ଜୀ, ହଜୁରୀର ଗଣତନ୍ତ୍ର

 

ଗୋଧନେଶ୍ୱର ହୋତା

ମ ଦେଶ ବିଦେଶୀ ଶାସନରୁ ମୁକ୍ତି ପାଇବା ପାଇଁ ସଂଗ୍ରାମ କରୁଥିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ମୁଖ୍ୟତଃ ଏକ ରାଜନୈତିକ ସଂଗ୍ରାମ ଥିଲା। ଦେଶ ସ୍ୱାଧୀନ ହେଲେ ସମସ୍ତେ ମନୁଷ୍ୟର ସମ୍ମାନ ପାଇବେ, ସମସ୍ତଙ୍କ ପାଇଁ ସମାନ ଅଧିକାର, ସମାନ ସୁବିଧା ସୁଯୋଗ ପାଇବେ, ଏ ଦେଶରୁ ଅଶିକ୍ଷା, ଦାରିଦ୍ର୍ୟ, କୁପୋଷଣ ଦୂର ହେବ ଇତ୍ୟାଦି ଲକ୍ଷ୍ୟ ସ୍ୱାଧୀନତା ସଂଗ୍ରାମୀ ରଖିଥିଲେ। ଜନସମର୍ଥନ ପାଇଁ ସତ୍ୟାଗ୍ରହ ଓ ପଦଯାତ୍ରା କରୁଥିଲେ, ଗୋରା ସରକାରକୁ ବିରୋଧ କରି ଜେଲ୍‍ ଯାଉଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶକୁ ସ୍ୱାଧୀନ କରିଦେଇ ସେମାନେ ନିଜନିଜ କର୍ମଭୂମିକୁ ଫେରିଯିବେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଳକ ଜଣେ ଶିକ୍ଷକ ଥିଲେ। ତାଙ୍କୁ ଥରେ ପଚରାଗଲା ସ୍ୱାଧୀନତା ପରେ ଆପଣ କ’ଣ କରିବେ। ସେ କହିଥିଲେ ମୁଁ ମୂଳତଃ ଜଣେ ଗଣିତ ଶିକ୍ଷକ, ସ୍ୱାଧୀନତା ପରେ ଯାଇ ପିଲାଙ୍କୁ ଗଣିତ ପଢ଼ାଇବି। ବିଡ଼ମ୍ବନା ଦେଶ ସ୍ୱାଧୀନ ହେଲା ପରେ ଦୃଶ୍ୟପଟ ସମ୍ପୂର୍ଣ୍ଣ ରୂପେ ଓଲଟା ହେଲା। ରାଜନୀତି ମୂଳତଃ ଆପଣା ସ୍ୱାର୍ଥର ସିଦ୍ଧିକୁ ବୁଝାଇଲା। ସତ୍ତା ପାଇଁ ସତ୍ୟାଗ୍ରହ ଓ ପଦ ପାଇଁ ପଦଯାତ୍ରା ଯୁଗର ଆରମ୍ଭ ହେଲା।
ସ୍ୱାଧୀନତା ପରେ ସମ୍ବିଧାନ ପ୍ରଣୟନ ସଭା (ସଂସଦର ପୂର୍ବ ସଭା) ସମ୍ମୁଖରେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଦେଶରେ କେଉଁ ପ୍ରକାରର ରାଜନୈତିକ ଶାସନ ବ୍ୟବସ୍ଥା ଗ୍ରହଣ କରାଯିବ। ସମ୍ବିଧାନ ପ୍ରଣୟନ ସଭାରେ ଅଧିକାଂଶ ସଦସ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ସ୍ୱାଧୀନତା ମିଳିଥିବାରୁ ସେମାନଙ୍କ ମନରେ ଆବେଗ ଥିଲା। ସେମାନେ ବିଚାରିଲେ ଆମେ ଯଦି ଦେଶର ଶାସନ ଭାର ଦେଶବାସୀଙ୍କ ହାତରେ ଟେକିଦେବା ତେବେ ପ୍ରତ୍ୟେକଟି ନାଗରିକ ଭାବିବେ ଯେ ଏ ଦେଶ ମୋର, ଏ ସରକାର ମୋର, ଏ ପ୍ରଶାସନ ମୋର। କେବଳ ସେହି କାରଣରୁ ସେମାନେ ସ୍ଥିର କଲେ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଲାଗୁ କରିବାକୁ। ସମସ୍ତଙ୍କ ସହଯୋଗରେ ଦେଶ ବିକାଶର ପଥ ଧରିଲା ସତ, କିନ୍ତୁ ଧୀରେଧୀରେ ପ୍ରତିଟି କ୍ଷେତ୍ରରେ ମାନବୀୟ ମୂଲ୍ୟବୋଧ ଓ ନୈତିକତାର ଅଧଃପତନ ମଧ୍ୟ ଅନୁଭୂତ ହେଲା।
ଦେଶରେ ଆଇନର ଶାସନ ପ୍ରତିଷ୍ଠା ହେବ ବୋଲି ସଂସଦ/ରାଜ୍ୟ ବିଧାନମଣ୍ଡଳକୁ ବିଧାନ ପ୍ରଣୟନ କରିବାର ଦାୟିତ୍ୱ ଦିଆଗଲା। ସମ୍ବିଧାନର ବ୍ୟବସ୍ଥା ମତେ ଏହି ଦୁଇଟି ସଭାର ସଦସ୍ୟଙ୍କ କର୍ତ୍ତବ୍ୟ ହେଲା, ସଭାରେ ଉପସ୍ଥାପିତ ବିଧେୟକଟିକୁ ପଢ଼ିବେ। ତହିଁରେ ଥିବା ପ୍ରସ୍ତାବିତ ଆଇନର କି ପ୍ରକାରର ପ୍ରଭାବ ସମାଜ ଉପରେ ପଡ଼ିପାରେ ତାହା ପରୀକ୍ଷାନିରୀକ୍ଷା କରିବେ ଓ ବିଧେୟକଟି ଉପରେ ବିଚାରବିମର୍ଶ ଓ ଆଲୋଚନା କରିବେ, କିନ୍ତୁ ପ୍ରାୟତଃ ଦେଖାଯାଉଛି ଯାହା ଯେପରି ହେବା କଥା ତାହା ହେଉନାହିଁ। ଏହାର କାରଣ ଖୋଜିଲେ ଯାହା ଦେଖାଯାଉଛି କେତେବେଳେ ସେମାନଙ୍କୁ କହିବାକୁ ସୁଯୋଗ ମିଳୁନାହିଁ ତ କେତେବେଳେ ଏପରିକି ବିଧେୟକଟିର ନକଲଟିଏ ସଦସ୍ୟମାନଙ୍କୁ ଯୋଗାଇ ଦିଆଯାଉନାହିଁ। ପୁଣି କେତେବେଳେ ସଦସ୍ୟମାନେ ଆଲୋଚନାରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।
ସମ୍ବିଧାନରେ କାର୍ଯ୍ୟପାଳିକାର ରୂପରେଖ ଓ କର୍ତ୍ତବ୍ୟ କ’ଣ ହେବ ସେ ବିଷୟରେ ଯେତେବେଳେ ସମ୍ବିଧାନ ପ୍ରଣୟନ ସଭାରେ ବିଚାରବିମର୍ଶ ହେଉଥିଲା, ସେତେବେଳେ ଅଧିକାଂଶ ସଦସ୍ୟଙ୍କ ମତ ଥିଲା କାର୍ଯ୍ୟପାଳିକାକୁ ରାଜନୈତିକ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରୁ ଅଲଗା ରଖିବା ପାଇଁ। ଫଳତଃ ଅମଲାତନ୍ତ୍ର ତାହାର କର୍ତ୍ତବ୍ୟ ସମ୍ପାଦନ ଆଇନର ବ୍ୟବସ୍ଥା ମତେ କରିପାରିବେ ଓ କୌଣସି ପ୍ରକାରର ରାଜନୈତିକ ହସ୍ତକ୍ଷେପରୁ, ନ୍ୟାୟପାଳିକା ପରି ମୁକ୍ତ ହେବ। ଅମଲାତନ୍ତ୍ରର ସଦସ୍ୟମାନଙ୍କ ନିଯୁକ୍ତି ଅଥବା ବହିଷ୍କାରର କ୍ଷମତା ରାଜନୈତିକ ପ୍ରଶାସନକୁ ନ ଦେବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ସମ୍ବିଧାନର ଅନୁଚ୍ଛେଦ ୩୦୯ ଓ ୩୧୧ରେ ସେ ବିଷୟ ପ୍ରତି ଦୃଷ୍ଟି ଦିଆଯାଇ ବ୍ୟବସ୍ଥା