ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ କ୍ଷେତ ପୋଖରୀ ଖନନରେ ଦୁର୍ନୀତି, ଭିଜିଲାନ୍ସ ତଦନ୍ତ ଦାବି

୩୦ ପ୍ରତିଶତ କାମ ନସରୁଣୁ ୮୦ ପ୍ରତିଶତ ପ୍ରାପ୍ୟ ପ୍ରଦାନ ଓ କାମ କରିନଥିବା ଶ୍ରମିକଙ୍କଠାରୁ ଅର୍ଥ ଆଦାୟ

ଦେବଗଡ:ଦେବଗଡ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମନରେଗା ଯୋଜନାରେ କରାଯାଉଥିବା ଫାର୍ମ ପଣ୍ଡ(କ୍ଷେତ ପୋଖରୀ) ଓ ଜମି ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଜିଲାର ବିଭିନ୍ନ ସ୍ଥାନରେ ଏକି ଶ୍ରମିକ ବଦଳରେ ମ୍ୟାସିନ ଦ୍ୱାରା ଏହି କାମ ଗୁଡିକ କରାଯାଉଥିବା ଜଣାପଡିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ଶ୍ରମିକ ମାନଙ୍କର ଜବକାର୍ଡ ବ୍ୟବହାର କରାଯାଇ ସେମାନଙ୍କ ନାମରେ ଶ୍ରମକାର୍ଯ୍ୟ କରାଯାଉଥିବା ଦର୍ଶାଯାଇ ବ୍ୟାଙ୍କ ଏକାଉଂଟରେ ଟଙ୍କା ଡିପୋଜିଟ କରାଯିବା ସହ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଟଙ୍କା ଅସୁଲ କରାଯାଉଛି। ଟାର୍ଗେଟ ପୂରଣ ପାଇଁ କେତେକ କ୍ଷେତ୍ରରେ ଫାର୍ମ ପଣ୍ଡର ୨୫/୩୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇନଥିଲେ ହେଁ ୮୦/୯୦ ପ୍ରତିଶତ କାମ ହୋଇଥିବା ଦର୍ଶାଇ ଶ୍ରମିକ ମାନଙ୍କ ବ୍ୟାଙ୍କ/ପୋଷ୍ଟ ଅଫିସ ଆକାଉଣ୍ଟରେ ଟଙ୍କା ଜମା କରାଯାଉଛି ଓ ଏହି ଟଙ୍କାକୁ ବିଭାଗୀୟ କର୍ମଚାରୀ ମାନେ କାମ କରିନଥିବା ଶ୍ରମିକ ମାନଙ୍କ ନିକଟରୁ ଆଦାୟ କରାଯଉଥିବା ଅଭିଯୋଗ ହେଉଛି। ଭାତ ହାଣ୍ଡିରୁ ଗୋଟିଏ ଭଳି ରିଆମାଳ ବ୍ଲକ ନୂଆଁଡିହୀ ଗ୍ରାମ ପଂଚାୟତର ମହାସିନ୍ଧୁ ଗ୍ରାମରେ ନିର୍ମଣାଧିନ ଅଶାଢୁ କିସାନଙ୍କ ପୋଖରୀକୁ ଯଦି ଉଦାହରଣ ଭାବେ ନିଆଯାଏତ ତେବେ ଜିଲାରେ ଫାର୍ମପଣ୍ଡ ଓ ଜମି ଉନ୍ନୟନ କାର୍ଯ୍ୟରେ କିଭଳି ଦୁର୍ନୀତି ଚାଲିଛି ତାହା ସ୍ପଷ୍ଟ ଭାବେ ଜଣାପଡେ। ମିିଲିଥିବା ସୂଚନା। ଅନୁଯାୟୀ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ମହାସିନ୍ଧୁ ଗ୍ରାମର ଅଶାଢୁ କିସାନଙ୍କ ନାମରେ ମନରେଗା ଯୋଜନାରୁ ୧ଲକ୍ଷ ୭୭ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ଫାର୍ମ ପଣ୍ଡ ମଞ୍ଜୁର ହୋଇଥିଲା। ନିୟମ ଅନୁଯାୟୀ ନିର୍ମଣ କାର୍ଯ୍ୟ ହେବା ପୂର୍ବରୁ ସୂଚନା ଫଳକ ନିର୍ମାଣ ହେବା ସହ ଏଥିରେ ୱାର୍କ କୋଡ ଉଲ୍ଲେଖ କରାଯିବା କଥା। ସେହିପରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଓ ଚାଲିଥିବା ସମୟର ଫଟୋ ବିଭାଗୀୟ ୱେବସାଇଟରେ ଅପଲୋଡ କରାଯିବା କଥା। ସେହିପରି ଏହା ସମ୍ପୁର୍ଣ୍ଣ ଭାବେ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ମ୍ୟସିନ ଦ୍ୱାର କାମ କରାନଯାଇ ନିର୍ମାଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯିବା କଥା। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଏହି ଫାର୍ମ ପଣ୍ଡର ନିର୍ମାଣ କାର୍ଯ୍ୟରେ ସମସ୍ତ ପ୍ରକାର ନୀତି ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଜଣାପଡିଛି। ନିର୍ମାଣ କାର୍ଯ୍ୟରେ ଆଦୌ ଶ୍ରମିକଙ୍କୁ ନିୟୋଜିତ କରାନଯାଇ ମ୍ୟାସିନ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି।

