ଜୋର ଧରିଲା ବଂଶଧାରା ଉପର ମୁଣ୍ଡରେ ପ୍ରସ୍ତାବିତ ଜଳ ପ୍ରକଳ୍ପ ଦାବି

ଚାଷୀଙ୍କ ଅନଶନ ଓ ଧାରଣା, ପ୍ରଶାସନର ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ

ଗୁଣୁପୁର : ବଂଶଧାରା ଅବବାହିକା ଅଞ୍ଚଳରେ ଦିନକୁ ଦିନ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷ କରି ବଂଶଧାରା ଟ୍ରାଇବୁନାଲର ରାୟ ପରେ ଏବେ ଅଞ୍ଚଳବାସୀ ଓ ଚାଷୀକୂଳ ବେଶ ତତ୍ପରତା ପ୍ରକାଶ କରିଛନ୍ତି। ଆନ୍ଧ୍ରର ନେରେଡି ପ୍ରକଳ୍ପ ଦ୍ବାରା ଓଡ଼ିଶାର ରାୟଗଡା ଓ ଗଜପତି ଜିଲ୍ଲାର ୨୦ରୁ ଉର୍ଦ୍ଧ୍ବ ଗ୍ରାମ ପ୍ରଭାବିତ ହେବା ସହ ହଜାର ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେବ। ଏଭଳି ସ୍ଥିତିରେ ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରକାର ମନ୍ତବ୍ୟ ଆସୁ ନ ଥିବା ବେଳେ ଗତକାଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବର୍ତ୍ତମାନ ନେରେଡି ପ୍ରକଳ୍ପ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏତେସବୁ ପରେ ମଧ୍ୟ ନଦୀକୂଳ ଲୋକଙ୍କ ମନରେ ଦୁଃଖ ଓ ଅସନ୍ତୋଷ ଦେଖା ଦେଇଛି। ଗୁଡାରି ନିକଟରେ ଖରିକୁଟି, ରାସଗୁମି, କୋରା ନାଳରେ ଜଳ ପ୍ରକଳ୍ପ ପାଇଁ ବହୁ ବର୍ଷ ଧରି ଏଠାକାର ଲୋକେ ଦାବି କରି ଆସୁଥିଲେ ମଧ୍ୟ ଏ ଯାଏଁ କୌଣସି ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ। ଫଳରେ ଏଠାରେ ଥିବା ପ୍ରଚୁର ଜଳ ସମ୍ବଳର ବିନିଯୋଗ ହୋଇ ନ ପାରି ଅପଚୟ ହେଉଛି। ଯଦି ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏ ଅଞ୍ଚଳ ସବୁ ଦିନ ପାଇଁ ଶସ୍ୟ ଶ୍ୟାମଳ ହୋଇ ଚାଷୀଙ୍କ ଦୁଃଖ ଦୂର ହୋଇଥାନ୍ତା। ଆଜି ବାଧ୍ୟ ହୋଇ ଏଠାକାର ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ମାନବ ସମ୍ବଳ ଓ ପ୍ରାକୃତିକ ସମ୍ବଳର ସଦବିନିଯୋଗ ହୋଇପାରନ୍ତା।
ବୁଧବାର ଗୁଡାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ନେତା ଗଙ୍ଗାଧର ଚାଲାଣଙ୍କ ନେତୃତ୍ୱରେ ୪ ଦଫା ଦାବି ନେଇ ଆମରଣ ଅନଶନ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଗୁଡାରି ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଚାଷୀଙ୍କ ସହ ଆଲୋଚନା କରିବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଏହି ଆନ୍ଦୋଳନକୁ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ, ବିଜେପି ଜିଲ୍ଲା ସମ୍ପାଦକ ରବି ଗମାଙ୍ଗ, ଚାଷୀ ଓ ଶ୍ରମିକ ନେତା ତିରୁପତି ଗମାଙ୍ଗ ପ୍ରମୁଖ ଯୋଗ ଦେଇ ସମର୍ଥନ ଜଣାଇଥିଲେ ।

Comments are closed.