ବେଳାଭୂମି ସମ୍ମୁଖ ରାସ୍ତାରେ ନିର୍ମାଣ ହେବାକୁ ଥିବା ଶୌଚାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ଦାବି

ଗୋପାଳପୁର : ଗୋପାଳପୁର ବେଳାଭୂମିକୁ ଅଧିକ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟ କରିବା ପାଇଁ ସ୍ବଦେଶ ଦର୍ଶନ ଯୋଜନାରେ ବହୁବିଧ କାର୍ଯ୍ୟ ଚାଲୁରହିଛି। ଏହା ସହ ଜାନୁଆରୀ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ସମସ୍ତ ଉନ୍ନତିକରଣ କାର୍ଯ୍ୟ ସରିବା ସହ ଏହା ପର୍ଯ୍ୟଟକଙ୍କ ବ୍ୟବହାର ନିମନ୍ତେ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ସ୍ବଦେଶ ଦର୍ଶନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କାର୍ୟ୍ୟକୁ ବ୍ରହ୍ମପୁର ଉନ୍ନୟନ ନିଗମ ସଂସ୍ଥା ପକ୍ଷରୁ କରାଯାଉଥିବା ବେଳେ ବେଳାଭୂମି ସନ୍ନିକଟ ପୁରୁଣା ଏନ୍ଏସି କାର୍ଯ୍ୟାଳୟ ନିକଟରେ ଏକ ନୂତନ ଶୌଚାଳୟ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଛି। କିନ୍ତୁ ଏହି ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ମାନଙ୍କ ପକ୍ଷରୁ ବିରୋଧ କରାଯିବା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ବିଡ଼ିଏଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଅଧିବାସୀ ପଞ୍ଚୁ ବେହେରା, ଲିଙ୍ଗରାଜ ପଣ୍ଡା,ଅଶୋକ କୁମାର ବେହେରା,ଟୁନା ବେହେରା, ରଘୁନାଥ ବେହେରା ଙ୍କ ଅଭିଯୋଗ ଅନୁଯାୟୀ ଗୋପାଳପୁରରେ ତିନୋଟି ସ୍ଥାନରେ ଶୌଚାଳୟ ରହିଥିବା ସତ୍ତ୍ବେ ଅଧିକାଂଶ ସମୟରେ ତିନୋଟି ଯାକ ଶୌଚାଳୟ ଅକାମୀ ହୋଇ ପଡିରହିଥାଏ,ବିଶେଷ କରି ବାହାର ରୋଡ଼ ତଥା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ହତା ନିକଟରେ ନିର୍ମିତ ହୋଇଥିବା ଶୌଚାଳୟଟି ନିର୍ମାଣ ପରଠାରୁ ବ୍ୟବହାର ନ ହେବାରୁ ଏବେ ତାହା ଜରାଜିର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି। ଏଥି ସହ ପୁରୁଣା ବସଷ୍ଟାଣ୍ଡ ରାସ୍ତା କଡ଼ରେ ଥିବା ଆଉ ଏକ ଶୌଚାଳୟଟି ମଧ୍ୟ ଅନେକ ସମୟରେ ଅଚଳ ହେବା ଯୋଗୁଁ ଲୋକଙ୍କ ବ୍ୟବହାରରେ ଲାଗିପାରୁନାହିଁ। ବେକ ୱାଟର କଡ ତଥା ପାର୍କ ନିକଟରେ ଥିବା ଓଟିଡିସି ପକ୍ଷରୁ ନିର୍ମିତ ହୋଇଥିବା ଶୌଚାଳୟର ଦୂଷିତ ଜଳ ନିଷ୍କାସନ ନିମନ୍ତେ ଉପଯୁକ୍ତ ନାଳର ବ୍ୟବସ୍ଥା ନଥିବାରୁ ତାହା