ଅଭିଯୁକ୍ତର ଭିଡ଼ିଓ ଭାଇରାଲକୁ ନେଇ ଚର୍ଚ୍ଚା: ହତ୍ୟାକୁ ସ୍ୱୀକାର, ଦୁଷ୍କର୍ମକୁ ନା!

ନୟାଗଡ଼: ନୟାଗଡ଼ ବ୍ଲକ ଯଦୁପୁର ଗ୍ରାମରେ ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡରେ ଏସଆଇଟି ଦ୍ୱାରା ଗିରଫ ହୋଇ ଏବେ ଅନୁଗୋଳ ବାଳସୁଧାର ଗୃହରେ ବିଚାରାଧୀନ ବନ୍ଦୀ ଥିବା ଅଭିଯୁକ୍ତର ଭିଡ଼ିଓ ଭାଇରାଲ ହୋଇଛି। ପରୀକୁ ତଳେ ପକାଇ ତଣ୍ଟି ଚିପି ହତ୍ୟା କରିଥିବା ଏହି ଭିଡ଼ିଓରେ କହିଛି। ଅନ୍ୟପକ୍ଷରେ ତାକୁ ସେ ଦୁଷ୍କର୍ମ କରିନାହିଁ ବୋଲି କହିଛି। ଗତ ୧୬ ତାରିଖରେ ଏସଆଇଟି ୩୮୨ ପୃଷ୍ଠାର ଚାର୍ଜସିଟ ନୟାଗଡ଼ ଚିଲ‌େ‌ଡ୍ରନ କୋର୍ଟରେ ଦାଖଲ କରିଛି। ଚାର୍ଜସିଟରେ ଗିରଫ ହୋଇଥିବା ନାବାଳକକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ପୂର୍ବରୁ ଏସଆଇଟି ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ବୋଲି ବାରମ୍ବାର କହି ଆସିଥିଲା ବେଳେ ଭାଇରାଲ ଭିଡ଼ିଓରେ କିନ୍ତୁ ଅଭିଯୁକ୍ତ ଦୁଷ୍କର୍ମକୁ ଅସ୍ୱୀକାର କରିଛି। ଅନ୍ୟପକ୍ଷରେ, ଲେଗିନ୍ସକୁ ପୋଖରୀ ଜଳ ମଧ୍ୟକୁ ଫିଙ୍ଗିଥିବା ଏବଂ ଶବକୁ ଏକୁଟିଆ ବସ୍ତାରେ ପୂରାଇ ପୋଖରୀ କୂଳରେ ରଖିଥିବା କହିଛି।

ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ପୂର୍ବରୁ ପୁଲିସ ହେପାଜତରେ ଥାଇ ଅଭିଯୁକ୍ତ ଦେଇଥିବା ବୟାନର ଭିଡ଼ିଓ କିଭଳି ଏବଂ କ’ଣ ପାଇଁ ଭାଇରାଲ କରାଗଲା ତାହାକୁ ନେଇ ଏବେ ସାଧାରଣରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ପୁଲିସ ହେପାଜତରେ ଥିବାବେଳେ ଅଭିଯୁକ୍ତ ଦେଇଥିବା ବୟାନ କୋର୍ଟ ହୁଏତ ଗ୍ରହଣ କରିନପାରନ୍ତି। କୋର୍ଟରେ ନାବାଳକ ଯେଉଁ ବୟାନ ରଖିବ ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗିରଫ ଅଭିଯୁକ୍ତ ନାବାଳକ ହୋଇଥିଲା ବେଳେ ତାହାର ଭିଡ଼ିଓ ରେକର୍ଡ଼ିିଙ୍ଗ କରିବା ପାଇଁ ପୁଲିସ କୋର୍ଟଠାରୁ ଅନୁମତି ନେଇଥିଲା କି ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଆଇଟିର ଯୁକ୍ତି ଏବଂ ଆବେଦନକୁ କୋର୍ଟ ପୂର୍ବରୁ ଅନେକବାର ଆଗ୍ରହ୍ୟ କରିଦେଇଛନ୍ତି। ଏସ୍ଆଇଟି ପକ୍ଷରୁ ଅଭିଯୁକ୍ତକୁ ପ୍ରଥମେ ସାବାଳକ ଦର୍ଶାଯାଇଥିବା ଆବେଦନକୁ କୋର୍ଟ ନାକଚ କରିଦେଇଥିଲେ। ଅନୁରୂପ ଭାବେ ନାର୍କୋ ଆନାଲିସିସ, ବ୍ରେନ ମ୍ୟାପିଂ ପାଇଁ ନାବାଳକ ସମ୍ମତି ଦେଇ ନଥିଲା।

