କ୍ରିକେଟ ପ୍ରେମୀଙ୍କ ପାଇଁ ଖରାପ ଖବର: ସ୍ଥଗିତ ରହିପାରେ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‍

ମେଲ୍‍ବୋର୍ଣ୍ଣ : ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍‍କୁ ସ୍ଥଗିତ ରଖିବା ଲାଗି ଔପଚାରିକ ଘୋଷଣା ଚଳିତ ସପ୍ତାହରେ ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି) କରିପାରେ। ଶୁକ୍ରବାର ଆଇସିସିର ଅଧିକାରୀମାନଙ୍କ ବୈଠକ ଡକାଯାଇଛି। ଏହି ବୈଠକ ପରେ ଆଇସିସି ଏହି ବିଶ୍ୱକପ୍‍କୁ ସ୍ଥଗିତ ରଖିବା ନେଇ ଔପଚାରିକ ଭାବେ ଘୋଷଣା କରିପାରେ। ଚଳିତବର୍ଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବ ବୋଲି ବହୁପୂର୍ବରୁ ଘୋଷଣା ହୋଇଥିଲା। ତେବେ ସାରାବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ୧୬ଟି ଦଳଙ୍କୁ ନେଇ ବିଶ୍ୱକପ୍‍ ପରି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଅସମ୍ଭବ ବୋଲି ଆଇସିସି ଜାଣିସାରିଛି। ବହୁପୂର୍ବରୁ ଆଇସିସି ଏହି ବିଶ୍ୱକପ୍‍କୁ ସ୍ଥଗିତ ରଖିବା କଥା ଘୋଷଣା କରିବ ବୋଲି ଅନୁମାନ କରା ଯାଇଥିଲେ ହେଁ ଆଉ କିଛିଦିନ ଅପେକ୍ଷା କରିଥିଲା।
ଅଷ୍ଟ୍ରେଲିଆ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାରର ବୈଠକରେ ଏହି ବିଶ୍ୱକପ୍‍ କେବେ ଆୟୋଜନ ହେବ; ତାହା ଘୋଷଣା ହୋଇନପାରେ। ଅଷ୍ଟ୍ରେଲିଆ ଏହି ବିଶ୍ୱକପ୍‍କୁ ୨୦୨୧ ଅକ୍ଟୋବରରେ ଆୟୋଜନ ପାଇଁ ଆଶାୟୀ ଅଛି। ହେଲେ ୨୦୨୧ ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ର ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି। ତେଣୁ ଭାରତ ୨୦୨୧ ଟି୨୦ ବିଶ୍ୱକପ୍‍କୁ ଘୁଞ୍ଚାଇବାକୁ ଆଦୌ ଚାହିଁବନାହିଁ। ତେଣୁ ଅଷ୍ଟ୍ରେଲିଆକୁ ୨୦୨୨ରେ ଏହି ବିଶ୍ୱକପ୍‍ ଆୟୋଜନର ସୁଯୋଗ ମିଳିପାରେ। ଏଣେ ସେପ୍ଟେମ୍ବରରେ ଦିନିକିଆ ସିରିଜ୍‍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇପାରେ ଅଷ୍ଟ୍ରେଲିଆ ଦଳ। ଅଷ୍ଟ୍ରେଲିଆ ଗଣମାଧ୍ୟମ ଏହା ମଧ୍ୟ ପ୍ରକାଶ କରିଛି ଯେ ଚଳିତବର୍ଷର ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ ସ୍ଥଗିତ ରହିଲେ ବିସିସିଆଇ ନିଶ୍ଚୟ ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଆୟୋଜନ କରିବାର ସୁଯୋଗ ପାଇବ। ଅକ୍ଟୋବର-ନଭେମ୍ବରରେ ବିସିିସିସିଆଇ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ) କିମ୍ବା ଶ୍ରୀଲଙ୍କାରେ ଆଇପିଏଲ୍‍ ଆୟୋଜନ କରିପାରେ। କାରଣ ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ଆସନ୍ତା କିଛିମାସରେ ସ୍ଥିତି ସୁଧୁରିବ ବୋଲି ବିସିସିଆଇର ବିଶ୍ୱାସ ନାହିଁ। ତେଣୁ ବିଦେଶରେ ଆଇପିଏଲ୍‍ ଆୟୋଜନ କରିବା ଏହା ପାଖରେ ଏକମାତ୍ର ବିକଳ୍ପ। ପୁଣି ଏଥିପାଇଁ ୟୁଏଇ ଓ ଶ୍ରୀଲଙ୍କା କ୍ରିକେଟ୍‍ ବୋର୍ଡ ପ୍ରସ୍ତୁତ ଥିବା କଥା କହି ସାରିଛନ୍ତି। ପୁଣି ୟୁଏଇ କିମ୍ବା ଶ୍ରୀଲଙ୍କାରେ ଆଇପିଏଲ୍‍ ଆୟୋଜନ ହେଲେ ଅଷ୍ଟ୍ରେଲୀୟ କ୍ରିକେଟର ଖେଳିପାରନ୍ତି। ସେମାନେ ଇଂଲଣ୍ଡରୁ ସିଧା ଆୟୋଜକ ଦେଶକୁ ଯାଇପାରିବେ ଏବଂ ସେମାନଙ୍କୁ ୨ୟ ଥର କ୍ୱାରେଣ୍ଟାଇନ୍‍ରେ ରହିବାକୁ ପଡ଼ିବ ନାହିଁ। ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ ସ୍ଥଗିତ ରହିବା କଥା ଆଇସିସି ଘୋଷଣା କରିନଥିଲେ ହେଁ ବିସିସିଆଇ ବିଦେଶରେ ଆଇପିଏଲ୍‍ ଆୟୋଜନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତି ଆରମ୍ଭ କରିଛି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବଦଳରେ ଆଇପିଏଲ୍‌ ଆୟୋଜନ ଉଦ୍ୟମକୁ ଇଞ୍ଜାମାମ୍‌ଙ୍କ ନାପସନ୍ଦ

