୪୧ ବର୍ଷର ଦାବିକୁ ଉପେକ୍ଷା

ବ୍ରାହ୍ମଣୀଗାଁ ବ୍ଳକ ଗଠନ ଦାବିରେ କମିଟି ଗଠନ, ଘୋଷଣାକୁ ଅନାଇ ବସିଛନ୍ତି ୮ ପଞ୍ଚାୟତବାସୀ

ଫୁଲବାଣୀ/ବ୍ରାହ୍ମଣୀଗାଁ: କେବେ ଘୋଷଣା ହେବ ବ୍ରାହ୍ମଣୀଗାଁ ବ୍ଳକ। ବ୍ରାହ୍ମଣୀଗାଁକୁ ବ୍ଳକ ଘୋଷଣା କରିବାକୁ ଗତ ୧୯୮୦ ମସିହାରୁ ଦାବି ହୋଇ ଆସୁଛି। ୪୧ ବର୍ଷ ବିତିଗଲାଣି। କେବଳ ପ୍ରତିଶ୍ରୁତି ମିଳୁଛି। ନିର୍ବାଚନ ସମୟରେ ଆଲୋଚନା ​‌ହେଉଛି, କିନ୍ତୁ ନିର୍ବାଚନ ପରେ ସଭିଏଁ ନିରବ।
ଦାରିଙ୍ଗବାଡ଼ି ବ୍ଳକ ହେଉଛି କନ୍ଧମାଳ ଜିଲାର ସବୁଠାରୁୂ ବଡ଼ ବ୍ଳକ। ଏହି ବ୍ଳକରେ ୨୫ଟି ପଞ୍ଚାୟତ ରହିଛି। ବ୍ଳକ ସଦରମହକୁମାଠାରୁ ଅନେକ ଗ୍ରାମର ଦୂରତା ହେଉଛି ୮ କିଲୋମିଟର ଠାରୁ ଆରମ୍ଭ କରି ୮୦ କିଲୋମିଟର ପର୍ଯ୍ୟନ୍ତ। କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲା ସୀମାନ୍ତରେ ରହିଥିବା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ୮ଗୋଟି ପଞ୍ଚାୟତ ବ୍ରାହ୍ମଣୀଗାଁ, ସରାମୂଳୀ,ତାଜୁଙ୍ଗିଆ, ଗଦାପୁର, ହାତୀମୁଣ୍ଡା, ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ ଓ କାଟିଙ୍ଗିଆ ପଞ୍ଚାୟତର ଗ୍ରାମଗୁଡିକ ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରୁ ଢେର ଦୂରରେ। ପ୍ରତିଦିନ ତହସିଲ ହେଉ କି ବ୍ଲକ କାର୍ଯ୍ୟାଳୟର ଆବଶ୍ୟକତା ପାଇଁ ଏହି ସବୁ ପଞ୍ଚାୟତର ଲୋକେ ୪୦ କିମି ରୁ ୮୦ କିମି ଦୌଡୁଛନ୍ତି। ଯାତାୟତର ସୁବିଧା ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଗ୍ରାମ ଦୁର୍ଗମ କାରଣରୁ ସରକାରୀ ବାବୁଙ୍କ ପାଦ କେବେ ବି ପଡିନି। ବର୍ତ୍ତମାନର ଜିଲାପାଳଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପରିବର୍ତ୍ତନ କାର୍ଯ୍ୟକ୍ରମରେ ବ୍ଳକ ପ୍ରଶାସନ ଏହି ସବୁ ଦୁର୍ଗମ ଅଞ୍ଚଳରେ କେତେଦୂର ପହଞ୍ଚିବ ତାହା ସମୟ କହିବ। ଅଞ୍ଚଳର ବିକାଶ ପାଇଁ ବ୍ଲକ ଗଠନର ନିତାନ୍ତ ଆବଶ୍ୟକତା ରହିଥିବାରୁ ଗତ ୧୯୮୦ ମସିହାରୁ ବିଭିନ୍ନ ସମୟରେ ଦାବି ହୋଇଛି।