ଅନ୍ୟପକ୍ଷରେ ଏହି ଭିଡିଓ ଭାଇରାଲ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀର ମା’ ସୌଦାମିନୀ। ସେ କହିଛନ୍ତି ଯେ, ଏସଆଇଟି କୋର୍ଟକୁ ଭିଡିଓ ଦେଇଥିଲା, ତାହା ଭାଇରାଲ କେମିତି ହେଲା? ଯେଉଁମାନେ ସାକ୍ଷୀ ଅଛନ୍ତି, ସବୁ ବାବୁଲି ନାୟକ ଲୋକ। ମନ୍ତ୍ରୀ କାହାକୁ ଘୋଡ଼ାଇବାକୁ ଧମକାଉଥିଲେ? ଏସଆଇଟି ତାମସା କରୁଛି, ତା ଉପରେ ଭରସା ନାହିଁ। ତାକୁ ବାଡ଼େଇ କିମ୍ବା ଟଙ୍କା ଲୋଭ ଦେଖାଇ ଏସବୁ କୁହାଇଛନ୍ତି ବୋଲି ସୌଦାମିନୀ ଅଭିଯୋଗ ଉଠାଇଛନ୍ତି। ସେହିପରି ପରୀର ବାପା କହିଛନ୍ତି ଯେ, ଭିଡିଓ କୋର୍ଟକୁ ଦିଆଯାଇଥିଲା। କୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବାହାରେ କିପରି ଭାଇରାଲ୍ ହେଲା? ମନ୍ତ୍ରୀଙ୍କୁ ଘୋଡ଼ାଇବାକୁ ଏସଆଇଟିର ଏହା ନାଟକ। ସିବିଆଇ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସେ ଦାବି କରିଛନ୍ତି।

ଅପରପକ୍ଷରେ ଯଦି ପୋଲିସ୍ ହେପାଜତରେ ଥିବା ସମୟରେ କୌଣସି ଅଭିଯୁକ୍ତ ସ୍ୱୀକାରୋକ୍ତି ନେଇ ପ୍ରତିକ୍ରିୟା ରଖେ, ତାହା କୋର୍ଟରେ ଗ୍ରହଣୀୟ ନୁହେଁ ବୋଲି ଅବସରପ୍ରାପ୍ତ ବରିଷ୍ଠ ପୁଲିସ ମହାନିର୍ଦେଶକ ସଞ୍ଜୀବ ମାରିକ କହିଛନ୍ତି। ସେହିଭଳି ବରିଷ୍ଠ ଆଇନଜୀବୀଙ୍କ ମତରେ ପୋଲିସ୍ ଆଗରେ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ। ତା’ର କୌଣସି ପ୍ରମାଣଗତ ତଥ୍ୟ ଆଧାର ନାହିଁ କିମ୍ବା ତାହା ଏକ ପ୍ରାମାଣିକ ତଥ୍ୟ ବୋଲି ଆଇନ୍‌ରେ ଗ୍ରହଣୀୟ ନୁହେଁ। ତେବେ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଏଭଳି ଭିଡିଓ ଭାଇରାଲ ହେବା ପଛରେ କାହାର ଏବଂ କି ଅଭିସନ୍ଧି ରହିଛି ବୋଲି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Comments are closed.