ଜାମିନ ଆଦେଶ ଯୋଗାଇବାରେ ବିଳମ୍ବ ବ୍ୟକ୍ତି ସ୍ୱାଧୀନତାର ପରିପନ୍ଥୀ, ତୁରନ୍ତ ପ୍ରତିକାର ଜରୁରୀ – ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜାମିନ ଆଦେଶ ପଠାଇବାରେ ବିଳମ୍ବକୁ ଏକ ଗୁରୁତର ଅଭାବ ବୋଲି କହିଛନ୍ତି ଏବଂ ପ୍ରତ୍ୟେକ ବିଚାରାଧୀନ କଏଦୀଙ୍କ ମାନବିକ ସ୍ୱାଧୀନତା ଏହା କ୍ଷୁର୍ଣ୍ଣ କରୁଥିବାରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ଭର୍ଚୁଆଲ୍ କୋର୍ଟ ଏବଂ ଇ-ସେବା କେନ୍ଦ୍ର ଉଦଘାଟନ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍ ଚନ୍ଦ୍ରଚୁଡ଼ ଏହା କହିଛନ୍ତି।

ସେ କହିଛନ୍ତି, ଅପରାଧିକ ବିଚାର ବ୍ୟବସ୍ଥାରେ ଏକ ଗୁରୁତର ଅଭାବ ହେଉଛି ଜାମିନ ଆଦେଶ ଯୋଗାଇବାରେ ବିଳମ୍ବ, ଯାହାକୁ ଆମେ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ଆବଶ୍ୟକ। କାରଣ ଏହା ପ୍ରତ୍ୟେକ ବିଚାରାଧୀନ କଏଦୀର ମାନବିକ ସ୍ୱାଧୀନତା ଉପରେ ପ୍ରଭାବ ପକାଇଥାଏ।

ନିକଟରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ଏଭଳି ବିଳମ୍ବ ଯୋଗୁ ଅତିରିକ୍ତ ଗୋଟିଏ ଦିନ ବିତାଉବାକୁ ପଡିଥିଲା। ଏହା ପୂର୍ବରୁ ଜାମିନ ଆଦେଶ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେବା ନେଇ ଜଷ୍ଟିସ ଏନ ଭି ରମନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛି। ଖଣ୍ଡପୀଠ କହିଛନ୍ତି, ଡିଜିଟାଲ ଯୁଗରେ ମଧ୍ୟ ଆମେ ଆକାଶକୁ ଚାହିଁ ବସିଛୁ କେତେବେଳେ କପୋତ ଆଦେଶ ସୂଚନା ଆଣି ଯୋଗାଇ ଦେବ।

ଏହା ପରେ ସୁପ୍ରିମକୋର୍ଟ ଏକ ପ୍ରକଳ୍ପ – ଫାଷ୍ଟ ଆଣ୍ଡ ସିକ୍ୟୁର ଟ୍ରାନ୍ସମିସନ୍ ଅଫ୍ ଇଲେକ୍ଟ୍ରୋନିକ୍ ରେକର୍ଡସ୍ – ଶୀଘ୍ର ଯୋଗାଯୋଗ ଏବଂ ଏହାର ଆଦେଶ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ପର୍ଯ୍ୟାପ୍ତ ବେଗରେ ଇଣ୍ଟରନେଟ୍ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି।

Comments are closed.