ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଦିଲ୍ଲୀ ପୁଲିସର ରିପୋର୍ଟ: ବିକ୍ଷୋଭରେ ୯୮ ଆହତ, ୩୪ ଗାଡ଼ିପୋଡ଼ି

ନୂଆଦିଲ୍ଲୀ: ନାଗରିକତ୍ବ ଆଇନ ପ୍ରତିବାଦରେ ମଙ୍ଗଳବାର ପୁନର୍ବାର ଉତ୍ତର-ପୂର୍ବ ଦିଲ୍ଲୀର ସିଲାମପୁର ଓ ଜାଫରାବାଦ ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ବହୁସଂଖ୍ୟକ ଗାଡ଼ି ପୋଡ଼ାଯିବା ସହ ଭଙ୍ଗାରୁଜା ହୋଇଛି। ବିକ୍ଷୋଭକାରୀ ପୁଲିସ ଉପରକୁ ଢ଼େଲାପଥର ଫିଙ୍ଗିଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଏଥିରେ ବହୁ ଗାଡ଼ିମଟର କ୍ଷତିଗ୍ରସ୍ତ ହୋଇଛି। ବିକ୍ଷୋଭକାରୀ ଏକ ଥାନା ପୋଡ଼ି ଦେଇଛନ୍ତି। ବିକ୍ଷୋଭ ନିୟନ୍ତ୍ରଣ ପାଇଁ ପୁଲିସ ଡ୍ରୋନ୍‌ ବ୍ୟବହାର କରିଛି। ଏ ନେଇ ଦୁଇଟି ଏତଲା ରୁଜୁ ହୋଇଛି। ଜାମିଆ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି ଓ ସେମାନଙ୍କର ଆପରାଧିକ ରେକର୍ଡ ରହିଥିବା କହିଛି। ଏମାନଙ୍କ ମଧ୍ୟରେ କେହି ଛାତ୍ର ନାହାନ୍ତି ବୋଲି ସ୍ପଷ୍ଟ କରାଯାଇଛି। ମୋଟ ୧୫ଜଣଙ୍କ ବିରୋଧରେ ଏତଲା ଦାୟର ହୋଇଛି। ଗିରଫ ବ୍ୟକ୍ତିଙ୍କୁ ଜାମିନ ନାମଞ୍ଜୁର ହୋଇଥିବାବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବୈଜଲ ଶାନ୍ତିରକ୍ଷା ପାଇଁ ନିବେଦନ କରିଛନ୍ତି।

ନାଗରିକତ୍ବ ଆଇନ ପ୍ରତିବାଦବେଳେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ କେହି ଆହତ ହୋଇ ନ ଥିବା ସଲିସିଟର ଜେନେରାଲ ତୁଷା ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିବାବେଳେ ଦିଲ୍ଲୀ ପୁଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଭିନ୍ନ ରିପୋର୍ଟ ଦାଖଲ କରିଛି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ବିକ୍ଷୋଭବେଳେ ପୁଲିସ ସହିତ ସଂଘର୍ଷରେ ଛାତ୍ରଙ୍କ ସମେତ ୬୭ ସାଧାରଣ ନାଗରିକ ଓ ୩୧ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ୩୪ ଗାଡ଼ି ପୋଡ଼ା ଓ ଭଙ୍ଗାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଘଟଣାରେ ପୁଲିସ ୪୭ଜଣଙ୍କୁ ଅଟକ ରଖିବା ସହ ପରେ ଛାଡ଼ି ଦେଇଥିବା ପୁଲିସ ଦର୍ଶାଇଛି। ରବିବାର ସନ୍ଧ୍ୟାରେ ଜାମିଆ ନଗରସ୍ଥିତ ନ୍ୟୁ ଫ୍ରେଣ୍ଡସ୍‌ କଲୋନୀରେ ୪ଟି ଯାତ୍ରୀବାହୀ ବସ୍‌ ପୋଡ଼ିବା ସହ ବହୁ ଗାଡ଼ି ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିଲା। ବିକ୍ଷୋଭବେଳେ ୧୪ ବସ୍‌, ୨୦ କାର ପୋଡ଼ିଥିଲା। ବିକ୍ଷୋଭକାରୀ ଛାତ୍ର ନିରସ୍ତ୍ର ଥିଲେ ମଧ୍ୟ ଏଭଳି କାଣ୍ଡ ନେଇ ପୁଲିସକୁ ଦୋଷ ଦିଆଯାଇଥିଲା। ପୁଲିସ ଛାତ୍ରଙ୍କ ଉପରେ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିମାଡ଼ କରିଥିଲା। କୁଳପତିଙ୍କ ବିନାନୁମତିରେ ବିଶ୍ବବିଦ୍ୟାଳୟ ପରିସରରେ ପ୍ରବେଶ କରି ପାଠାଗାରରେ ଥିବା ଛାତ୍ରଙ୍କୁ ଆକ୍ରମଣ କରିଥିଲା। ପୁଲିସ ଗୁଳି ଚଳାଇଥିବା ଓ ଏଥିରେ ଦୁଇ ବିକ୍ଷୋଭକାରୀ ଗୁରୁତର ଆହତ ହୋଇଥିବାବେଳେ ଜଣଙ୍କ ଆଖି ନଷ୍ଟ ହୋଇଯାଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସମ୍ପ୍ରତି ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ ୮୦ରୁ ଅଧିକ ଛାତ୍ର ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଦକ୍ଷିଣ-ପୂର୍ବ ଦିଲ୍ଲୀ ପୁଲିସ କମିସନର ଚିନ୍ମୟ ବିଶ୍ବାଳ ପୂର୍ବରୁ କହିଥିଲେ ଯେ ୨୦୦୦ ବିକ୍ଷୋଭକାରୀ ହିଂସାକାଣ୍ଡରେ ସାମିଲ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଲାଠିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ ବ୍ୟତୀତ ଅନ୍ୟ ପନ୍ଥା ପୁଲିସ ପକ୍ଷରେ ନ ଥିଲା। ପୁଲିସ ଆଦୌ ଗୁଳି ଚଳାଇ ନ ଥିବା ସେ କହିଥିଲେ। ବିଶ୍ବବିଦ୍ୟାଳୟ ପରିସରରୁ ଛାତ୍ରମାନେ ପୁଲିସ ଉପରକୁ ଢ଼େଲାପଥର ଫିଙ୍ଗିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ପରିସର ଭିତରକୁ ପ୍ରବେଶ କରିଥାଇପାରେ ବୋଲି ବିଶ୍ବାଳ କହିଥିଲେ। ତେବେ ପୁଲିସ ଛାତ୍ରଙ୍କୁ ପ୍ରହାର କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାନି ବିବାଦ ଦେଖାଦେଇଛି।
ଅପରପକ୍ଷରେ ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ଆଇନର ବିରୋଧ ଓ ଛାତ୍ରଙ୍କ ଉପରେ ପୁଲିସ ଆକ୍ରମଣ ପ୍ରତିବାଦରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଡ୍ରାସ ବିଶ୍ବବିଦ୍ୟାଳୟରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ଆସାମରେ ପରିସ୍ଥିତି ଶାନ୍ତ ପଡ଼ିଥିବାରୁ ଇଣ୍ଟରନେଟ୍‌ ସେବା କାର୍ଯ୍ୟକ୍ଷମ କରିବାକୁ ଗୁଆହାଟୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବୁଧବାର ସକାଳ ସୁଦ୍ଧା କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବ ବୋଲି ସରକାର କହିଛନ୍ତି।

Comments are closed.