ମଣିଷମରା ରାଜନୀତି ; ଦିଲ୍ଲୀ ହିଂସା ତୁରନ୍ତ ରୋକାଯାଉ

ଦେଶର ରାଜଧାନୀ ଦିଲ୍ଲୀରେ ସୃ​‌ଷ୍ଟି ହୋଇଥିବା ହିଂସାକାଣ୍ଡ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ପରିସ୍ଥିତି ଚାରିଦିନ ଧରି ଏକପ୍ରକାର ଅଣାୟତ୍ତ ରହିଥିବାବେଳେ ଜଣେ ପୁଲିସ କର୍ମଚାରୀଙ୍କ ସମେତ ୨୬ ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଲାଣି। ଶତାଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ଦିଲ୍ଲୀ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଛି। ଦଳମତ ନିର୍ବିଶେଷରେ ନେତୃସ୍ଥାନୀୟ ବ୍ୟକ୍ତିମାନେ ଶାନ୍ତି ପ୍ରତିଷ୍ଠା ଲାଗି ନିବେଦନ କରିଛନ୍ତି।  ଏହି ହିଂସାର ନିଆଁ ଯେତେ ଶୀଘ୍ର ଲିଭିବ ଓ ପରିସ୍ଥିତି ସ୍ବାଭାବିକ ହେବ ସେତେ ଭଲ।

ପୁଲିସ ପ୍ରଶାସନର ଦୁର୍ବଳ ପ୍ରସ୍ତୁତି, ରାଜନୈତିକ ଚାପ ଏବଂ ରାଜନୈତିକ ନେତାଙ୍କ ସଂପୃକ୍ତି ଯୋଗୁଁ ହିଂସା ସୃଷ୍ଟି ହୋଇଥାଏ। ଦିଲ୍ଲୀରେ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ମାସାଧିକକାଳ ସାହିନବାଗରେ ଯେଉଁ ଧାରଣା ଚାଲିଥିଲା ତାହା ଯେ ଦିନେ ବିସ୍ଫୋରଣ ରୂପ ନେବ, ଏକଥା ଅାଶଙ୍କା କରାଯାଉଥିଲା। ବିଶେଷକରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁଦିନ ଭାରତଗସ୍ତରେ ଆସିଲେ ତା’ର ପୂର୍ବଦିନ ରାତିରେ ଦିଲ୍ଲୀରେ ହିଂସାକାଣ୍ଡ ଆରମ୍ଭ ହେଲା। ଟ୍ରମ୍ପ ନୂଆଦିଲ୍ଲୀରେ ପହଞ୍ଚିବା ଦିନ ହିଂସା ଭୟଙ୍କର ରୂପ ନେଇଥିଲା। ସିଏଏ ବିରୋଧ ଘଟଣାକୁ ଟ୍ରମ୍ପଙ୍କ ନଜରକୁ ଆଣିବା ଏବଂ ଏହାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାକୁ ଏଇ ହିଂସା ଯେ ଉଦ୍ଦିଷ୍ଟ, ଏହାକୁ ଅସ୍ବୀକାର କରାଯାଇ ପାରିବନାହିଁ। ଏହା ପଛରେ ରୀତିମତ ଷଡ଼ଯନ୍ତ୍ର ରହିଛି ଏବଂ ସିଏଏ ବିରୋଧୀନେତା ଓ ଦଳଙ୍କ ପ୍ରଚ୍ଛନ୍ନ ସମର୍ଥନ ତଥା ଉସୁକାଣ ବିନା ଏହା ସମ୍ଭବ ହୋଇ ନଥାନ୍ତା, ଏକଥା ସ୍ପଷ୍ଟ ହୋଇଯାଉଛି।

