ବିଶ୍ବ ଆତଙ୍କବାଦୀ ଘୋଷିତ ସଲାହୁଦ୍ଦିନକୁ ପାକ୍ ସେନାର ସୁରକ୍ଷା

ଇସଲାମାବାଦ : ଆମେରିକା ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ହିଜବୁଲ୍ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ ଏବେ ପାକିସ୍ତାନରେ ମୁକ୍ତ ଓ ଅବାଧ ବିଚରଣ କରୁଛି। ଏପରିକି ପାକିସ୍ତାନ ସେନା ପକ୍ଷରୁ ସଲାହୁଦ୍ଦିନକୁ ସୁରକ୍ଷା ଯୋଗାଇ ଦିଆଯାଇଛି। ନିକଟରେ ହିଜବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ବାସିର ଅହମ୍ମଦ ପାଇଁ ଆୟୋଜିତ ଅ‌େନ୍ତ୍ୟଷ୍ଟିକ୍ରିୟା ପ୍ରାର୍ଥନାରେ ସଲାହୁଦ୍ଦିନ ଉପସ୍ଥିତ ରହିଥିଲା। ସଲାହୁଦ୍ଦିନର ଉପସ୍ଥିତି ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏଥିରେ ଦେଖାଯାଇଛି ଯେ ସଲାହୁଦ୍ଦିନକୁ ପାକିସ୍ତାନ ସେନାର ସୈନିକ ଅସ୍ତ୍ରଶସ୍ତ୍ର ସହ ଘେରି ରହିଛନ୍ତି। ଆମେରିକା ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ସଲାହୁଦ୍ଦିନକୁ ପାକିସ୍ତାନ ସେନାର ଏପରି ସୁରକ୍ଷା ଏହାର ଆତଙ୍କବାଦୀ ଦମନ ନୀତିକୁ ପ୍ରତିପାଦିତ କରୁଛି। ଆତଙ୍କବାଦୀ ଦମନ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ନେଇ ପାକିସ୍ତାନ ଏଫଏଟିଏଫ୍‌କୁ ଯେଉଁ ସୂଚନା ପ୍ରଦାନ କରୁଛି ତାର ବାସ୍ତବତା ମଧ୍ୟ ଏବେ ସନ୍ଦେହ ଘେରକୁ ଆସିଛି। କାରଣ ଆତଙ୍କବାଦ ଦମନ କ୍ଷେତ୍ରରେ ପାକିସ୍ତାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଉନ୍ନତି ଆସିଥିବା ଏଫଏଟିଏଫ୍ କହିଛି। ଏଥିପାଇଁ ପାକିସ୍ତାନକୁ ଏଫଏଟିଏଫ୍‌ର ଧୂସର ତାଲିକାରୁ ବାଦ୍ ଦିଆଯାଇଥିଲା। ସଲାହୁଦ୍ଦିନକୁ ପାକ୍ ସେନାର ସୁରକ୍ଷା ସମ୍ପର୍କିତ ଭିଡିଓ ପ୍ରଘଟ ହେବା ପରେ ଇସଲାମାବାଦ ଏଫଏଟିଏଫ୍‌କୁ ବିଭ୍ରାନ୍ତ କରୁଥିବା ପ୍ରମାଣିତ ହୋଇଛି।

Comments are closed.