ଚେଇଁ ଶୋଇଛନ୍ତି ଏନ୍‍.ଏଚ୍‍.ଏ.ଆଇ.କର୍ତ୍ତୃପକ୍ଷ : ମରଣଯନ୍ତା ସାଜିଛି ୪୯ ନମ୍ବର ଜାତୀୟ ରାଜପଥ

ଦେବଗଡ : ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଉଦାସୀନତା ଯୋଗୁଁ ଦେବଗଡ ଜିଲ୍ଲା ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବର୍ତ୍ତମାନ ଗାଡିଆରେ ପରିଣତ ହେବାସହ ମରଣଯନ୍ତା ସାଜିଛି।ଏହାସତ୍ୱେ ଏନ୍‍.ଏଚ୍‍.ଏ.ଆଇ.(ନ୍ୟାସନାଲ ହାଇୱେ ଅଥରିଟୀ ଅଫ ଇଣ୍ଡିଆ)କର୍ତ୍ତୃପକ୍ଷ ସମ୍ପୃକ୍ତ ଜାତୀୟ ରାଜପଥର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ନକରି ଚେଇଁ ଶୋଇଥିବାରୁ ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରୀୟା ପ୍ରକାଶ ପାଇଛି।

ବିଗତ କିଛିବର୍ଷ ହେଲା ଏନ୍‍.ଏଚ୍‍.ଏ.ଆଇ. ପକ୍ଷରୁ ମୁମ୍ବଇ-କୋଲକାତା ସଂଯୋଗକାରୀ ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଦେବଗଡ ଜିଲାରେ ଏହାର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିବାସହ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଆସୁଅଛି। ଅନ୍ୟପକ୍ଷରେ ଜନସାଧାରଣଙ୍କ ଯାତାୟତରେ ଯେଭଳି ଅସୁବିଧା ନହୁଏ ସେଥି ନିମନ୍ତେ ସଂପ୍ରସାରଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ପୂର୍ବରୁ ରହିଥିବା ରାସ୍ତା(ଅବଶିଷ୍ଟ)ର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ମରାମତି କରାଯିବା ନିମନ୍ତେ ଏନ୍‍.ଏଚ୍‍.ଏ.ଆଇ.ପକ୍ଷରୁ ପ୍ରସ୍ତୁତ ଅର୍ଥ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ରକ୍ଷଣାବେକ୍ଷଣ ଓ ମରାମତି କରାଯାଉନାହଁ। ଫଳରେ ସମ୍ବଲପୁର-ଦେବଗଡ ଜିଲା ସୀମାବର୍ତ୍ତୀ ତିଲେଇବଣି ବ୍ଲକ ଅଂଚଳରୁ ଦେବଗଡ-ଅନୁଗୁଳ ଜିଲା ସୀମାନ୍ତବର୍ତ୍ତୀ ବାରକୋଟ ବ୍ଲକ ସୀମା ପର୍ଯ୍ୟନ୍ତ ଉକ୍ତ ୪୯ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବଡବଡ ଗର୍ତ ଓ ଖାତ ସୃଷ୍ଟି ହେବାସହ ଏହା ମରଣଯନ୍ତା ସାଜିଛି। ଏପରିକି ଏଥିରୁ ଦେବଗଡ ଜିଲା ସଦର ମହୁମା ମଧ୍ୟ ବାଦ ପଡିନାହିଁ। ସାମାନ୍ୟ ବର୍ଷା ହେଲେ ଏହି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଖାଲଖମା ଗୁଡିକରେ କେଉଁଠି ଆଣଣ୍ଠୁଏ ତ ଅନ୍ୟ କେଉଁଠି ଅଣ୍ଟାଏ ଉଚ୍ଚର ପାଣି ଜମି ରହି ଗାଡିଆ ବା ପଖୋରୀର ଭ୍ରମ ସ-କରାଯିବା ପାଇଁ ସୃଷ୍ଟି ହେଉଛି। ଫଳରେ ଏହି ଜାତୀୟ ରାଜପଥରେ ପ୍ରତ୍ୟହ ଏକାଧିକ ଦୁର୍ଘଟଣା ମାନ ଘଟି ଅନେକ ଧନଜୀବନ ହାନୀ ହେଉଛି। ଶୁଖିଲା ପାଗରେ ଏହି ଜାତୀୟ ରାଜପଥରେ ପ୍ରବଳ ମାତ୍ରାରେ ଧୁଳି ଉଡୁଥିବା ବେଳେ ସାମାନ୍ୟ ବର୍ଷା ହେଲେ ରାସ୍ତାଟି ପାଣି କାଦୁଅରେ ଭର୍ତ୍ତୀ ହୋଇଯାଉଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟତ କରୁଥିବା ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶାର ସମ୍ମୂଖିନ ହେଉଛନ୍ତି। ରାତ୍ରି ସମୟରେ ସାମାନ୍ୟ ବର୍ହାରେ ମଧ୍ୟ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଖାଲଖମାରେ ଗାଡିଆ ସଦୃଶ ପାଣି ଜମିରହୁଥିବାରୁ ଉକ୍ତ ରାସ୍ତା ଦେଇଯାଉଥିବା ବାଇକ ଆରୋହୀ ଏବଂ ପଥିକ ମାନେ ଉକ୍ତ ଖାଲର ଗଭୀରତା ଅନୁମାନ କରିନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜିଲାର ଅନ୍ୟାନ୍ୟ ସ୍ଥାନର ଅବସ୍ଥା ଦୂରର କଥା ଖୋଦ ଦେବଗଡ ଜିଲା ସଦର ମହକୁମା ଦେଇଯାଇଥିବା ଏହି ଜାତୀୟ ରାଜପଥର ଅବସ୍ଥା ଏବେ ଏଭଳି ଶୋଚନୀୟ ହୋଇପଡିଛି ଯେ,ଏହା ଆଉ ବ୍ୟବହାର ଉପଯୋଗୀ ହୋଇରହି ନାହିଁ।

