MEllora 950×100

ମିଳୁନି କାମଧନ୍ଦା, ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ

ଦେବଗଡ଼:ଗ୍ରାମାଂଚଳର ବିକାଶ ସମେତ ଓ କାମଧନ୍ଦା ପାଉନଥିବା ଶ୍ରମିକମାନଙ୍କୁ କର୍ମନିଯୁକ୍ତି ପ୍ରଦାନ ଉଦ୍ଦେଶ୍ୟରେ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ମନରେଗା)ଆରମ୍ଭ କରିଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଟ ନିର୍ବାଚିତ ଲୋକ ପ୍ରତିନିଧି, ଯନ୍ତ୍ରୀ ଓ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦେବଗଡ ଜିଲାରେ ଏହି ଯୋଜନା ପ୍ରହଶନରେ ପରିଣତ ହୋଇଛି। ଶ୍ରମିକମାନେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ହେଁ ମନରେଗା ଅଧିନସ୍ଥ ନିର୍ମାଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱି’ ପ୍ରହରେ ମ୍ୟାସିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକ ମାନେ କାମଧନ୍ଦାରୁ ବଞ୍ଚିତ ହେବାସହ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମନରେଗା ଯୋଜନା ଆରମ୍ଭ ହୋଇଛି ତାହା ସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଛି। ଏହି କ୍ରମରେ ମନରେଗା ଯୋଜନାରୁ ରିଆମାଳ ବ୍ଲକ ପରା ଗ୍ରାମ ପଂଚାୟତର ପିଡବ୍ଲୁଡି ରାସ୍ତାରୁ ରୁଟାନାଳୀ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ପିଡବ୍ଲୁଡି ରାସ୍ତା-ରୁଟାନାଳୀ ରାସ୍ତାର ଉନ୍ନତିକରଣ ନିମନ୍ତେ ସରକାର ୨୦୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରୁ ୫ଲକ୍ଷ ଟଙ୍କା ମଂଜୁର କରିଥିଲେ। ତେବେ ଏହାର ନିର୍ମାଣ/ଉନ୍ନତିକରଣ କାର୍ଯ୍ୟରେ କୌଣସି ଶ୍ରମିକଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱି’ପ୍ରହରେ ମ୍ୟାସିନ ଦ୍ୱାରା ନିର୍ମାଣ କରାଯାଉଛି। ଫଳରେ କାମ ଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ସମ୍ପୃକ୍ତ ଅଂଚଳର ଶ୍ରମିକ ମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ଦେଖିବାକୁ ମିଳିଛି। ସେହିପରି ନିର୍ଦ୍ଦିଷ୍ଟ ନିର୍ବାଚିତ ଲୋକ ପ୍ରତିନିଧି – ପଂଚାୟତ ନିର୍ବିାହୀ ଅଧିକାରୀ-ଯନ୍ତ୍ରୀଙ୍କ ଅସାଧୁ ମେଂଟ ଯୋଗୁଁ ସରକାରୀ ନୀତି ନିୟମର ଖୋଲା ଉଲ୍ଲଙ୍ଘନ କରାଯାଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ରିଆମାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ବୁଦ୍ଧଦେବ ଜେନା ଏ ସମ୍ପର୍କରେ ସେ ବୁଝିବା ପରେ କହିବେ ବୋଲି ଉତ୍ତର ଦେଇଛନ୍ତି। ଏଣୁ ଖୋଦ ଜିଲାପାଳ ଏବଂ ଭିଜିଲାନ୍ସ ବିଭାଗ ଏ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.