ପୌର ପରିଷଦ ଘୋଷଣା ଦାବି : ୧୫ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା

ବୌଦ୍ଧ  : ବୌଦ୍ଧ ଜିଲାବସୀଙ୍କ ଦୀର୍ଘ ଦିନର ପ୍ରମୁଖ ଦାବୀ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦର ମାନ୍ୟତା ନେଇ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବାକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ରାଜ୍ୟ ସରକାର ପୌର ନିର୍ବାଚନ ନେଇ ପ୍ରସ୍ତୁତି ସହିତ ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ସହିତ ସଂରକ୍ଷଣ ତାଲିକା ପ୍ରକାଶ କରିସାରିଥିବାବେଳେ ବୌଦ୍ଧଜିଲାବାସୀଙ୍କ ଦାବି ସଂପର୍କରେ କୌଣସି ନିଷ୍ପତି ଘୋଷଣା କରିନାହାନ୍ତି । ବୌଦ୍ଧକୁ ପୌର ପରିଷଦର ମାନ୍ୟତା ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି। କିନ୍ତୁ ସରକାର ଏହି ଦାବିକୁ ଉପେକ୍ଷା କରି ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେଣୁ କଂଗ୍ରେ କମିଟି ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହ ବୁଧବାର ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଜିଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲାରେ ପ୍ରସ୍ତାବିତ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାବେଳେ ସରକାର ଏହି ଦାବିକୁ ଉପେକ୍ଷା କରିଚାଲିଛନ୍ତି । ତେଣୁ ଆସନ୍ତା ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିନରାତି ଧାରଣା ଦିଆଯିବାକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ଦାବିପତ୍ର ଜରିଆରେ ଜଣାଇ ଦିଆଯାଇଛି । ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ପ୍ରତାପ କୁମାର ପଣ୍ଡା, ତାରେଣି କୁମାର ଜେନା, ଅର୍ଜୁନ ମହାନନ୍ଦିଆ ଓ ପ୍ରଦିପ ଦାସ ପ୍ରମୁଖ ଉପସ୍ଥିିତ ଥିଲେ।

Comments are closed.