କରାଚି: ଚଳିତବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍‍କୁ ସ୍ଥଗିତ ରଖିବାକୁ ଚଳିତ ସପ୍ତାହରେ ଆଇସିସି ଘୋଷଣା କରାଯିବାର ସମ୍ଭାବନା ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ସ୍ଥଗିତ ରଖାଯିବ ବୋଲି ଆଲୋଚନା ହେଉଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସ୍ଥଗିତ ରହିଲେ ସେହି ସମୟରେ ବିସିସିଆଇ ଆନୁକୂଲ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ଆୟୋଜନ ପାଇଁ ଉଦ୍ୟମ ହେବ ବୋଲି ସୂଚନା ମିଳିବା ପରେ ଏହାକୁ ନାପସନ୍ଦ କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ୍‌ ହକ୍‌। ୟୁ ଟ୍ୟୁବ୍‌​ରେ ଏକ ଭିଡିଓ ପୋଷ୍ଟ କରି ଇଞ୍ଜାମାମ୍ କହିଛନ୍ତି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବଦଳରେ ଆଇପିଏଲ୍‌ ଆୟୋଜନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି, ଯାହାକି ଗ୍ରହଣୀୟ ନୁହେଁ। ଆଇପିଏଲ୍‌ ଆୟୋଜନ କରୁଥିବା ବିସିସିଆଇ ଏକ ଶକ୍ତିଶାଳୀ କ୍ରିକେଟ୍ ବୋର୍ଡ ଏବଂ ଆଇସିସି ଉପରେ ଏହାର ପ୍ରାଧାନ୍ୟ ଢ଼େର୍‌ ଅଧିକ। ତେଣୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ସ୍ଥଗିତ ରଖି ଆଇପିଏଲ୍‌ ଆୟୋଜନ କରିବାକୁ ବିସିସିଆଇ ଜୋରଦାର୍‌ ପ୍ରୟାସ ଚଳାଇଛି। ଏପରି କରାଯିବା କ୍ରିକେଟ୍‌ର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କ୍ଷତିକାରକ। ଏପରି ହେଲେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। କରୋନା ସଂକ୍ରମଣଜନିତ ପରିସ୍ଥିତିରେ ସବୁ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇ ଯଦି ଆଇପିଏଲ୍‌ ଆୟୋଜିତ ହୋଇପାରିବ ତେବେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନରେ ବାଧା କେଉଁଠି ବୋଲି ୫୦ ବର୍ଷୀୟ ଇଞ୍ଜାମାମ୍ ପ୍ରଶ୍ନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ (ଟ୍ବେଣ୍ଟି୨୦ ବିଶ୍ବକପ୍‌) ସ୍ଥାନରେ ଘରୋଇ କ୍ରିକେଟ୍ ଲିଗ୍‌ (ଆଇପିଏଲ୍‌) ଆୟୋଜନକୁ ଆଇସିସି ଆଦୌ ପ୍ରଶ୍ରୟ ଦେବା ଉଚିତ୍‌ ନୁହେଁ ବୋଲି ଇଞ୍ଜାମାମ୍‌ କହିଛନ୍ତି।

Comments are closed.