ଦିଲ୍ଲୀ: ସରକାର କହୁଛନ୍ତି କରୋନା ମୃତ୍ୟୁ ୩୦୩, ଏପଟେ ଅନ୍ତିମ ସଂସ୍କାର ହେଲାଣି ୧୦୦୦

ସରକାର କରୋନା ମୃତ୍ୟୁର ବାସ୍ତବ ସଂଖ୍ୟା ଲୁଚାଉଛନ୍ତି : ବିଜେପି

ନୂଆଦିଲ୍ଲୀ: ସରକାରୀ ହିସାବରେ ଦିଲ୍ଲୀରେ ବୁଧବାର ପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ୩୦୩ । ମାତ୍ର ଏହି ସଂଖ୍ୟା ଠିକ୍ ନୁହେଁ ଓ ବାସ୍ତବରେ କରୋନା ମୃତକ୍କ ସଂଖ୍ୟା ଦିଲ୍ଲୀରେ ପାଖାପାଖି ୩ ଗୁଣ ଅଧିକ ଓ ୧୦୦୦ ବୋଲି ଚର୍ଚା ହେଉଛି । ବିଭିନ୍ନ ଶ୍ମଶାନ, କବରସ୍ତାନରେ ହୋଇଥିବା ଅନ୍ତିମ ସଂସ୍କାରକୁ ଆଧାର କରି ଏହାକୁ ଆକଳନ କରାଯାଇଛି ଏବଂ ଏଥିପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଭୁଲ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ କରିଛି ବିଜେପି ।

ସୂଚନାଅନୁସାରେ କେବଳ ନିଗମବୋଧ ଘାଟରେ କରୋନା ମୃତ ସଂଖ୍ୟରୁ ଅଧିକ ଅର୍ଥାତ୍ ୪୧୪ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସେହିପରି ଦକ୍ଷିଣ ଦିଲ୍ଲୀ ନଗର ନିଗମରେ ୪୮୧ ଲୋକଙ୍କ ଅନ୍ତିମ ସଂସ୍କାର କରାଯାଇଛି ଏବଂ ପୂର୍ବ ଦିଲ୍ଲୀ ନଗର ନିଗମ ଅଞ୍ଚଳରେ ଏହି ସଂଖ୍ୟା ୨୫ ବୋଲି ଜଣା ପଡ଼ିଛି । ଏହାକୁ ଆଧାର କରି ବିଜେପି ଦିଲ୍ଲୀ ସରକାର ଉପରେ ମୃତକଙ୍କ ସଂଖ୍ୟା ଗୋପନ ରଖିବାର ଅଭିଯୋଗ କରିଛଇ । ଅନ୍ୟପକ୍ଷରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ମୃତ୍ୟୁ ସଂଖ୍ୟା ଆଦୌ ଗୋପନ ରଖାଯାଉନାହିଁ ଏବଂ ଡ଼ାକ୍ତରଖାନାରୁ ଯେଉଁ ମୃତ୍ୟୁ ରିପୋର୍ଟ ଆସୁଛି ତାକୁ ସରକାରୀସ୍ତରରେ ପ୍ରକାଶ କରାଯାଉଛି ବୋଲି ସତ୍ୟେନ୍ଦ୍ର କହିଛନ୍ତି ।

ଉତ୍ତର ଦିଲ୍ଲୀ ନଗର ନିଗମରୁ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ନିଗମବୋଧ ଘାଟରେ ୪୧୪ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହାମଧ୍ୟରୁ ୩୩୭ ମୃତକ କରୋନା ପଜିଟିଭ୍ ରହିଥିଲେ ଓ ଅନ୍ୟ ୭୭ ଜଣଙ୍କୁ କରୋନା ସନ୍ଦିଗ୍ଧ ବୋଲି କୁହାଯାଉଥିଲା ।

ଦକ୍ଷିଣ ଦିଲ୍ଲୀ ନଗର ନିଗମ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ଭୁପେନ୍ଦ୍ର ଗୁପ୍ତା କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ବର୍ତମାନ ସୁଦ୍ଧା ୪୮୧ ଶବର ଅନ୍ତିମ ସଂସ୍କାର କରାଯାଇଛି । ଏଥିରୁ କିଛି ଲୋକଙ୍କୁ ଦାହ କରାଯାଇଛିଓ କିଛି ଲୋକଙ୍କୁ କବର ଦିଆଯାଇଛି। ଏହା ମଧ୍ୟରୁ ୩୯୦ ଜଣ କରୋନା ସଂକ୍ରମିତ ଥିବା ରିପୋର୍ଟ ଅଛି ଓ ଅବଶିଷ୍ଟ ୯୧ ଜଣ କରୋନା ସନ୍ଦିଗ୍ଧ ବୋଲି କୁହାଯାଉଛି।

