ଦୀପାବଳିରେ ଧନବୃଦ୍ଧି ପାଇଁ କାହିଁକି କରାଯାଇଥାଏ ଲକ୍ଷ୍ମୀ ଏବଂ ଗଣେଶଙ୍କର ପୂଜା

କଥା ଅନୁସାରେ, ଥରେ ଜଣେ ସାଧୁ ମନରେ ରାଜସିକ ସୁଖ ହାସଲ କରିବାର ବିଚାର ଆସିଲା । ତେଣୁ ସେ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କରିବା ଆରମ୍ଭ କଲା । ସାଧୁର ତପସ୍ୟାରେ ପ୍ରସନ୍ନ ହୋଇ ମା’ଲକ୍ଷ୍ମୀ ସେ ଚାହୁଁଥିବା ବର ତାକୁ ପ୍ରଦାନ କରିଥିଲେ । ବର ପାଇବା ପରେ ସେ ସାଧୁ ରାଜାଙ୍କ ଦରବାରରେ ପହଞ୍ଚିଲା ଓ ସିଂହାସନ ଉପରେ ଚଢି ରାଜାଙ୍କ ମୁକୁଟ ତଳକୁ ପକାଇ ଦେଇଥିଲା । ରାଜା ଦେଖିଲେ ମୁକୁଟ ଭିତରୁ ଏକ ବିଷଧର ସାପ ବାହାରି ପଳାଇଲା ।

ଏହା ଦେଖି ରାଜା ବହୁତ ପ୍ରସନ୍ନ ହେଲେ , କାରଣ ସାଧୁ ସାପ କବଳରୁ ରାଜାଙ୍କୁ ରକ୍ଷା କଲା । ସେହିପରି ଥରେ ସାଧୁ ରାଜମହଲରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଖୁବ୍‍ ଶୀଘ୍ର ରାଜମହଲ ଛାଡ଼ି ବାହାରକୁ ଯିବା ପାଇଁ କହିଲା । ସମସ୍ତେ ବାହାରକୁ ବାହାରିଯିବା ମାତ୍ରେ ରାଜମହଲ ଭୁଷୁଡ଼ି ପଡ଼ିଥିଲା । ଏନେଇ ରାଜା ପୁଣି ତା’ର ପ୍ରଶଂସା କଲେ ଓ ଖୁବ୍‍ ଧନସମ୍ପତ୍ତି ଦେଲେ । ବାରମ୍ବାର ନିଜ ପ୍ରଶଂସା ଶୁଣି ସାଧୁ ମନରେ ଅହଙ୍କାର ଆସିବାକୁ ଲାଗିଲା ଓ ତା’ର ବ୍ୟବହାରରେ ପରିବର୍ତ୍ତନ ଦେଖାଦେଲା ।

ତେଣୁ ଧିରେ ଧିରେ ରାଜାଙ୍କ ସମେତ ଅନ୍ୟ ସମସ୍ତେ ଯେଉଁମାନେ ତାକୁ ଖୁବ୍‍ ଭଲ ପାଉଥିଲେ ସେ ସମସ୍ତେ ତାକୁ ଘୃଣା କରିବାକୁ ଲାଗିଲେ । ଏଥିସହିତ ତା’ ଉପରେ ପ୍ରସନ୍ନ ହୋଇ ରାଜା ରାଜଦରବାରରେ ତାକୁ ଦେଇଥିବା ଏକ ବିଶେଷ ସ୍ଥାନରୁ ମଧ୍ୟ ତାକୁ ହଟାଇ ଦେଇଥିଲେ ।
ସାଧୁକୁ ନିଜ ଭୁଲର ପଶ୍ଚାତାପ ହେଲା ସେ ଗଣେଶଙ୍କୁ ପ୍ରସନ୍ନ କଲା ଓ ଗଣେଶ ପ୍ରସନ୍ନ ହେବା ଦ୍ୱାରା ସାଧୁ ଉପରେ ରାଜାଙ୍କର ଥିବା ରାଗ କମି ଯାଇଥିଲା ଓ ସାଧୁକୁ ତା’ର ସ୍ଥାନ ପୁନର୍ବାର ଦିଆଗଲା ।

ସେଥିପାଇଁ କୁହାଯାଏ, ଧନ ପାଇଁ ବୁଦ୍ଧିର ଆବଶ୍ୟକତା ରହିଛି । ତେଣୁ ଦୀପାବଳୀରେ ମା’ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ରୂପରେ ଧନ ଓ ବୁଦ୍ଧିର ପୂଜା କରାଯାଇଥାଏ ।

Comments are closed.