ଆଜି ଠାରୁ ରାଜଧାନୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍‌

ଶହେ ପ୍ରତିଶତ ସିଟିଂରେ ଚାଲିଲା ମେଟ୍ରୋ ଓ ବସ୍‌

ନୂଆଦିଲ୍ଲୀ : ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍‌ ଖୋଲାଯାଇଥିବା ବେଳେ ଶହେ ପ୍ରତିଶତ ସିଟିଂରେ ଚାଲିଲା ମେଟ୍ରୋ ଓ ବସ୍‌ । ମାତ୍ର ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରିଛନ୍ତି । ଡିଡିଏମଏ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ଶହେ ପ୍ରତିଶତ ବସିବା କ୍ଷମତାରେ ଚାଲିବ ଡିଟିଏସ ବସ ଓ ମେଟ୍ରୋ ଟ୍ରେନ ।
ସେହିପରି ମଲ୍ଟିପ୍ଲେକ୍ସ, ସିନେମା ହଲ, ଥିଏଟରରେ ୫୦ ପ୍ରତିଶତ ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଛି । ବିବାହରେ ଶହେ ଓ ଅନ୍ତେଷ୍ଟି କ୍ରିୟାରେ ୫୦ ଜଣଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ଦିଆଯାଇଛି । ସମସ୍ତ ଅଡିଟୋରିୟମ ମଧ୍ୟ ଖୋଲିପାରିବ । ମାତ୍ର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ବନ୍ଦ ରହିବ । ରାଜନୈତିକ, ଧାର୍ମିକ ସଭା ଅଥବା କ୍ରୀଡା ପ୍ରତିଯୋଗିତା ଆୟୋଜନ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ ।
ସୂଚନା ଯୋଗ୍ୟ, ଏବେ ମଧ୍ୟ ମେଟ୍ରୋ ଓ ବସ୍‌ ରେ ଯାତ୍ରୀ ବସିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ କେହି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ଏଭଳି ଗାଇଡଲାଇନ ଜାରି ହୋଇଥିବା ବେଳେ ଆଜି ମେଟ୍ରୋ ଷ୍ଟେସନ ବାହାରେ ଯାତ୍ରୀଙ୍କ ଲମ୍ବା ଲାଇନ ଦେଖାଯାଇଥିଲା । ଭିଡ ହେବା କାରଣରୁ ଷ୍ଟେସନ ବାହାରେ ଯାତ୍ରୀମାନେ ଲାଇନରେ ଠିଆ ହୋଇଥିଲେ ।

 

Comments are closed.