ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ରବି ଜଳ ସେଚନ ଯୋଗାଇବାକୁ ଦାବି

ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଅବରୋଧ ପାଇଁ ଚାଷୀଙ୍କ ଚେତାବନୀ

କଲମପୁର : ଚଳିତ ବର୍ଷ ମରାମତି କାର୍ଯ୍ୟ ପାଇଁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ସମ୍ପୁର୍ଣ୍ଣ ଜଳ ସେଚନ ବନ୍ଦ ନେଇ ଘୋଷଣା କରାଯାଇଥିବା ବେଳେ ବର୍ଷା ଅଭାବ କାରଣରୁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ଆଶାତୀତ ଭାବେ ହ୍ରାସ ହେଇଥିବାରୁ ରବି ଜଳ ସେଚନ ସମୟରେ ବାମ ମୁଖ୍ୟ କେନାଲର ମାତ୍ର ୧୫ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବା ନେଇ ବିଭାଗ ତରଫରୁ ଘୋଷଣା କରାଯାଇଛି । ଶନିବାର ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୧.୩୫ରେ ପହଞ୍ଚିଛି । କିନ୍ତୁ ବିଗତ ଦିନରେ ଏହି ଜଳସ୍ତର ଠାରୁ କମ୍ ଥିବା ବେଳେ ବାମ ମୁଖ୍ୟ କେନାଲର ୨୫ କିଲୋମିଟର ପର୍ଯ୍ୟନ୍ତ ଓ ଦକ୍ଷିଣ ମୁଖ୍ୟ କୋଲର ୨୦ କିଲୋମିଟର ପର୍ଯ୍ୟନ୍ତ ଜଳ ସେଚନ ଯୋଗାଇ ଦିଆଯାଇଥିଲା । ତେଣୁ ଚଳିତ ବର୍ଷ ଏହି ଜଳ ସେଚନକୁ ବାମ ମୁଖ୍ୟ କେନାଲର ୨୫ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ନେଇ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ ଅଧିନରେ ଥିବା ୧୩ ଗୋଟି ପାଣି ପଞ୍ଚାୟତର ଚାଷୀ ପ୍ରତିନିଧି ମାନେ ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ବାମ ମୁଖ୍ୟକେନାଲ ବିଭାଜନ ୨ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି । ଚାଷୀଙ୍କ ଏହି ଦାବୀ ପ୍ରତି ଗୁରୁତ୍ୱ ଦିଆନଗଲେ ଆଗାମୀ ୧୦ ତାରିଖ ଦିନ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାକୁ ଅବରୋଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Comments are closed.