ମଧ୍ୟ ରହିଛି, କିନ୍ତୁ ବାସ୍ତବରେ ହେଉଛି କ’ଣ ? ପଚାଶ ଦଶକଠାରୁ ଆଜିଯାଏ ଜାତୀୟ ସ୍ତରରେ ଯେଉଁ କେତୋଟି ମହାଦୁର୍ନୀତିର ଅଭିଯୋଗ ଲୋକଲୋଚନକୁ ଆସିଛି, ବିଡ଼ମ୍ବନାର ବିଷୟ ଏହି ପ୍ରତ୍ୟେକଟି ମହାଦୁର୍ନୀତିରେ ଅମଲାତନ୍ତ୍ରର ଅତିକମ୍‍ରେ ଜଣେ କି ଦି’ ଜଣ ଅଧିକାରୀ ଜଡ଼ିତ ଥିବାର ଅଭିଯୋଗ ହୋଇଛି। କୁହାଯାଏ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ପାଞ୍ଚସେଣାରେ ପାଣିଯାଏ। ସୁତରାଂ ଅମଲାତନ୍ତ୍ରର ବିନା ଜ୍ଞାତସାରରେ ଓ ସମ୍ମତି ବିନା (ମୌନ ସମ୍ମତି ମଧ୍ୟ ହୋଇପାରେ) କୌଣସି ମହାଦୁର୍ନୀତି ହୋଇପାରିବନି। ଏହାର ସମ୍ଭାବ୍ୟ କାରଣ ହୁଏତ ହୋଇପାରେ କିଛି ଅଧିକାରୀ ଆଇନ ଅପେକ୍ଷା ସେମାନଙ୍କ ରାଜନୈତିକ ଉଚ୍ଚ କର୍ତ୍ତୃପକ୍ଷ କ’ଣ ଚାହୁଁଛନ୍ତି ତାହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅପରପକ୍ଷେ ନିର୍ବାଚିତ ସରକାରଙ୍କ କେତେକ ଲୋକହିତକର କାର୍ଯ୍ୟକ୍ରମ, ଅମଲାତାନ୍ତ୍ରିକ ଅସହଯୋଗିତା ଯୋଗୁଁ କାର୍ଯ୍ୟକାରୀ ହୋଇପାରୁନଥିବା କଥା ମଧ୍ୟ ବେଳେବେଳେ ଚର୍ଚ୍ଚା ହେଉଛି।
ଦେଶରେ ନ୍ୟାୟପାଳିକା ଅଛି, କିନ୍ତୁ କୌଣସି ନା କୌଣସି କାରଣରୁ ସବୁ ମଣିଷକୁ ନ୍ୟାୟର ଭରସା ମିଳୁନାହିଁ। ନ୍ୟାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ଯୋଗୁଁ ନ୍ୟାୟ ପାଇଁ ନ୍ୟାୟାଳୟରେ ଗୁହାରି କରିଥିବା ସାଧାରଣ ଲୋକଟିଏ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଛି। ମୂଳ ନ୍ୟାୟାଳୟରେ ମାମଲା ଦାଏର, ରିଭ୍ୟୁ, ଅପିଲ, ରିଭିଜନ, ରହିତାଦେଶ, ରିଟ, ଏସ୍‍ଏଲ୍‍ପି, କ୍ୟୁରେଟିଭ୍‍ ପିଟିସନ ଆଦି ପରି ଏତେଗୁଡ଼ିଏ ଫୋରମ, ସ୍ତର ଓ ପ୍ରତିଟି କ୍ଷେତ୍ରରେ ଜଟିଳ ଆଇନଗତ ପ୍ରକ୍ରିୟା ମଧ୍ୟ ଦେଇ ଗତିକରି ପରିଶେଷରେ ସମ୍ପୂର୍ଣ୍ଣ ନ୍ୟାୟ ପାଇଲା ବେଳକୁ ଅଧିକାଂଶ କ୍ଷେତ୍ରରେ ଦଶବର୍ଷ। ତା’ ବାହାରେ ରାଷ୍ଟ୍ରପତି/ରାଜ୍ୟପାଳଙ୍କ ସମକ୍ଷରେ କ୍ଷମା ଆବେଦନ। ନିର୍ଭୟା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲିବାକୁ ଲାଗିଲା ସାତବର୍ଷ, ଯାହାର ଖୋଲାଖୋଲି