେ ସମସ୍ତଙ୍କର ଭାଗ ନ ରହିଛି,ସେ ପର୍ଯ୍ୟନ୍ତ ଗଣତନ୍ତ୍ର ଏକାନ୍ତ ଅସମ୍ଭବ। ମାତ୍ର ସେହି ଗଣତନ୍ତ୍ର ଯେପରି ହାଟତନ୍ତ୍ରକୁ ସ୍ଖଳିତ ହୋଇ ନ ଆସେ! ସଂଖ୍ୟାଶକ୍ତିର ପ୍ରଭାବ ସାଙ୍ଗକୁ ସଭିଙ୍କ ସଖ୍ୟ ଲାଭ କରିବାର ଭାବରେ ହିଁ ଗଣତନ୍ତ୍ର ଆମର ଗରିମାମଣ୍ଡିତ ହେବ।

Comments are closed.