ଦେବଗଡ ପୌରାଂଚଳର ରଜାମୁଣ୍ଡା,ନୂଆଁସାହି,ଗଣେଶଛକ,ପୁରୁଣା ପୋଷ୍ଟ ଅଫିସ ଛକ,ରାଧାକୃଷ୍ଣ ମନ୍ଦିର ଛକ,ଆହ୍ଲାବାଦ ବ୍ୟାଙ୍କ ସମ୍ମୁଖ,ଦେବଗଡ ସ୍ୱତନ୍ତ୍ର ଉପକାରଗାର ସମ୍ମୁଖ,ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖ, ଓଲଟବର ଛକ ଓ ଏପରିକି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସରକାରୀ ବାସଭବନ ନିକଟସ୍ଥ ଜାତୀୟ ରାଜପଥ ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଏ ନେଇ ଏନ୍‍.ଏଚ୍‍.ଏ.ଆଇ.ର ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ରାସ୍ତାର ଉପଯୁକ୍ତ ମରାମତି ପାଇଁ ଦାବୀ କରାଯାଉଥିଲେ କୌଣସି ସୁଫଳ ମିଳୁନଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏନ୍‍.ଏଚ୍‍.ଏ.ଆଇ.ର ଯନ୍ତ୍ରୀ ମାନଙ୍କ ସହ ନିର୍ମାଣକାରୀ ସଂସ୍ଥା ମାନଙ୍କର ମଧୁ ଚନ୍ଦ୍ରୀକା ଯୋଗୁଁ ଅର୍ଥ ବ୍ୟବସ୍ଥା ଥାଇ ମଧ୍ୟ ସମ୍ପୃକ୍ତ ରାସ୍ତା ଗୁଡିକର ଉପଯୁକ୍ତ ରକ୍ଷଣା ବେକ୍ଷଣ ଓ ମରାମତି କରାଯାଉନଥିବା ଓ ଏପରିକି ନିର୍ମାଣକାରୀ ସଂସ୍ଥାର ମର୍ଜୀ ଅନୁଯାୟୀ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।ଏଠାର ସୂଚନା ଯୋଗ୍ୟ ଯେ,ନିମ୍ନମାନର କାର୍ଯ୍ୟ ଯୋଗୁଁ କିଛିମାସ ପୂର୍ବରୁ ଦେବଗଡ ପୌରାଂଚଳର ପୁରୂଣାଗଡଠାରେ ନିର୍ମାଣାଧିନ କଂକ୍ରିଟ ଫ୍ଲାଇଓଭର ଭୁଷୁଡି ପଡିଥିଲେ ହେଁ ଅଦ୍ୟାବଧି ଏହାର ନିମ୭ଣ କାର୍ଯ୍ୟ ସେଷ ହୋଇପାରିନାହିଁ। ଏଣୁ ଖୋଦ ଜିଲାପାଳ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Comments are closed.