ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା ‘ନିବାର’, କାଲି ସନ୍ଧ୍ୟାରେ ଅତିକ୍ରମ କରିବ ଉପକୂଳ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି। ଏହି ଘୂର୍ଣ୍ଣିବାତ୍ୟାର ନାମ ‘ନିବାର’ ରଖାଯାଇଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତ ସଂଧ୍ୟାରୁ ବର୍ଷା ଲାଗି ରହିଛି। ଚେନ୍ନାଇସ୍ଥିତ ପାଣିପାଗ କାର୍ଯ୍ୟାଳୟ କହିଛି ନିବାର ଘୂର୍ଣ୍ଣିବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ବେଗ ଘଣ୍ଟାପ୍ରତି ୫ କିଲୋମିଟର ରହିଛି।
ଘୂର୍ଣ୍ଣିବାତ୍ୟା ବର୍ତ୍ତମାନ ଚେନ୍ନାଇଠାରୁ ୪୫୦ କିଲୋମିଟର ଦକ୍ଷିଣ-ପୂର୍ବ ଓ ପୁଡୁଚେରୀଠାରୁ ୪୧୦ କିଲୋମିଟର ଦକ୍ଷିଣ-ପୂର୍ବକୁ ଏକ ଅଞ୍ଚଳରେ ଅବସ୍ଥାନ କରିଛି। ଆସନ୍ତା ୨୪ଘଣ୍ଟା ଭିତରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ। ଆସନ୍ତାକାଲି ସଂଧ୍ୟାରେ ଏହା କରାଇକଲ ଓ ମାଲାପୁରମ୍ ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ। ଘୂର୍ଣ୍ଣିବାତ୍ୟା ସ୍ଥଳଭାଗକୁ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବାର ଅନୁମାନ କରାଯାଉଛି ଓ ସମୟେ ସମୟେ ପବନର ବେଗ ୧୨୦ କିଲୋମିଟରକୁ ବୃଦ୍ଧି ପାଇପାରେ।
ଇତିମଧ୍ୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡି ପାଲାମୀସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରି ଘୂର୍ଣ୍ଣିବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ଜଣାଇଛନ୍ତି। ଘୂର୍ଣ୍ଣିବାତ୍ୟା ଯେଉଁ ଅଞ୍ଚଳ ଦେଇ ଯିବାର ସମ୍ଭାବନା ଅଛି, ସେହିସବୁ ଅଞ୍ଚଳର ଜିଲ୍ଲା କର୍ତ୍ତୃପକ୍ଷ ଲୋକମାନଙ୍କୁ ନିରାପଦ ଅଞ୍ଚଳକୁ ପଠାଇ ଦେଇଛନ୍ତି। କୋଭିଡ ଯୋଗୁଁ ଶାରିରୀକ ଦୂରତା ନିୟମ ସହ ଆଶ୍ରୟସ୍ଥଳୀ ଓ ରିଲିଫ କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ମାନ ସ୍ଥାପନ କରାଯାଇଛି। ପାଣି ଖାଲି କରିବା ପାଇଁ ଜେନେରେଟର ଓ ପମ୍ପସେଟ୍ଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛି। ବନ୍ୟାପ୍ରବଣ ଅଞ୍ଚଳ ଗୁଡ଼ିକରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।