ମୁମ୍ବଇକୁ ହରାଇଲା ଦିଲ୍ଲୀ, ଅମିତଙ୍କୁ ୪ ୱିକେଟ

ଚେନ୍ନଇ: ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟୀ ହୋଇଛି। ଅମିତ ମିଶ୍ରଙ୍କ ୪ ୱିକେଟ ଓ ପରେ ଶିଖର ଧାୱନଙ୍କ ଲଢ଼ୁଆ ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୬ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ୪୪ ରନ୍ ପରେ ମଧ୍ୟକ୍ରମ ବିପର୍ୟ୍ୟୟ ଯୋଗୁଁ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମେ ବ୍ୟାଟିଂକରି ୯ ୱିକେଟରେ ୧୩୭ ରନ୍ କରି ପାରିଥିଲା। ପରେ ଧାୱନଙ୍କ ୪୫ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସ ୧୯.୧ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ୪ର୍ଥ ମ୍ୟାଚ୍‌ରେ ଏହା ଦିଲ୍ଲୀର ୩ୟ ବିଜୟ ହୋଇଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ମୁମ୍ବଇ ଇଣ୍ଡିଆନ୍‌ସ ୨ୟ ପରାଜୟ ଭୋଗିଛି। ୬ ପଏଣ୍ଟ ସହ ଦିଲ୍ଲୀ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହି ବିଜୟ ସହ ମୁମ୍ବଇଠାରୁ କ୍ରମାଗତ ୫ଟି ମ୍ୟାଚ୍‌ ପରାଜୟର ଧାରା ଦିଲ୍ଲୀ କ୍ୟାପିଟାଲ୍‌ସ ଭଙ୍ଗ କରିପାରିଛି।

ଦିଲ୍ଲୀ କ୍ୟାପିଟାଲ୍‌ସ ୧୩୮ ରନ୍ ଲକ୍ଷ୍ୟରେ ଓପ୍‌ନିଂ ଯୋଡ଼ିରେ ୧୧ ରନ୍ କରିବା ପରେ ପୃଥ୍ବୀ ସ’ ୭ ରନ୍‌କରି ବିଦାୟ ନେଇଥିଲେ। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଶିଖର ଧାୱନ୍‌ ଓ ଷ୍ଟିଭେନ୍ ସ୍ମିଥ୍। ଦୁହେଁ ୨ୟ ୱିକେଟ ପାଇଁ ୫୩ ରନ୍ ଯୋଡ଼ିଥିଲେ। ଅଷ୍ଟ୍ରେଲିଆର ସ୍ମିଥ୍ ୨୯ ବଲ୍‌ରୁ ୪ଟି ଚୌକା ସହ ୩୩ ରନ୍‌କରି ଆଉଟ ହୋଇଥିଲେ। ପରେ ଶିଖର ଧାୱନ୍ ଓ ଲଳିତ ଯାଦବ ଧିରେସୁସ୍ଥେ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୩୬ ରନ୍ ଯୋଡ଼ିବା ପରେ ଧାୱନ୍ ଆଉଟ ହୋଇଥିଲେ। ଧାୱନ ୪୨ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୫ ରନ୍ କରିଥିଲେ। ଅଧିନାୟକ ଋଷଭ ପନ୍ତ୍ ୭ ରନ୍ କରି ପାରିଥିଲେ। ଲଳିତ ଯାଦବ ଦୀର୍ଘ ସମୟ ବ୍ୟାଟିଂକରି ୨୫ ବଲ୍‌ରୁ ଗୋଟିଏ ଚୌକା ସହ ୨୨ ଏବଂ ସିମ୍ରନ୍ ହେତ୍‌ମେୟର ୯ଟି ବଲ୍‌ରୁ ୨ଟି ଚୌକା ସହ ୧୪ ରନ୍‌କରି ଅପରାଜିତ ଥିଲେ। ଅମିତ ମିଶ୍ର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍‌ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ବାମହାତି ଓପ୍‌ନର କ୍ବିଣ୍ଟନ୍ ଡି କକ୍ ୨ ରନ୍‌କରି ବିଦାୟ ନେଇଥିଲେ। ପରେ ୨ୟ ୱିକେଟ ପାଇଁ ଅଧିନାୟକ ରୋହିତ ଶର୍ମା ଓ ସୂର୍ୟ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂକରି ୪ ଓଭରରେ ୫୮ ରନ୍‌ ଯୋଡ଼ିଥିଲେ। ୧୫ ବଲ୍‌ରୁ ୪ଟି ଚୌକା ସହ ସୂର୍ୟ୍ୟକୁମାର ୨୪ ରନ୍‌କରି ଆଉଟ ହୋଇଥିଲେ। ପରେ ରୋହିତ ଶର୍ମାଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ହାସଲ କରିଥିଲେ ଅମିତ ମିଶ୍ର। ରୋହିତ ୩୦ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୪ ରନ୍ କରିଥିଲେ। ମଧ୍ୟକ୍ରମରେ ୧୭ ରନ୍‌ରେ ମୁମ୍ବଇ ୫ଟି ୱିକେଟ ହରାଇ ଦିଗହରା ହୋଇ ଯାଇଥିଲା। ବରିଷ୍ଠ ଲେଗ୍‌ସ୍ପିନର ଅମିତ ମିଶ୍ର ଏହି ୫ଟିରୁ ୪ଟି ୱିକେଟ ନେଇଥିଲେ। ହାର୍ଦିକ ପାଣ୍ଡ୍ୟା ୦, କ୍ରୁନାଲ ପାଣ୍ଡ୍ୟା ୧ ଓ କୈରନ୍ ପୋଲାର୍ଡ ୨ ରନ୍‌ କରି ଆଉଟ ହୋଇଥିଲେ। ୮୪ ରନ୍‌ରେ ୬ଟି ୱିକେଟ ହରାଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ୭ମ ୱିକେଟ ଯୋଡ଼ିରେ ଇଶାନ୍ କିଷନ୍ ଓ ଜୟନ୍ତ ଯାଦବ ୩୯ ରନ୍ ଯୋଡ଼ି ଦଳର ସମ୍ମାନ ବଞ୍ଚାଇଥିଲେ। ବାମହାତି କିଷନ୍ ୨୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍ କରିଥିଲେ। ଜୟନ୍ତ ଯାଦବ ୨୨ ବଲ୍‌ରୁ ୨୩ ରନ୍‌ କରିଥିଲେ। ଅମିତ ମିଶ୍ର ୪ଟି ଓ ଆଭେସ୍ ଖାଁ ୨ଟି ୱିକେଟ ପାଇଥିଲେ।

Comments are closed.