ମଧ୍ୟ ଅନେକ ସମୟରେ ବନ୍ଦ ପଡ଼ିରହୁଛି। ଏଣୁ ପୂର୍ବରୁ ରହିଥିବା ତିନୋଟି ଶୌଚାଳୟର ଉନ୍ନତି କରଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି ଜଣାଯାଇଛି। ଏହା ସହ ବିଡ଼ିଏ ପକ୍ଷରୁ ପୁରୁଣା ଏନ୍ଏସି କାର୍ଯ୍ୟାଳୟ ସ୍ଥାନଟି ବେଳାଭୂମିର ମୁଖ୍ୟ ଅଞ୍ଚଳ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ସେହି ସ୍ଥାନରେ ଜମିଥାଏ। ଏଣୁ ସେହି ସ୍ଥାନରେ ଶୌଚାଳୟ ନିର୍ମାଣ ହେଲେ ଉକ୍ତ ପରିବେଶ ପ୍ରଦୂଷିତ ହେବା ସହ ଶୌଚାଳୟ ବ୍ୟବହାର କରୁଥିବା ଲୋକଙ୍କ ଗୋପନୀୟତା ରକ୍ଷା ହେବା ଅସମ୍ଭବ ବୋଲି ଉଲ୍ଲେଖ କରାଯାଇଛି। ଏଣୁ ଉକ୍ତ ସ୍ଥାନରେ ଶୌଚାଳୟ ନିର୍ମାଣ ପରିବର୍ତ୍ତେ ଆକ୍ବରିଅମ,ଜଳ ସଂଗ୍ରାହଳୟ, ରେଷ୍ଟୁରାଣ୍ଟ କିମ୍ବା ପର୍ୟ୍ୟଟକ ହେଲ୍ପ ଡେସ୍କ ସ୍ଥାପନ କରିବାକୁ ଦାବି ଉପସ୍ଥାପନ କରାଯାଇଛି। ବର୍ତମାନ ପ୍ରଶାସନ ପକ୍ଷରୁ ବେଳାଭୂମି ଠାରୁ ୧ କିମି ଦୂର ବସଷ୍ଟାଣ୍ଡ ଓ ବେକ ୱାଟର ଛକ ଠାରେ ଗାଡି ପାର୍କିଂ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଯୋଗୁଁ ପର୍ଯ୍ୟଟକ ମାନେ ସେହି ସ୍ଥାନରେ ନିଜର ଗାଡି ପାର୍କିଂ କରି ବେଳାଭୂମି ବୁଲିବାକୁ ଆସିବେ, ଏଣୁ ବେକ ୱାଟର ଓ ବସଷ୍ଟାଣ୍ଡ ଠାରେ ପୂର୍ବରୁ ଥିବା ଶୌଚାଳୟର ଉନ୍ନତିକରଣ କରାଯିବାକୁ ଦାବି କରାଯିବା ସହ ପ୍ରଶାସନ ପକ୍ଷରୁ ଏହା ନେଇ ଆଲୋଚନା କରିବା ପର୍ଯ୍ୟନ୍ତ ଶୌଚାଳୟ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଦାବି ଜଣାଯାଇଛି। ସୂଚନାଯୋଗ୍ୟ ଯେ, ବିଡ଼ିଏ ପକ୍ଷରୁ ଗତ ୨ ବର୍ଷ ତଳେ ହୋଟେଲ କଳିଙ୍ଗ କଡ଼ରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା, କିନ୍ତୁ ସାମୁଦ୍ରିକ ଜୁଆର ପ୍ରଭାବରେ ଅର୍ଦ୍ଧନିର୍ମିତ ଶୌଚାଳୟଟି ଭାଙ୍ଗିଯିବା ଯୋଗୁଁ  ପ୍ରାୟ ୧୫ ଲକ୍ଷ ଟଙ୍କା ପାଣିରେ ପଡ଼ିଥିଲା। ପ୍ରାୟ ୩୫ ଲକ୍ଷ ଟଙ୍କା ବିନିଯୋଗରେ ଶୌଚାଳୟ ନିର୍ମାଣ ନିମନ୍ତେ ଯୋଜନା ରହିଥିବାରୁ ବିଡ଼ିଏ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୁଣା ଏନ୍ଏସି କାର୍ଯ୍ୟଳୟକୁ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରି ସେହି ସ୍ଥାନରେ ଶୌଚାଳୟ ନିର୍ମାଣ ନିମନ୍ତେ ସ୍ଥିର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି।

Comments are closed.