ବାଳିଆପିଟା ନାଳରୁ ନିର୍ମାଣକାରୀ ସଂସ୍ଥା ଦ୍ୱାରା ଚାଲିଛି ବେଆଇନ ବାଲି ଲୁଟ

ନିରବଦ୍ରଷ୍ଟା ସାଜିଛନ୍ତି ରାଜସ୍ୱ ବିଭାଗ,ପୁଲିସ ଓ ନିର୍ବାଚିତ ଲୋକପ୍ରତିନିଧି

ଦେବଗଡ : ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ବିଗତ କିଛିମାସ ହେଲା ନିମ୍ନ ମାନର କାର୍ଯ୍ୟ ଏବଂ ଫ୍ଲାଇ ଓଭର ଭୁଷୁଡିବା ଘଟଣା ପାଇଁ ଚର୍ଚ୍ଚାରେ ରହିଆସିଥିବା ବେଳେ ଏବେ ବାଳିଆପିଟା ନାଳରୁ ବେଆଇନ ଭାବେ ବାଲି ଉତ୍ତୋଳନ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛି। ତେବେ ରାଜସ୍ୱ ବିଭାଗର କେତେକ ନିର୍ଦ୍ଦିଷ୍ଟ ଅସାଧୁ ଅଧିକାରୀ ଓ କର୍ମଚାରୀ ଏବଂ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କର ପ୍ରଛନ୍ନ ସମର୍ଥନ ରହିଥିବାରୁ ଉକ୍ତ ନିର୍ମାଣକାରୀ ସଂସ୍ଥା ଦିନ ଦ୍ୱିପ୍ରହରେ ବେଆଇନ ଭାବେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରିବାକୁ କୁଣ୍ଠାବୋଧ କରୁନଥିଭା ସାଧାରଣରେ ଆଲୋଚନା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୪କି.ମି. ଦେବଗଡ ତହସିଲ କାର୍ଯ୍ୟାଳୟରୁ ମାତ୍ର ୨କିମି ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ମାତ୍ର ଏକ କି.ମି.ଦୂରତ୍ୱ ମଧ୍ୟରେ ୪୯ ନମ୍ବର ଜାତୀୟ ରାଜପଥର ଅନତି ଦୂରରେ ରହିଥିବା ବାଳିଆପିଟା ନାଳରୁ ଦିନ ଦ୍ୱିପ୍ରହରେ ବେଆଇନ ଭାବେ ଶହଶହ ଟ୍ରିପ ବାଲି ଉଚ୍ଚ କ୍ଷମତା ସମ୍ପନ୍ନ ମ୍ୟାସିନ ସହାୟତାରେ ଉତ୍ତୋଳନ କରାଯିବା ସହ ଉକ୍ତ ବାଲିକୁ ହାଇୱା ଟ୍ରକଯୋଗେ ଚାଲାଣ କରି ୪୯ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଦିନ ଦ୍ୱି ପ୍ରହରେ ଚାଲୁଥିବା ଏଭଳି ବେଆଇନ କାର୍ଯ୍ୟ ୪୯ ନମ୍ବର ଜାତୀୟ ରାଜପଥର ଅନତି ଦୂରରେ ଚାଲିଥିବାରୁ ଏହା ଉକ୍ତ ରାଜପଥ ଦେଇ ଯାତାୟତ କରୁଥିବା ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ , ରାଜନୈତିକ ଦଳର ନେତୃବୃନ୍ଦ ଓ ଏପରିକି ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଜଳଜଳ ହୋଇ ଦେଖାଯାଇଥାଏ। ମାତ୍ର ଅଶ୍ଚର୍ଯ୍ୟର କଥା ଏହା ଯେ, ଏଥିରେ ରାଜସ୍ୱ ବିଭାଗର କୌଣସି କଜର୍ମଚାରୀ/ଅଧିକାରୀ, ପୁଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତା କିମ୍ବା ନିର୍ବାଚିତ ଲୋକ ପ୍ରତିନିଧି କେହି ହେଲେ ଆପତ୍ତି ଉଠାଉ ନାହାନ୍ତି। ଫଳରେ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଏଭଳି ବେଆଇନ ବାଲି ଉତ୍ତୋଳନକୁ ନିର୍ବିଘ୍ନରେ ଜାରି ରଖିଛି। ଏନେଇ ବହୁ ସଚେତନ ନାଗରିକ ଓ ଜନସାଧାରଣ ଦେବଗଡ ରାଜସ୍ୱ ନିରୀକ୍ଷକଙ୍କ ଠାରୁ ତହସିଲଦାର ଓ ଏପରିକି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଏନ୍‍.ଏଚ୍‍.ଏ.ଆଇ.ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପର୍ଯନ୍ତ ପ୍ରାୟ ସମସ୍ତଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଲୁନାହିଁ। ଫଳରେ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଏନ୍‍.ଏଚ୍‍.ଏ.ଆଇ. କର୍ତ୍ତୃପକ୍ଷଙ୍କ ଭୁମିକା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ ମତାମତ ଲୋଡିବା ପାଇଁ ଦେବଗଡ ରାଜସ୍ୱ ନିରୀକ୍ଷକ ସଞ୍ଜିତ ବେହେରାଙ୍କୁ ପଚାରିବାରୁ ‘ବାଳିଆପିଟା ନାଳରୁ ବେଆଇନ ବାଲି ଉତ୍ତୋଳନ ଯୋଗୁଁ ପୂର୍ବରୁ ଉକ୍ତ ନିର୍ମଣକାରୀ ସଂସ୍ଥାଠାରୁ ଥରେ/୨ ଥର ଫାଇନ ଆଦାୟ କରାଯାଇଛି’ବୋଲି ଉତ୍ତର ଦେଇଥିଲେ ମଧ୍ୟ କେବେ ଓ କେତେଟଙ୍କା ଫାଇନ ଆଦାୟ କରାଯାଇଛି ତାହା ତହସିଲ କାର୍ଯ୍ୟାଳୟରେ ଜଣାପଡିବ ବୋଲି ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ମତାମତ ଲୋଡିବା ନିମନ୍ତେ ତହସିଲଦାର ପଲ୍ଲବୀ ନାୟକଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ ରିସିଭ କରୁନଥିବାରୁ ଏହା ସମ୍ଭବ ହୋଇନାହିଁ। ଏଣୁ ଖୋଦ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ଏ ଘଟଣାରେ ହସ୍ତକ୍ଷେପ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.