ଖେଳ ପଡିଆ ରୂପେ ବ୍ୟବହାର ହେଉଥିବା ଜମିକୁ ଲିଜ୍ ରେ ନଦେବାକୁ ତହସିଲଦାରଙ୍କ ଠାରେ ଦାବି

ରେଙ୍ଗାଲି :  ରେଙ୍ଗାଲିର ସମଲେଇପଡା, ବ୍ଳକପଡା ଏବଂ ମାଉଲିନଗରର ବାସିନ୍ଦା ଦୀର୍ଘ ବର୍ଷ ହେଲା ଖେଳ ପଡିଆ ରୂପେ ବ୍ୟବହାର ସରକାରୀ ଜମିକୁ ବିଭିନ୍ନ ଅନୁଷ୍ଠାନକୁ ଲିଜ୍ ରେ ଦେବାକୁ ରେଙ୍ଗାଲି ତହସିଲଦାର ନୋଟିସ୍ ଜାରି କରିଥିବାରୁ ସଂପୃକ୍ତ ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ମାସ ୨୩ ତାରିଖ ଦିନ ରେଙ୍ଗାଲି ତହସିଲଦାର ଉପରୋକ୍ତ ଖେଳପଡିଆ ଜମିକୁ ଲିଜ୍ ରେ ଦେବାକୁ ବିଜ୍ଞପ୍ତି ଜାରି କରାଯିବା ପରେ ଜନସାଧାରଣରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆଜି ସମଲେଇପଡା, ମାଉନ୍ନଗର ଏବଂ ବ୍ଳକପଡାର ଏକ ପ୍ରତିନିଧି ଦଳ ରେଙ୍ଗାଲି ତହସିଲଦାରଙ୍କୁ ସାକ୍ଷାତ କରି ଖେଳ ପଡିଆ ରୂପେ ବ୍ୟବହାର ହେଉଥିବା ଜମିକୁ କାହାକୁ ଲିଜରେ ନଦେବାକୁ ସରପଞ୍ଚ, ଶ୍ରୀମତୀ ଲକ୍ଷ୍ମୀ ଓରାମ, ସମିତି ସଭ୍ୟ ସୂର୍ଯ୍ୟନାରାୟଣ ପାତ୍ର ଏବଂ ବସ୍ତିବାସିନ୍ଦାଙ୍କ ସ୍ୱାକ୍ଷରିତ ଦାବୀପତ୍ର ପ୍ରଦାନ କରିଛନ୍ତି । ତହସିଲଦାର ସୁନିଲ ମେହେର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ନେପାଳ ମୁଣ୍ଡାଙ୍କୁ ଦାବୀପତ୍ର ଦିଆଯାଇଥିବା ଜଣାପଡିଛି । ସୂଚିତ ସମଲେଇପଡା,ମାଉଲିନଗର ଏବଂ ବ୍ଳକପଡାର ବାସିନ୍ଦାଙ୍କ ପାଇଁ ଖେଳପଡିଆ ନିର୍ମାଣ ସକାଶେ ସରକାରୀ ଅନୁଦାନ ମଞ୍ଜୁର ହୋଇଥିବାରୁ ଗତ ମାସର ଗ୍ରାମପଞ୍ଚାୟତ ବୈଠକରେ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇସାରିଛି । ଏପରି ସ୍ଥଳେ ତହସିଲଦାର ଖେଳପଡିଆ ରୂପେ ବ୍ୟବହାର ହେଉଥିବା ଜମିକୁ ଲିଜରେ ଦେବା ପାଇଁ ନୋଟିସ୍ ଜାରି କରିବା ଜନଅସନ୍ତୋଷ ସୃଷ୍ଟି ପାଇଁ ଖୋରାକ୍ ଯୋଗାଇଛି । ସମଲେଇପଡା, ମାଉଲିନଗର ଏବଂ ବ୍ଳକପଡା ବାସିନ୍ଦାଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଖେଳପଡିଆ ରୂପେ ବ୍ୟବହାର ହେଉଥିବା ଜମିକୁ ଲିଜ୍ ନ ଦେଇ ଲିଜ୍ ବାତିଲ କରିବାକୁ ଦାବୀ ହେଉଛି।

Comments are closed.