ସେଇଭଳି ଶାସକ ବିଜେପିର କିଛି ନେତାଙ୍କ ଦାୟିତ୍ବହୀନ ବିବୃତି ଓ କାର୍ଯ୍ୟ ମଧ୍ୟ ହିଂସା ପାଇଁ ଇନ୍ଧନ ଯୋଗାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୁଲିସ ପରିସ୍ଥିତିକୁ ଟାଳିବାରେ ଅସମର୍ଥ ହୋଇଛି। ପୁଲିସ ତା’ର ଦାୟିତ୍ବ ଠିକଣାଭାବେ ନିର୍ବାହ କରିପାରି ନ ଥିବା ଅଦାଲତ ମଧ୍ୟ କହିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଦାୟିତ୍ବ ନିର୍ବାହରେ ବିଫଳ ହୋଇଛନ୍ତି। ତେବେ ସେ ଯା’ହେଉ ଏବେ ଦୋଷାରୋପ କରିବା ବା କାହାକୁ ଦାୟୀ କରିବାର ବେଳ ନୁହେଁ। ପ୍ରଥମ ଆବଶ୍ୟକତା ହେଉଛି ହିଂସା ନିୟନ୍ତ୍ରଣ, ଶାନ୍ତି ପ୍ରତିଷ୍ଠା ଓ ଜୀବନଯାତ୍ରା ସ୍ବାଭାବିକ କରିବା। ଆହୁରି ମଧ୍ୟ ଏଇ ହିଂସା ଦେଶର ଅନ୍ୟାନ୍ୟ ସ୍ଥାନକୁ ଯେପରି ନ’ବ୍ୟାପେ ସେଥିପାଇଁ ସବୁ ରାଜ୍ୟ ସରକାର ତତ୍ପର ରହିବା ଦରକାର।

ଭାରତରେ, ବିଶେଷକରି ନୂଆଦିଲ୍ଲୀରେ ହିଂସା ନୂଆ ଘଟଣା ନୁହେଁ। ଏହାର ଅର୍ଥ ନୁହେଁ ଆମେ ହିଂସାତ୍ମକ ବିଚାରରୁ ଏଭଳି ବାରମ୍ବାର ଭିଆଇବା ଓ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଏହାକୁ ଉପଯୋଗ କରିବା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯେଉଁଦିନ ଅହମ୍ମଦାବାଦରେ ଭାରତର ଏକତା, ବିବିଧତା, ସାଂପ୍ରଦାୟିକ ସଦ୍‌ଭାବ, ଆଇନର ଶାସନପ୍ରତି ସମ୍ମାନ ଓ ମାନବୀୟ ମର୍ଯ୍ୟାଦାର ଉଚ୍ଚ ପରମ୍ପରା କଥା କହି ଆମକୁ ପ୍ରଶଂସା କରିଛନ୍ତି ସେଇ ସମୟରେ ଆମେ ରାଜଧାନୀ ଦିଲ୍ଲୀରେ ହଂସାକାଣ୍ଡ କରିଛନ୍ତି। ଏହା ଏକ ଜାତୀୟ ଲଜ୍ଜା ଓ ରାଷ୍ଟ୍ରୀୟ ଅପମାନ। କିଛି ନେତାଙ୍କ ସଂକୀର୍ଣ୍ଣ ରାଜନୀତି ଓ  ହୀନ ବିଚାରରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ସରକାର ଓ ବିରୋଧୀଦଳ ଏଥିପାଇଁ କ୍ଷମାଯୋଗ୍ୟ ନୁହନ୍ତି। ବିଶେଷକରି ଜଣେ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଯେଉଁ କଦର୍ଯ୍ୟ ଓ ନିନ୍ଦନୀୟ ଘଟଣା ଘଟିଲା ସେଥିପାଇଁ ସିଏଏ ବିରୋଧୀ ଆନ୍ଦୋଳନକାରୀ ଓ ଏହାକୁ ପ୍ରୋତ୍ସାହିତ କରୁଥିବା ନେତା ଅଧିକ ପରିମାଣରେ ଦାୟୀ। ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ସ୍ଥାନ ରହିଛି। ତେବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ପ୍ରତିବାଦ ହିଂସାମୁଖୀ ହେଲେ ସେଥିପାଇଁ କିଏ ଦାୟୀ ? ରାଜଧାନୀ ଦିଲ୍ଲୀ ଗତ କିଛିକାଳଧରି ସରକାର ବିରୋଧୀ ଆନ୍ଦୋଳନ ଓ ପ୍ରତିବାଦର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସିଏଏକୁ ବିରୋଧ କରୁଥିବା ଗୋଷ୍ଠୀମାନେ କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ ସମେତ ସାଧାରଣସ୍ଥଳକୁ ନିଜର ଆଡ୍ଡା କରିଛନ୍ତି। ଏଥିରେ ସଂଖ୍ୟାଲଘୁମାନଙ୍କୁ ଅଗ୍ରଭାଗରେ ରଖାଯାଇ ବିଭାଜନକାରୀ ଓ ସାଂପ୍ରଦାୟିକ ରାଜନୀତିକୁ ପ୍ରୋତ୍ସାହିତ କରାଯାଉଛି। ଏହା ଆଦୌ ବର୍ତ୍ତମାନର ସ୍ଥିତିରେ ଶୁଭଙ୍କର ନୁହେଁ।

ଏହି ହିଂସା ଭାରତର ଛବିକୁ କ୍ରମଶଃ ଆନ୍ତର୍ଜାତିକସ୍ତରରେ ମ୍ଳାନ କରୁଛି ଓ ଦେଶର ବିକାଶ ପ୍ରକ୍ରିୟାରେ ବାଧକ ସାଜିଛି। ତୁରନ୍ତ ଏ ପାଗଳାମୀ ବନ୍ଦ ହେଉ ଏବଂ ଶାନ୍ତି ଓ ସ୍ବାଭାବିକତା ଫେରାଇ ଅଣାଯାଉ। ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବାସହ ଘଟଣାର ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ ହେଉ।

ହିଂସାକାଣ୍ଡ ଏକ ବହୁବାଦୀ, ବହୁଜାତିକ ସମାଜ ବା ରାଷ୍ଟ୍ରର ସାମାଜିକ, ଆର୍ଥିକ କାରଣ ଯୋଗୁଁ ସୃଷ୍ଟି ହୋଇଥାଏ।  ଏଥିରେ ସବୁବର୍ଗ ଓ ସମୁଦାୟ ସମାନ ସୁବିଧାସୁ​‌େ​‌ଯାଗ ନ’ପାଇଲେ ନିଜକୁ ଅବହେଳିତ ଏବଂ ବଞ୍ଚିତ ଭାବୁଥିବା ସଂପ୍ରଦାୟ ବା ଗୋଷ୍ଠୀ ପ୍ରତିବାଦ କରେ ଏବଂ ଏହା ବେଳେବେଳେ ହିଂସାତ୍ମକ ରୂପନିଏ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ବିଧାନ ଅନୁସାରେ ସବୁବର୍ଗ ସମାନ ସୁବିଧା ସୁଯୋଗ ଚାହାନ୍ତି ଏବଂ ଏହା ନ’ପାଇଲେ ସେମାନେ ହିଂସାତ୍ମକ ପ୍ରତିବାଦ କରିଥାନ୍ତି। ଏଥିପାଇଁ ସରକାର ଓ ସାମ୍ବିଧାନିକ ବିଧିବ୍ୟବସ୍ଥାର ନିର୍ଦିଷ୍ଟ ଭାବେ କିଛି ସ୍ବତନ୍ତ୍ର ଦାୟିତ୍ବ ରହିଛି। ଆହୁରି ମଧ୍ୟ ଭୋଟ ରାଜନୀତି ଓ ରାଜନୈତିକ ସ୍ବାର୍ଥ ପାଇଁ ବିଭିନ୍ନ ରାଜନୈତିକ ଦଳ ଅସନ୍ତୁଷ୍ଟବର୍ଗଙ୍କୁ ବ୍ୟବହାର କରି ହିଂସାକାଣ୍ଡ  ଭିଆଇଥାଆନ୍ତି। ଏଭଳି ମଣିଷମରା ରାଜନୀତିରେ ସଂପୃକ୍ତ ଦଳ ଗୁଡ଼ିକ ପାଇଁ ରାଜନୈତିକ ଲାଭ କେତେ ଆଣେ ତାହା ଭିନ୍ନ କଥା; କିନ୍ତୁ ଏହା ଦ୍ବାରା ରାଷ୍ଟ୍ର ଦୁର୍ବଳ ହୁଏ ଓ ସାମାଜିକ ବ୍ୟବସ୍ଥା ବିଗିଡ଼ିଯାଏ। ଗଣତାନ୍ତ୍ରିକ ବିଚାର ଗୌଣ ହୋଇ ଜାତି ଓ ଆଞ୍ଚଳିକବାଦର ଜହର ବ୍ୟାପେ। ରାଜନୈତିକ ପୃଷ୍ଠପୋଷକତା, ପ୍ରୋତ୍ସାହନ ଓ ଉସୁକାଣ ଦ୍ବାରା ଏଭଳି ହିଂସା ତେଜୀୟାନ ହୁଏ। ସରକାର ଓ ବିରୋଧୀ ରାଜନୈତିକ ଦଳଙ୍କ ଅଘୋଷିତ ସହଯୋଗ ଏବଂ ସ୍ବୀକୃତି ଏହାକୁ ଭୟଙ୍କର କରିଥାଏ। ଭୟଙ୍କର ଶିଖବିରୋଧୀ ଦିଲ୍ଲୀଦଙ୍ଗା ଓ ଗୁଜରାଟ ଦଙ୍ଗାରୁ ଏହା ପ୍ରମାଣିତ ହୋଇଛି। ଏବେ ଉତ୍ତର-ପୂର୍ବ ଦିଲ୍ଲୀରେ ଯେଉଁ ଭୟଙ୍କର ହିଂସାକାଣ୍ଡ ଚାଲିଛି ତାହା ସେଇ ପୁରୁଣା କଥାକୁ ସ୍ମରଣ କରାଇ ଦେଉଛି। ହିଂସା ବ୍ୟାପିଲେ ଏହା କ୍ଷତିସାଧନ କରାଏ। ପୁଲିସ ଓ ସୁରକ୍ଷାକର୍ମଚାରୀ ମଧ୍ୟ ମୃତାହତ ହୋଇଥାନ୍ତି। ସାଧାରଣ ଲୋକଙ୍କ ଜୀବନ ବି ଚାଲିଯାଏ। ଦେଶର କ୍ଷତି ଘଟେ।

ସାହିନବାଗ ପ୍ରତିବାଦ ମାମଲାଟି ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ରହିଛି। ନିଜର ମଧ୍ୟସ୍ଥ ପଠାଇ ସୁପ୍ରିମକୋର୍ଟ ମଧ୍ୟ ଏହାର ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ଏହାସତ୍ତ୍ବେ ସାହିନବାଗରେ ରାସ୍ତା ଅବରୋଧ କରି ବସିଥିବା ଆନ୍ଦୋଳନକାରୀ ଯେଉଁ ସର୍ତ୍ତ ରଖୁଛନ୍ତି ସେଥିରେ ଜିଦ୍‌ ଅଧିକ। ଆହୁରି ମଧ୍ୟ ଦିଲ୍ଲୀ ଜଳୁଥିବାବେଳେ ଏହି ପ୍ରସଙ୍ଗରେ ଦାଏର ମାମଲାରେ ଅଦାଲତଙ୍କ ମତାମତ ଆଶ୍ଚର୍ଯ୍ୟଜନକ ଲାଗେ। ପ୍ରଥମେ ପରିସ୍ଥିତି ସ୍ବାଭାବିକ ହେବାକୁ ଅଦାଲତ କହିଛନ୍ତି। ପ୍ରଶାସନ ଓ ପୁଲିସ ଯେତେବେଳେ ନିରବଦ୍ରଷ୍ଟା ଓ ସରକାର ନିଦାବିଷ୍ଣୁ, ସେତେବେଳେ ଅଦାଲତ ହିଂସା ରୋକିବା, ଲୋକଙ୍କ ଧନଜୀବନ ସୁରକ୍ଷା ଏବଂ ପୀଡ଼ିତଙ୍କୁ ଚିକିତ୍ସା, ରିଲିଫ, ଥଇଥାନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ତୁରନ୍ତ ଗ୍ରହଣ କରିବାକୁ ନିର୍ଦେଶ ଦେବା ଉଚିତ। ଏହା ନ’କରି କେବଳ ହିଂସାକୁ ଦୁର୍ଭାଗ୍ୟଜନକ କହିବା ପ୍ରକୃତରେ ନିରାଶାଜନକ। ପୁଲିସକୁ ନିରପେକ୍ଷଭାବେ କାର୍ଯ୍ୟ କରିବାକୁ ଏବଂ ତୁରନ୍ତ ସେନା ମୁତୟନ କରି ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକତା ଫେରାଇ ଆଣିବାକୁ ଅଦାଲତ ନିର୍ଦେଶ ଦେଇପାରିଥାନ୍ତେ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଧିକାର ନାଗରିକଙ୍କର ରହିଛି। ଏହାର ଅର୍ଥ ନୁହେଁ ସର୍ବସାଧାରଣ ସ୍ଥାନ, ରାସ୍ତାଘାଟକୁ ମାସମାସ ଧରି ଅବରୋଧ କରି ରଖିବା ଓ ଲୋକଙ୍କ ଗମନାଗମନରେ ବାଧାସୃଷ୍ଟି କରିବା। ସାହିନବାଗ ଆନ୍ଦୋଳନକାରୀଙ୍କ ପଛରେ ରାଜନୈତିକ ସମର୍ଥନ ରହିଥିଲା ଏବଂ ସରକାରଙ୍କୁ ସୁବିଧା ଦେଖି ଅକଳରେ ପକାଇବାକୁ ରୀତିମତ ଯୋଜନା କରାଯାଉଥିଲା। ଆନ୍ଦୋଳନକାରୀ ଓ ସେମାନଙ୍କ ପୃଷ୍ଠପୋଷକ ଏକ ବଡ଼ଧରଣର ସଂଘର୍ଷ ବା ମୁକାବିଲାର ସୁଯୋଗରେ ଥିଲେ। ସରକାର ମଧ୍ୟ ନିଜର ଶକ୍ତି ଓ ସାମର୍ଥ୍ୟ ଦେଖାଇ ବିରୋଧୀଙ୍କୁ ସାବାଡ଼ କରିବା ଉଦ୍ଦେଶ୍ୟରେ ରହିଥିଲେ। ଶେଷରେ ବୋଧେ ସେୟା ହେଲା । ସିଏଏକୁ ବିରୋଧ କରିବାର ଏ ହିଂସାତ୍ମକ ମାର୍ଗ ଠିକ୍‌ ହେଲାନାହିଁ; କାରଣ ସମଗ୍ର ପ୍ରସଙ୍ଗଟି ଅତ୍ୟନ୍ତ ସ୍ପଷ୍ଟ। ଏହାଦ୍ବାରା ଭାରତର ମୂଳବାସିନ୍ଦା ମୁସଲମାନଙ୍କର ଅଧିକାର କ୍ଷୁଣ୍ଣ ହେବାର ସମ୍ଭାବନା ନାହିଁ। ଏହା ସତ୍ତ୍ବେ ସେମାନେ ସ୍ବାର୍ଥାନ୍ବେଷୀ ରାଜନେତାଙ୍କ କଥାରେ ପଡ଼ି କାହିଁକି ଏତେ ପ୍ରତିକ୍ରିୟାଶୀଳ ହେଉଛନ୍ତି ତାହା ବୁଝି ହେଉନାହିଁ। ସମ୍ବିଧାନ ଓ ବିଚାରାଳୟ ଦ୍ବାରା ସେମାନେ ସୁରକ୍ଷିତ ଏବଂ ଭାରତର ବୈଧ ନାଗରିକ। ମାମଲା ଏବେ ସର୍ବୋଚ୍ଚ ଅଦାଲତରେ ଥିବାବେଳେ ଏହାକୁ ନେଇ ହିଂସାକାଣ୍ଡ ଓ ବିବାଦ ସୃଷ୍ଟିର ଆବଶ୍ୟକତା ନଥିଲା। ଶାନ୍ତି ଫେରୁ ଓ ପରିସ୍ଥିତି ସ୍ବାଭାବିକ ହେଉ ଏଇ ଘଡ଼ି ସନ୍ଧି ବେଳରେ ଏତିକି ଆଶା କରିବା।

Comments
Loading...