ଚୀନ ସୀମା ନିକଟରେ ଶସ୍ତ୍ର ପୂଜା କଲେ ରାଜନାଥ ; କହିଲେ- ଇଞ୍ଚେ ଜମିର ମଧ୍ୟ ସୁରକ୍ଷା କରିବ ଭାରତୀୟ ସେନା

ଗ୍ୟାଙ୍ଗଟକ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ ଦାର୍ଜିଲିଂର ସୁକନା ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସିକ୍କିମଠାରେ ଚୀନ ସୀମା ନିକଟରେ ସେ ଶସ୍ତ୍ର ପୂଜା କରିଛନ୍ତି। ପଶ୍ଚିମବଙ୍ଗ ଏବଂ ସିକ୍କିମକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ଶ୍ରୀ ସିଂହ ସୀମା ସଡ଼କ ସଂଗଠନ (ବିଆରଓ) ଦ୍ୱାରା ବିକଳ୍ପ ଆଲାଇନମେଣ୍ଟ ଗ୍ୟାଙ୍ଗଟକ୍-ନାଥୁଲା ସଡ଼କକୁ ଉଦଘାଟନ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ କହିଛନ୍ତି ଯେ, ଭାରତ ଚାହୁଁଛି ଚୀନ୍ ଏବଂ ଭାରତ ସୀମାରେ ଶାନ୍ତି ବଜାୟ ରହିବା ଉଚିତ ଏବଂ ଉତ୍ତେଜନା ଦୂର ହେବା ଆବଶ୍ୟକ। କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ ଆମର ସେନା କାହାକୁ ଏକ ଇଞ୍ଚ ଜମି  ଉପରେ ଅଧିକାର କରିବାକୁ ଅନୁମତି ଦେବ ନାହିଁ।

ଏହି ଅବସରରେ ରାଜନାଥ କହିଛନ୍ତି, ଯେ ସିକ୍କିମର ଅଧିକାଂଶ ସୀମାନ୍ତ ରାସ୍ତାକୁ ଡ଼ବଲ ଲେନରେ ନବୀକରଣ କରାଯାଉଛି। ଏଥିମଧ୍ୟରୁ ପୂର୍ବ ସିକ୍କିମରେ ୬୫ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ୫୫ କିଲୋମିଟର ରାସ୍ତା ନିର୍ମାଣର ଯୋଜନା ରହିଛି।

ସେ କହିଛନ୍ତି ଯେ ଉତ୍ତର ସିକ୍କିମରେ ଭରତମାଳା ପ୍ରକଳ୍ପ ଅଧୀନରେ ‘ମାଙ୍ଗାନ-ଚୁଗଥାଙ୍ଗ-ଇମ୍ସେମଡଙ୍ଗ’ ଏବଂ ‘ଚୁଗଥାଙ୍ଗ-ଲାଚେନ୍-ଜିମା-ମୋଗୁଥାଙ୍ଗ-ନାକୁଲା’ ପର୍ଯ୍ୟନ୍ତ ୨୨୫  କିଲୋମିଟର ଡବଲ୍ ଲେନ୍ ରାସ୍ତା ନିର୍ମାଣ ଯୋଜନା କରାଯାଇଛି। ପ୍ରାୟ ୫୭୧୦ କୋଟି ଟଙ୍କା ସହିତ ୯ଟି ପ୍ୟାକେଜରେ ଏହି କାର୍ଯ୍ୟର ଯୋଜନା କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଶସ୍ତ୍ର ପୂଜା ସମୟରେ ଭାରତୀୟ ସେନାର ଅଧିକାରୀ ଏବଂ ସୈନିକମାନେ ଉପସ୍ଥିତ ଥିଲେ। ଯେଉଁଠାରେ ସେମାନେ ଶସ୍ତ୍ର ପୂଜା କରିଥିଲେ। ସୂଚନାଯୋଗ୍ୟ ବିଜୟାଦଶମୀ ଦିନ ଶସ୍ତ୍ର ପୂଜା କରିବାର ପରମ୍ପରା ଅଛି।

 

Comments are closed.