ବିଧାୟକଙ୍କ ପାଇଁ ଦେବଗଡ଼ ବନ୍ଦ

୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି

ଦେବଗଡ଼: ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି । ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ଘଟଣା ପ୍ରତିବାଦରେ ବିଜେପି କର୍ମୀ ମାନେ ଦେବଗଡ଼ ବନ୍ଦ ପାଳନ କରୁଛନ୍ତି । ଫଳରେ ଦେବଗଡ଼ର ପ୍ରାୟ ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଜେପି କର୍ମୀ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳୁଛି । ଗତକାଲି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଜାମିନ ନାମଞ୍ଜୁର ହୋଇଥିଲା । ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଥାଉକି ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ବିଧାୟକ । ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗତକାଲି ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଏନେଇ ହାଜର କରାଯାଇଥିଲା । ହେଲେ ସେଠାରେ ତାଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହାସହ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଜେଲ୍‌ ଯାଇଛନ୍ତି । ବିଜେପି ଦଳର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଏହି ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା ।

ତିଲେଇବଣିର ବିଡିଓଙ୍କୁ ସେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା । । ଦେବଗଡରେ ଅଦାଲତରେ ହାଜର କରିବା ପାଇଁ ପୁଲିସ ଆଣୁଥିବା ବେଳେ ବାଟରେ ସେ ଅସୁସ୍ଥ ହୋଇଥିଲେ । ପୁଲିସ ପକ୍ଷରୁ ତାଙ୍କୁ ଚିକିତ୍ସାପାଇଁ ରିଆମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ହେବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ତାଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି ।

Comments are closed.