ଅନୁରୂପ ଭାବରେ ପୂର୍ବ ଦିଲ୍ଲୀ ନଗର ନିଗମ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସନ୍ଦୀପ କପୁରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ଅଞ୍ଚଳରେ ଶବ ଦାହର କୌଣସି ବ୍ୟବସ୍ଥା କରାଯାଇନାହିଁ । କଡ଼କଡ଼ୁମା ଶବଦାହ କେନ୍ଦ୍ରରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ନିମନ୍ତେ ପ୍ରଥମ ପର୍ଯ୍ୟାରେ ନିଷ୍ପତ୍ତି ହୋଇଥିଲା, ମାତ୍ର ପରବର୍ତୀ ସମୟରେ ତାହାକୁ ବାତିଲ କରାଯାଇଛି । ବର୍ତମାନ ସମୟରେ କରୋନା ଶବଦାହ ନିମନ୍ତେ ସବୁ ଶବକୁ ଉତ୍ତରଦିଲ୍ଲୀ ନଗରନିଗମ ଅନ୍ତର୍ଗତ ନିଗମବୋଧ ଘାଟକୁ ପଠାଯାଉଛି ।

ଏଠାରେ ଶବକୁ କବର ଦେବା ପାଇଁ ଦୁଇଟି କବରସ୍ଥାନ ବ୍ୟବସ୍ଥା ହୋଇଛି । ବୁଲନ୍ଦ ମସଜିଦ୍ ଶାସ୍ତ୍ରୀ ପାର୍କ କବରସ୍ତାନରେ ୨୬ ମେ ମଧ୍ୟରେ ମୋଟ ୨୨ ଶବ କବର ଦିଆଯାଇଛି । ଯେଉଁଥିରୁ ୧୧ଟି କରୋନା ପଜିଟିଭ ଓ ଅବଶିଷ୍ଟ ୧୧ଟି କରୋନା ସନ୍ଦିଗ୍ଧ । ଅନୁରୂପ ଭାବରେ ଦ୍ବିତୀୟ କବରସ୍ତାନ ମୁଲ୍ଲା କଲୋନୀ କଲୋନୀରେ ତିନିଟି କରୋନା ସଂକ୍ରମିତଙ୍କ ଶବକୁ କବର ଦିଆଯାଇଛି ।

ସିଏନଜି ବଦଳରେ କାଠରେ ହେଉଛି ଶବ ଦାହ

ନିଗମବୋଧ ଘାଟରେ ଶବ ଦାହ ନିମନ୍ତେ ସିଏନଜି ବ୍ୟବସ୍ଥା ଅଛି ଏବଂ ଏହା ଏଠାରେ ବାଧ୍ୟତାମୂଳକ । ମାତ୍ର ଏବେ ଏଠାରେ ସିଏନଜି ସହ କାଠରେ ଶବ ଦାହ କରାଯାଉଛି । ନିଗମବୋଧ ଘାଟ ଶବଦାହ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଏନଜିରେ ଶବଦାହ ନିମନ୍ତେ ଦେଢ଼ ଘଣ୍ଟାରୁ ୨ ଘଣ୍ଟା ଲାଗିଥାଏ । ମାତ୍ର ଏଠାରେ ଏକ ସମୟରେ ଏତେ ପରିମାଣରେ ଶବ ପହଞ୍ଚୁଛି ଯେ ସିଏନଜିରେ ସବୁ ସଂସ୍କାର କରିବା ସମ୍ଭବ ହେଉନାହିଁ । ତେଣୁ ଏଠାରେ କାଠରେ ଶବ ଦାହ ନିମନ୍ତେ ଜରୁରୀ ଅନୁମତି ଦେବାକୁ ପଡ଼ିଛି । ଏଥିପାଇଁ ସରକାରଙ୍କ ଠାରୁ ଅନୁମତି ମଧ୍ୟ ମିଳିଛି ।

Comments are closed.