ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦାବି 

ଗୁଣୁପୁର : ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦାବୀ ଜୋର ଧରିଲା । ଏକ ମାସ ପର୍ଯ୍ୟନ୍ତ ଏହି ଦାବୀ ନେଇ ଗୁଣୁପୁର ଠାରେ ନିରବ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ ବ୍ୟବସ୍ଥା କରାଯାଇଛି । ଆଜି ଦ୍ୱିତୀୟ ଦିନରେ ଗୁଣୁପୁର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ‘ନେରେଡି ହଟାଅ- ବଂଶଧାରା ବଞ୍ଚାଅ’ ନାରା ଦେଇ ଏକ ଶୋଭାଯାତ୍ରା ବାହାରି ଗୁଣୁପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ପ୍ରଦାନ କରାଯାଇଛି। ବଂଶଧାରା ଟ୍ରିବ୍ୟୁନାଲ ରାୟ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଥିବା ବେଳେ, ଓଡିଶା ସରକାର କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଯଦ୍ୱାରା ରାୟଗଡା ଓ ଗଜପତି ଜିଲ୍ଲାର ଅନେକ ନଦୀ କୁଳିଆ ଗ୍ରାମ ଆନ୍ଧ୍ରର ଏହି ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ପ୍ରେସ କ୍ଳବର ସଭାପତି ଦେବୀ ଚୌଧୁରୀ, ସମ୍ପାଦକ ରାଧାକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗୁଣୁପୁର ପ୍ରେସ କ୍ଲବର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Comments are closed.