ସମାଲୋଚନା ହେଲା। ହାଇଦ୍ରାବାଦର ଡାକ୍ତରାଣୀ ଗଣଧର୍ଷଣ ମାମଲାରେ ଅଭିଯୁକ୍ତ ସାତଦିନ ମଧ୍ୟରେ ଦଣ୍ଡ ପାଇଲେ। ତାହାକୁ ନେଇ ମଧ୍ୟ ଏ ଦେଶରେ ଚାପା ସମାଲୋଚନା ହେଲା। ମନେହୁଏ ଏ ଦେଶରେ ଆଇନ ଓ ନ୍ୟାୟ ବ୍ୟବସ୍ଥା, ଅଭିଯୁକ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯେତିକି ତତ୍ପର ଓ ସୁଶୃଙ୍ଖଳ, ପୀଡ଼ିତ /ପୀଡ଼ିତାଙ୍କ ମାନସିକ ଯନ୍ତ୍ରଣାକୁ ଅନୁଭବ କରି ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାରେ ସେତିକି ଉଦାସୀନ।
ସମ୍ବିଧାନ ସ୍ୱୀକୃତ ନ ହେଲେ ମଧ୍ୟ ଗଣମାଧ୍ୟମକୁ ଗଣତନ୍ତ୍ରର ଏକ ସ୍ତମ୍ଭ ରୂପେ ଜନସାଧାରଣ ସ୍ୱୀକୃତି ଦିଅନ୍ତି। ଲୋକଙ୍କ ସୁଖଦୁଃଖ ସରକାରଙ୍କ ନିକଟରେ ପହଞ୍ଚାଇବା ତଥା ସରକାର ଓ ପ୍ରଶାସନର କାର୍ଯ୍ୟ ଜନସାଧାରଣଙ୍କ ସମକ୍ଷରେ ପରିବେଷଣ କରିବାରେ ଗଣମାଧ୍ୟମ, ସ୍ୱାଧୀନତା ସଂଗ୍ରାମ ବେଳରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିଛନ୍ତି। ଲୋକମତ (ଗଣତନ୍ତ୍ରର ଆଧାରଶିଳା) ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକାର ପଟାନ୍ତର ନାହିଁ। ଶୁଣିବାକୁ ମିଳେ ସ୍ୱାଧୀନତା ସଂଗ୍ରାମବେଳେ ସାମ୍ବାଦିକମାନଙ୍କ ପାରିଶ୍ରମିକ ଥିଲା ଦୁଇବେଳା ମୁଠାଏ ଲେଖାଏଁ ଖାଦ୍ୟ ଓ ଦରକାର ପଡ଼ିଲେ ଗୋରା ସରକାରଙ୍କ ଦ୍ୱାରା ଜେଲ୍‍ ଦଣ୍ଡ। ତଥାପି ଦେଶ ଉଦ୍ଦେଶ୍ୟରେ ଲୋକେ ସାମ୍ବାଦିକ ଭାବେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଉଥିଲେ। ତେବେ ପରିସ୍ଥିତି ବଦଳିଗଲାଣି ଓ ସେ ସ୍ଥିତି ଆଜି ଆଉ ନାହିଁ।
ଗଣତନ୍ତ୍ରରେ ସବୁଠାରୁ ଉଲ୍ଲେଖନୀୟ ଭୂମିକା ଓ ଦାୟିତ୍ୱ ନାଗରିକମାନଙ୍କର। ବିଡ଼ମ୍ବନା, ଆଜି ଜୀ ହଜୁରୀର ଗଣତାନ୍ତ୍ରିକ ଜୀବନ ଆମର। ଆମ ଦେଶକୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ବୋଲି କୁହାଯାଉଛି। ତଥାପି କେଉଁଠି କିଛି ଭୁଲ୍‍ ରହିଛି, କିଛି ବିଗିଡ଼ି ଯାଇଛି ଓ କିଛି ଅଭାବ ରହିଛି। ଏହି ଅଭାବ ଯୋଗୁଁ ଦେଶରେ ପାରସ୍ପରିକ ଭ୍ରାତୃଭାବ ଓ ଜାତୀୟ ଜୀବନର ମୂଳଦୁଆର ଦୋଦୁଲ୍ୟମାନ ଅବସ୍ଥା। ସମୃଦ୍ଧିର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ। ଧନୀ ଆହୁରି ଧନୀ ଓ ଗରିବ ଆହୁରି ଗରିବ ତଥା ଅସହାୟ ଆହୁରି ଅସହାୟ ହେଉଛନ୍ତି। ଏ ଦେଶ ଅଳ୍ପକିଛି ଭାଗ୍ୟବାନ ଓ ଅଧିକାଂଶ ଭାଗ୍ୟହୀନଙ୍କର ହେବାକୁ ବସିଲାଣି। ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ସୁଫଳକୁ କିଛି ଅଟକାଇ ରଖୁଛନ୍ତି।
କଥାରେ କୁହନ୍ତି ଯେତେବେଳେ ଜଣେ ମଣିଷର ନିଜ ପ୍ରତି ବିଶ୍ୱାସ କମିଯାଏ, ସେତେବେଳେ ସେ ଅନ୍ୟମାନଙ୍କୁ ଦୋଷ ଦେବା ଆରମ୍ଭ କରେ ଓ ତାହା ଯାହା ଆଜିକାଲି ନିତିଦିନ ଘଟୁଛି। ପ୍ରକୃତରେ ଧୂଳି ଆମ ମୁହଁରେ, କିନ୍ତୁ ଆମେ ଆଇନା ସଫା କରି ଚାଲିଛେ। ସମାଜର ପ୍ରତିଟି କ୍ଷେତ୍ରରେ ନୈତିକତାର ଅଧୋଗତି ସହିତ ମର୍ଯ୍ୟାଦାର ଉଲ୍ଲଙ୍ଘନ ହୋଇଛି। ପ୍ରତିଟି କ୍ଷେତ୍ରରେ ସର୍ବଦା ପକ୍ଷପାତ ନୀତି ଅବଲମ୍ବନ କରି ନିଜକୁ ଠିକ୍‍ ଓ ଅନ୍ୟମାନେ ଭୁଲ୍‍ ବୋଲି ପ୍ରମାଣିତ କରିବାକୁ ପ୍ରତିଯୋଗିତା ଚାଲିଛି। ସଭ୍ୟତାର ଗାଥା ବଖାଣୁଥିବା ମଣିଷ କ୍ରମଶଃ ଅସଭ୍ୟତାକୁ ଅଧିକ ପାରିବା ପଣ ମନେକରୁଛି। ଗଣତାନ୍ତ୍ରିକ ସରକାରର ସଂଜ୍ଞା ‘ଲୋକମାନଙ୍କ ପାଇଁ, ଲୋକମାନଙ୍କର ଓ ଲୋକମାନଙ୍କ ଦ୍ୱାରା’ ବଦଳରେ ସଂପ୍ରତି ତାହା ‘ଅଳ୍ପ କେତେକଙ୍କ ପାଇଁ, ଅଳ୍ପ କେତେକଙ୍କର ଓ ଅଳ୍ପ କେତେକଙ୍କ ଦ୍ୱାରା’ ହେବାକୁ ବସିଲାଣି। ଦେଶରେ ଗଣତନ୍ତ୍ରର ରକ୍ଷା ଓ ସୁଶାସନ ମୂଳତଃ ଆମ ପରି ସାଧାରଣ ଜନତାଙ୍କ ଦାୟିତ୍ୱ। ଅନେକ ଅଭାବ ଅସୁବିଧା ସତ୍ତ୍ବେ, ବ୍ୟକ୍ତି ସ୍ୱାଧୀନତା ଓ ସାମାଜିକ ବିକାଶ ନିମନ୍ତେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଏକ ଶ୍ରେୟସ୍କର ପନ୍ଥା ରୂପେ ଗୃହୀତ ହୋଇଆସିଛି। ସମୟାନୁସାରେ ଏଥିରେ ଦେଖାଦେଇଥିବା ଦୋଷତ୍ରୁଟିକୁ ସୁଧାରିବା ଦାୟିତ୍ୱ ଆମ ସମସ୍ତଙ୍କର। ଆସନ୍ତୁ ଆମେ ସମସ୍ତେ ମିଶି ଆମ ଦେଶର ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ଆହୁରି ଉନ୍ନତ ତଥା ଲୋକାଭିମୁଖୀ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବା।

Comments
Loading...