ବ୍ରାହ୍ମଣୀଗାଁକୁ ବ୍ଳକ ଘୋଷଣା କରିବାକୁ ଦାବି କରି ୮ ପଞ୍ଚାୟତର ନିର୍ବାଚିତ ସମସ୍ତ ପ୍ରତିନିଧି ବୁଦ୍ଧିଜିବୀଙ୍କୁ ନେଇ ଜାତି, ଧର୍ମ, ବର୍ଣ୍ଣ ଓ ରାଜନୈତିକ ଦଳ ନିର୍ବିଶେଷରେ ନୂତନ ବ୍ଲକ ଗଠନ ଅଭିଯାନ ପାଇଁ ଏକ କମିଟି ଗଠନ କରାଯାଇଛି। ଏହାର ସଭାପତି ବର୍ତ୍ତମାନ ଅଛନ୍ତି ବିକ୍ରମ ବସ୍ତିରାୟ। କମିଟିର ସଦସ୍ୟମାନେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କର ସମର୍ଥନ ଯୋଗାଡ କରୁଛନ୍ତି। ଏହି ସବୁ ପଞ୍ଚାୟତବାସିନ୍ଦା ଠିକସମୟରେ ବ୍ଲକ ଓ ତହସିଲ କାର୍ଯ୍ୟ ସାରି ନିଜ ଗ୍ରାମକୁ ଫେରି ପାରନ୍ତିନି। ବ୍ଲକ ଓ ତହସିଲ କାର୍ଯ୍ୟ ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ପୂର୍ବତନ ସରପଞ୍ଚ ଦିବ୍ୟସିଂହ ପାତ୍ର କହିଛନ୍ତି।
ସେହିଭଳି ହାତୀମୁଣ୍ଡା ,ସରାମୂଳୀ ,ତାଜୁଙ୍ଗିଅା, କାଟିଙ୍ଗିଆ, କୁମ୍ଭାରୀଗାଁ ପଞ୍ଚାୟତର ଅନେକ ଗ୍ରାମକ ବ୍ଲକ ମୁଖ୍ୟାଳୟଠାରୁ ୬୦ ରୁ ୮୦ କିମି ଦୂରରେ ରହିଛି। ଜରୁକାଳୀନ ପରିସ୍ଥିତିରେ କୌଣସି ସରକାରୀ କର୍ମଚାରୀ ଠିକ ସମୟରେ ପହଞ୍ଚି ପାରନ୍ତିନି। ପାଖରେ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ରହିଲେ ବିକାଶ ହୋଇପାରିବ ବୋଲି ସ୍ୱେଚ୍ଛାସେବୀ ବିକ୍ରମାଦିତ୍ୟ ବସ୍ତରାୟ ମତ ପ୍ରକାଶ କରିଛନ୍ତି। ଗମନାଗମନ ବ୍ୟବସ୍ଥା ନଥିବାରୁ କାମ ପାଇଁ ଗରିବ ଲୋକେ ଆର୍ଥିକ ଦଣ୍ଡ ଭୋଗୁଛନ୍ତି । ଏଣୁ ସରକାରୀ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ଅଞ୍ଚଳରେ ବ୍ଲକ କାର୍ଯ୍ୟାଳୟ ରହିବାର ନିତାନ୍ତ ଆବଶ୍ୟକତା ରହିଛି ବୋଲି ପୂର୍ବତନ ଜିଲା ପରିଷଦ ସଭ୍ୟ ଆରନ ନାୟକ କହିଛନ୍ତି। ଦୀର୍ଘ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ବ୍ରାହ୍ମଣୀଗାଁକୁ ବ୍ଳକ ଘୋଷଣା କରିବେ ବୋଲି ଲୋକେ ଆଶା ବାନ୍ଧିଥିଲେ। କିନ୍ତୁ ତାହା କେବଳ ସ୍ୱପ୍ନରେ ରହିଗଲା।
ଜିଲା ପ୍ରଶାସନ ପଂଚାୟତ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ବର୍ତ୍ତମାନ ୧୭୧ଟି ପଂଚାୟତ କରିଲେ କିନ୍ତୁ ବାସ୍ତବିକ ବ୍ରାହ୍ମଣୀଗାଁ ସମତେ ଅନ୍ୟ ସମସ୍ତ ୮ଟି ପଂଚାୟତର ସମସ୍ୟା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ ଆଜି ବ୍ରାହ୍ମଣୀଗାଁ ବ୍ଳକ ଭାବେ ଘୋଷଣା ହୋଇ ସାରିଥାନ୍ତା ବୋଲି ମଧ୍ୟ ଅନେକ ବୁଦ୍ଧିଜୀବି ଏଠାରେ ମତ ପ୍ରକାଶ କରିଛନ୍ତି।

Comments are closed.