ଦିଲ୍ଲୀ ଏମ୍ସ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (ଏମ୍ସ) ଦିଲ୍ଲୀର ଜଣେ ଦ୍ୱିତୀୟ ବର୍ଷ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି। ବିକାଶ ନାମକ ଛାତ୍ର ଜଣଙ୍କ ସୋମବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୧୬ନମ୍ବର ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ ଜଣେ ବ୍ୟକ୍ତି ହଷ୍ଟେଲ ଛାତରୁ ଡେଇଁବା ନେଇ ୬ଟା ବେଳେ ଖବର ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ପୁଲିସ ବ୍ୟକ୍ତି ଜଣଙ୍କୁ ଟ୍ରମା ସେଣ୍ଟରକୁ ନେଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ହେଉଛନ୍ତି ବାଙ୍ଗାଲୋରର ବାସିନ୍ଦା ବିକାଶ। ସେ ୨୦୧୮ ବ୍ୟାଚର ଡାକ୍ତରୀ ଛାତ୍ର। ପୁଲିସ କହିଛି ଛାତ୍ର ଜଣଙ୍କ ପୂର୍ବରୁ ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ସୋମବାର ବିକାଶ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଗୋଟିଏ ଘଣ୍ଟା ପାଇଁ କାର୍ଯ୍ୟରୁ ବିରତି ନେଇ ହଷ୍ଟେଲକୁ ଆସିଥିଲେ। ଏହି ସମୟରେ ସେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହା ଉପରେ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଦିଲ୍ଲୀ ଏମ୍ସରେ ଦୁଇ ମାସ ମଧ୍ୟରେ ଏହା ୫ମ ଆତ୍ମହତ୍ୟା ଘଟଣା କୁହାଯାଇଛି। ଜୁନ୍‍ ୫ରେ ହସ୍ପିଟାଲର ଦ୍ୱିତୀୟ ମହଲା ସିଡିର ରେଲିଂରେ ଜଣେ ୨୨ବର୍ଷର ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଜୁଲାଇ ୬ରେ କରୋନା ଚିକିତ୍ସା ପାଇଁ ଆସିଥିବା ଜଣେ ୩୭ବର୍ଷର ସାମ୍ବାଦିକ ହସ୍ପିଟାଲର ୪ର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଜୁଲାଇ ୧୦ରେ ୨୫ବର୍ଷର ଜଣେ କନିଷ୍ଠ ଡାକ୍ତର ହସ୍ପିଟାଲର ୧୦ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଜୁଲାଇ ୧୭ରେ ଚିକିତ୍ସା ପାଇଁ ଆସିଥିବା ଜଣେ ୩୨ବର୍ଷର ଯୁବକଙ୍କୁ ହସ୍ପିଟାଲର ଗାଧୁଆ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Comments are closed.