ସବୁ ମେସେଜ ଓ ଭିଡିଓ ଦିଅ – ଜେଏନ୍‍ୟୁ ହିଂସା ପରେ ହ୍ୱାଟସ୍‍ଆପ୍‍ ଓ ଗୁଗୁଲକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜେଏନ୍‍ୟୁ ହିଂସା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଲ୍ଲୀ ପୁଲିସ୍‍କୁ ହସ୍ତାନ୍ତର କରିବାକୁ ହ୍ୱାଟସ୍‍ଆପ୍‍ ଓ ଗୁଗୁଲକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସଂରକ୍ଷିତ କରି ରଖିବା ପାଇଁ ମଧ୍ୟ ହାଇକୋର୍ଟ ସେହି ଦୁଇ ସଂସ୍ଥାକୁ କହିଛନ୍ତି। ଗତ ପାଞ୍ଚ ତାରିଖର ହିଂସାକାଣ୍ଡରେ ଲିପ୍ତ ଥିବା ଦୁଇ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ର ସଦସ୍ୟମାନଙ୍କର ଫୋନ୍‍କୁ ଯେତେ ଶୀଘ୍ର ସମ୍ଭବ ଜବତ କରିବା ପାଇଁ କୋର୍ଟ ପୁଲିସ୍‍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‍ ବ୍ରଜେସ ସେଠୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ହିଂସାକାଣ୍ଡ ସମ୍ବନ୍ଧୀୟ ସମସ୍ତ ସି.ସି. ଟିଭି ଫୁଟେଜ୍‍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପୁଲିସ୍‍ କମିଶନର ଓ ଦିଲ୍ଲୀ ସରକାରଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେବା ଲାଗି ଲୋଡ଼ି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ତିନି ଜଣ ପ୍ରଫେସରଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଗତ ପାଞ୍ଚ ତାରିଖରେ କିଛି ମୁଖାପିନ୍ଧା ଲୋକ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରି ଛାତ୍ରଛାତ୍ରୀ ଓ ହଷ୍ଟେଲ୍‍ରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ କରିଥିଲେ। ବସନ୍ତକୁଞ୍ଜ ଥାନାରେ ଏ ସଂକ୍ରାନ୍ତରେ ତିନୋଟି ଏତଲା ରୁଜୁ କରାଯାଇଛି।

Comments are closed.