ପରିସ୍ଥିତିକୁ ଦେଖି ହେବ +୩ ପ୍ରଥମ ଓ ୨ୟ ବର୍ଷ ପରୀକ୍ଷ‌ା

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ନାତକ(+୩) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ପରୀକ୍ଷା ଓ ଫଳ ପ୍ରକାଶ ସମ୍ବନ୍ଧରେ ସମୟ ସୀମା ଧାର୍ୟ୍ୟ କରାଯାଇଛି। ପରୀକ୍ଷା ସମ୍ବନ୍ଧରେ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଆଗୁଆ ବିଜ୍ଞପ୍ତି ପ୍ରକାଶ କରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଗୁରୁବାର ରାଜ୍ୟର ବିଶ୍ବବିଦ୍ୟାଳୟ କୁଳପତି ଓ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସ୍ନାତକୋତ୍ତର (ପିଜି)ପାଠ୍ୟକ୍ରମର ଶେଷବର୍ଷ (୪ର୍ଥ ସେମିଷ୍ଟର) ପରୀକ୍ଷା ଅଗଷ୍ଟ ୨୦ ସୁଦ୍ଧା ଶେଷ ହେବା ସହ ସେପ୍ଟେମ୍ବର ୨୦ ସୁଦ୍ଧା ଫଳ ପ୍ରକାଶ କରାଯିବ। ସେହିପରି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି ମହାବିଦ୍ୟାଳୟର ଯୁକ୍ତ୩ ଅନ୍ତିମ ବର୍ଷ(ଷଷ୍ଠ ସେମିଷ୍ଟର) ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ସ୍ନାତକ ପରୀକ୍ଷା ଫଳ ଅଗଷ୍ଟ ୩୧ ସୁଦ୍ଧା ପ୍ରକାଶ ପାଇବ।

ସେହିପରି ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ସେମିଷ୍ଟାର ଓ ଦ୍ବିତୀୟ ବର୍ଷର ଚତୁର୍ଥ ସେମିଷ୍ଟର ପରୀକ୍ଷା ନେଇ ପରବର୍ତ୍ତୀ ପର୍ୟ୍ୟାୟରେ ବିଭାଗ ନିଷ୍ପତ୍ତି ନେବ। ଯୁକ୍ତ୩ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ବ୍ୟାକ୍‌ ପେପରଗୁଡ଼ିକର ପରୀକ୍ଷା ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସରକାରଙ୍କ ଦ୍ବାରା ଜାରି କୋଭିଡ୍‌-୧୯ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା କରିବେ। ପରୀକ୍ଷାରେ ସାମାଜିକ ଦୂରତ୍ବ ବଜାୟ ରଖାଯିବ ସହ ହ୍ୟାଣ୍ଡୱାସ୍‌/ସାନିଟାଇଜର ବ୍ୟବହାର ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ। ଏହା ବ୍ୟତୀତ ପ୍ରାକ୍ଟିକାଲ ପରୀକ୍ଷାରେ ଭିଡ ନ କରିବା ସହ ଅଳ୍ପ ବିଦ୍ୟାର୍ଥୀଙ୍କୁ ନେଇ ବ୍ୟାଚ୍‌ ପ୍ରସ୍ତୁତ କରିବେ କର୍ତ୍ତୃପକ୍ଷ। ପରୀକ୍ଷା ପୂର୍ବରୁ ପରୀକ୍ଷାଗାର ଓ ଶ୍ରେଣୀଗୃହ ସଫା କରାଯିବା ସହ ଭଲ ଭାବେ ବିଶୋଧନ କରାଯିବ ବୋଲି ଚିଠିର ଉଲ୍ଲେଖ କରାଯାଇଛି।

Comments are closed.