ଗନ୍ଧମାର୍ଦ୍ଦନର ବିକାଶ ସହିତ ରୋଜଗାର ସୃଷ୍ଟି ଦାବି

ସମ୍ବଲପୁର : ଗନ୍ଧମାର୍ଦ୍ଦନର ବିକାଶ ସହିତ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବା ପାଇଁ ଦାବି କରିଛି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ। ଏ ସର୍ମ୍ପକରେ ସମ୍ବଲପୁରର ଭିଏସଏସ ମାର୍ଗ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା କହିଛନ୍ତି ଯେ ପଶ୍ଚିମ ଓଡିଶାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ଶ୍ରେଣୀ ଓ ବିଶେଷ ଭାବରେ ନୃସିଂହନାଥ ଏବଂ ହରିଶଙ୍କର ଅଞ୍ଚଳ ଇକୋ ଟୁରିଜମ ସହିତ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ କେବଳ ରାଜ୍ୟରେ ନୁହେଁ ବରଂ ଛତିଶଗଡ ଓ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। ଯଦିଓ ଏହି ଅଞ୍ଚଳକୁ ଅନେକ ଦିନ ପର୍ଯ୍ୟନ୍ତ ସଠିକ ଗମନାଗମନର ସୁବିଧା ନ ଥିବା ସତ୍ୱେ ଏକ ସରକାରୀ ଅଧ୍ୟୟନ ଅନୁଯାୟୀ ବିଦେଶୀ ପର୍ଯ୍ୟଟକ ମାନଙ୍କ ସମେତ ପ୍ରତି ବର୍ଷ ସାରା ଭାରତରୁ ପ୍ରାୟ ୫ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ୧୯୫୩ ମସିହାରେ ବୋଟାନିକାଲ ସର୍ଭେ ଅଫ ଇଣ୍ଡିଆ ଏବଂ ଜାମ୍ମୁ କାଶ୍ମୀର ବିଭାଗୀୟ ମୁଖ୍ୟ ଡା. ଗୋପିନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ଅନୁସନ୍ଧାନ ଅନୁଯାୟୀ ଗନ୍ଧମାର୍ଦ୍ଦନ ପର୍ବତ ଶ୍ରେଣୀରେ ପ୍ରାୟ ୨୧ ବର୍ଗ କିଲୋମିଟର ଅଞ୍ଚଳରେ ସମ୍ପୁର୍ଣ୍ଣ ନୈସର୍ଗିକ ଶୋଭା ମଧ୍ୟରେ ଅନେକ ଔଷଧୀୟ ବୃକ୍ଷ ସମୁହର ଏକ ତାଲିକା ପ୍ରଦାନ ରହିଛି। ଏହି ତଥ୍ୟ ସବୁ କେବଳ ପର୍ବତ ଶ୍ରେଣୀର ୧୦ ପ୍ରତିଶତ ଅଞ୍ଚଳର ସର୍ଭେ ରିପୋର୍ଟ ହୋଇଥିବା ବେଳେ ସେହି ତଥ ଅନୁଯାୟୀ ୨୨୫ଟି ଔଷଧିୟ ବୃକ୍ଷ ଏବଂ ୨୫୦୦ ରୁ ଉର୍ଦ୍ଧ ଗୁଳ୍ମ ସମୁହ ରହିଛି। ଏପରି ବିରଳ ଔଷଧିୟ ବୃକ୍ଷ ଓ ଗୁଳ୍ମ ସମୁହ ପ୍ରାପ୍ତ ହେଉଥିବା ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ଆର୍ୟୁବେଦ ଗବେଷଣା କେନ୍ଦ୍ର ଓ ଚିକିତ୍ସାଳୟ ପ୍ରତିଷ୍ଠା କରାଗଲେ ଏହା ସମଗ୍ର ଦେଶ ଓ ବିଶ୍ୱରେ ଆଦୃତ ଲାଭ କରିବା ସହିତ ସମଗ୍ର ମାନବ ଜାତିର କଲ୍ୟାଣ ହେବ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ହଜାର ହଜାର ରୋଜଗାର ସୃଷ୍ଟି ହେବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ଏହି ଅଞ୍ଚଳରେ ଅତ୍ୟାଧୁନିକ ସୁବିଧା ସହିତ ଉନ୍ନତମାନର ଅତିଥି ସେବା ଗୃହ ଏବଂ ଭୋଜନାଳୟ ସ୍ଥାପନ କରାଯାଏ, ତାହା ହେଲେ ଏହି ଅଞ୍ଚଳର ଗ୍ରୀଷ୍ମ କାଳୀନ ସୌନ୍ଦର୍ଯ୍ୟ ଓ ଥଣ୍ଡା ବାତାବାରଣ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏକ ଆକଳନରୁ ଜଣାପଡିଛି ଯେ ପର୍ବତର ଉଭୟ ପାଶ୍ୱର୍ରେ ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ରୋଜଗାର ସୃଷ୍ଟି କରାଯାଇ ପାରିବ। ବିଶ୍ୱସ୍ତରୀୟ ଆର୍ୟୁବେଦ ଗବେଷଣା ଓ ଚିକିତ୍ସାଳୟ ପ୍ରତିଷ୍ଠା କଲେ ଏଥିରୁ ରାଜ୍ୟ ସରକାର ପ୍ରଚୁର ରାଜସ୍ୱ ମଧ୍ୟ ପାଇ ପାରିବେ ଏବଂ ଓଡିଶାରୁ ପ୍ରଶିକ୍ଷିତ ଶତାଧିକ ଆର୍ୟୁବେଦ ଚିକିତ୍ସକ ଓ ସେବାକାରୀଙ୍କୁ ରୋଜଗାର ମିଳିପାରିବ। ଯେହେତୁ, ଭୁବନେଶ୍ୱର – ପୁରୀ – କୋଣାର୍କ ସ୍ୱର୍ଣ୍ଣ ତ୍ରିଭୂଜର ପର୍ଯ୍ୟଟନ ନିଜର ସର୍ବୋଚ୍ଚ ଉଚ୍ଚତା ପ୍ରାପ୍ତ କରି ସାରିଛି, ତେଣୁ ଏହି ସମୟରେ ଓଡିଶାରେ ନୂତନ ପର୍ଯ୍ୟଟନକୁ ଆମନ୍ତ୍ରଣ କରିବା ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରାଯାଇଛି ବୋଲି ପୂର୍ବତନ ସାଂସଦ ହୋତା କହିଛନ୍ତି। ସରକାର ଗନ୍ଧମାର୍ଦ୍ଦନ ପର୍ବତ ଶ୍ରେଣୀ ଏବଂ ହରିଶଙ୍କର – ନୃସିଂହନାଥ ରେ ପ୍ରାକୃତିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ (ଇକୋ – ସ୍ପିରିଚୁଆଲ ଟୁରିଜମ) ର ସାମଗ୍ରିକ ବିକାଶ ପାଇଁ ମାତ୍ର ୫ ଶହ କୋଟି ଟଙ୍କା ବିନିଯୋଗ କରନ୍ତି, ତାହା ହେଲେ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରହିବା ସହିତ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ସହିତ ଶିକ୍ଷିତ ଓ ଅଶିକ୍ଷିତ ଆଦିବାସୀଙ୍କ ପାଇଁ ଅନେକ ରୋଜଗାରର ବାଟ ଖୋଲି ଯିବ ଏବଂ ରାଜ୍ୟ ସରକାର ମଧ୍ୟ ପ୍ରଚୁର ପରିମାଣରେ ରାଜସ୍ୱ ହାସଲ କରିପାରିବେ। ଏଣୁ ରାଜ୍ୟ ସରକାର ତୁରନ୍ତ ବିଚାର କରି ବିହିତ ପଦକ୍ଷେପ ନେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସୋମବେଶ ଜୀ ମହାରାଜ, ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ ସରାଫ, ସୁଧିର ପଣ୍ଡା, ପରବେଜ ଅଲ୍ଲୀ ଖାନ, ୱକିଲ ଖାନ, ମହମ୍ମଦ ଅଜ୍ଜୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.