ଗତକାଲି ( ମଇ ୧୭ ତାରିଖ ସୁଦ୍ଧା)ସୁଦ୍ଧା ନିର୍ମାଣ କାର୍ଯ୍ୟର ୩୦ ପ୍ରତିଶତ କାମ ଶେଷ ହୋଇନଥିବା ବେଳେ ଏହାର ନିର୍ମାଣର ପାରିଶ୍ରମିକ ବାବଦକୁ ଶ୍ରମିକ ମାନଙ୍କ ବ୍ୟାଙ୍କ/ପୋଷ୍ଟ ଅଫିସ ଆକାଉଣ୍ଟ ଗୁଡିକରେ ଏକଲକ୍ଷ ୩୭ ହଜାର ୬୫୫ ଟଙ୍କା ଜମା କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପକ୍ଷରେ କାମ କରିନଥିବା ଶ୍ରମିକ ମାନଙ୍କ ଏକାଉଂଟରେ ଟଙ୍କା ଜମା କରାଯିବା ପରେ ଜଣେ ବିଭାଗୀୟ କର୍ମଚାରୀ ୨/୩ ଶହ ଟଙ୍କା ଲେଖାଏଁ କାଟି ଅବଶିଷ୍ଟ ଟଙ୍କା ଏକାଉଂଟରୁ ବାହାର କରି ଦେବାପାଇଁ ସେମାନଙ୍କୁ (କାମ କରିନଥିବା ଶ୍ରମିକ ମାନଙ୍କୁ)ବାଧ୍ୟ କରାଯାଉଛି। ଉକ୍ତ ଗ୍ରାମର ଭବାନୀ ପ୍ରଧାନ ନାମ୍ନି ଜଣେ ଶ୍ରମିକଙ୍କ କହିବା କଥା ହେଲା ଯେ, ସେ କିମ୍ବା ତାଙ୍କ ସ୍ୱାମୀ କୌଣସି ମନରେଗା କାର୍ଯ୍ୟ କରିନଥିବା ବେଳେ ସେମାନଙ୍କର ଅଜଣାତରେ ତାଙ୍କର ଓ ତାଙ୍କ ସ୍ୱାମୀଙ୍କ ନାମରେ ଟଙ୍କା ଜମାହୋଇଥିବା ଏବଂ ବିଭାଗର ଜଣେ ଅସ୍ଥାୟୀ କର୍ମଚାରୀ ତାଙ୍କଠାରୁ ଉକ୍ତ ଟଙ୍କା ଦାବି କରୁଥିବା ଭବାନୀଙ୍କ ସମେତ ଉକ୍ତ ଗ୍ରାମର ବହୁ ଶ୍ରମିକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଏ ସମ୍ପର୍କରେ ମତାମତ ପାଇଁ ଗତକାଲି ମୃତିକା ସଂରକ୍ଷକ ଓ ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥିଙ୍କ ମତାମତ ଲୋଡିବାରୁ ଖୁବ ଶୀଘ୍ର ଏବିଷୟରେ ବୁଝି କହିବେ ବୋଲି ଉତ୍ତର ଦେଇଥିଲେ। ମାତ୍ର ଆଜି ପୁଣିଥରେ ଯୋଗାଯୋଗ କରିବାରୁ ସେ ସଂଧ୍ୟାରେ କହିବି କହି ସମୟ ଗଡାଇ ଚାଲିଥିବାବେଳେ ଏ ଘଟଣାକୁ ଲୁଚାଇବା ନିମନ୍ତେ ଗତକାଲି ରାତ୍ରୀ ତମାମ ମ୍ୟାସିନ ସାହାଯ୍ୟରେ ଉକ୍ତ ଫାର୍ମଫଣ୍ଡର ନିର୍ମାଣ କାର୍ଯ୍ୟ କରାଯାଇଥିବା ଜଣାପଡିଛି। ଗତକାଲି ରାତ୍ରୀରେ ମ୍ୟାସିନ ସାହାଯ୍ୟରେ ଉକ୍ତ ଫାର୍ମପଣ୍ଡ ଖୋଳାଯାଉଥିବା ଫାର୍ମ ପଣ୍ଡର ଅନତିଦୂରରେ ରହିଥିବା ଖୋଦ ହିତାଧିକାରୀ ଅଶାଢୁଙ୍କ ଭାଇବୋହୁ ପୁଷ୍ପା କିସାନ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରିଆମାଳ ବ୍ଲକର ପିଆଇଏ ସିଂହରାମ ମୁର୍ମୂ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରି ଉକ୍ତ ଅନିୟମିତତାକୁ ଲୁଚାଇବା ନିମନ୍ତେ ଆଜି ଉକ୍ତ ପୋଖରୀର ନିର୍ମାଣ କାର୍ଯ୍ୟ ଚାଲିଥିବା ସଫେଇ ଦେଇଛନ୍ତି। ଏଣୁ ଖୋଦ ଜିଲାପାଳ ଏବଂ ଭିଜିଲାନ୍ସ ବିଭାଗ ଏଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Comments are closed.