ଅତିରକ୍ତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ଥାୟୀ ଭାବେ ଅବସ୍ଥାପିତ କରିବାକୁ ଦାବି, ଚିଠି ଲେଖିଲେ ଜିଲା ପରିଷଦ ଅଧ୍ୟକ୍ଷା

ଦେବଗଡ : ତିଲେଇବଣି ବ୍ଲକ ଅନ୍ତର୍ଗତ ଛେପିଲିପାଲି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ପ୍ରଦୀପ କୁମାର ବେହେରାଙ୍କୁ ଉକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରିବା ପାଇଁ ଦେବଗଡ ଜିଲାପରିଷର ଅଧ୍ୟକ୍ଷା ସୁଧାମୟୀ ପଟେଲ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।
ଏକାଧିକ ଦୁର୍ନୀତି ଓ ଆର୍ଥୀକ ଅନିୟମିତତା ମାମଲାରେ ଛନ୍ଦି ହୋଇଥିବା ଜଣେ ବିବାଦୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗଳ କିଶୋର ସାହୁଙ୍କୁ ତିଲେଇବଣି ବ୍ଲକ ଅନ୍ତର୍ଗତ ଛେପିଲିପାଲି ଗ୍ରାମ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱ ପ୍ରଦାନ ପାଇଁ ସରକାରୀ ସ୍ତରରେ ମସୁଧା ଚାଲିଥିବା ଜଣାପଡ଼ିବାପରେ ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ପଟେଲ ଜଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶଙ୍କଙ୍କୁ ଏହି ପତ୍ର ଲେଖିଥିବା ଜଣାପଡ଼ିଛି। ଏହି ଚିଠିରେ ଜିଲା ପରିଷଦ ଅଧ୍ୟକ୍ଷା ଉଲ୍ଲେଖ କରିଛନ୍ତି ଯେ ,ଛେପିଲିପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପରେମେଶ୍ୱର ନାୟକଙ୍କ ଅକାଳ ବିୟୋଗ ପରେ ଗତ ଜୁନ ୨୫ ତାରିଖ ଦିନ ନିକଟସ୍ଥ ବଡଛାପଲ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କୁ ଛେପିଲିପାଲି ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଶ୍ରୀ ବେହେରା ଜଣେ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଭାବେ ସୂଚାରୁ ରୂପେ ନିଜର ଦାଇତ୍ୱ ତୁଲାଇବା ସହ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟକରି ଜନସାଧାରଣଙ୍କ ପ୍ରୀୟ ଭାଜନ ହୋଇପାରିଛନ୍ତି। ଅନ୍ୟପକ୍ଷରେ ଲଇମୁରା ପଞ୍ଚାୟତର ନିର୍ବାହୀ ଅଧିକାରୀ ଯୁଗଳ କିଶୋର ସାହୁ ନିଜର ଦୁର୍ନୀତିଖୋର ଓ ଅନୈତିକ କାର୍ଯ୍ୟ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଆକ୍ରୋଶର ଶିକାର ହେବାପରେ ସେଠାରୁ ଖସିଯିବା ପାଇଁ ଉଦ୍ୟମ ଜାରିରଖିଛନ୍ତି ଓ ଛେପିଲିପାଲି ପଞ୍ଚାୟତରେ ଅତିରିକ୍ତ ଦାଇତ୍ୱରେ ଥିବା ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ସେଠାରୁ ଅପସାରଣ କରାଇ ସେହି ସ୍ଥାନରେ ନିଜେ ଅବସ୍ଥାପିତ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏପରିକି ଶ୍ରୀ ସାହୁ କେତେକ ଅସାମାଜିକ ତତ୍ୱଙ୍କ ସହାୟତାରେ ଶ୍ରୀ ବେହେରାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ଛେପିଲିପାଲିରେ ଅସ୍ଥାୟୀ ଭାବେ (ଅତିରିକ୍ତ ଦାୟିତ୍ୱରେ)କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ଛେପିଲିପାଲି ପଞ୍ଚାୟତରୁ ଅପସାରଣ କଲେ ଉକ୍ତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାସହ କରୋନା ମୁକାବିଲା କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ବେହେରାଙ୍କୁ ସେଠାରୁ ଅପସାରଣ ନକରି ତାଙ୍କୁ ସେଠାରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବାପାଇଁ ଜିଲାପରିଷର ଅଧ୍ୟକ୍ଷା ସୁଧାମୟୀ ଉଲ୍ଲେଖ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ଛେପିଲିପାଲି ପଞ୍ଚାୟତର ଦାୟିତ୍ୱ ନେବାକୁ ବ୍ୟାକୁଳ ଥବା ଲଇମୁରା ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ବିଭିନ୍ନ ଦୁର୍ନୀତି ଓ ଆର୍ଥିକ ଅନିୟମିତା ମାମଲାରେ ଛନ୍ଦିହୋଇ ଦୀର୍ଘବର୍ଷ ହେଲା ଦରମାରୁ ବଞ୍ଚିତ ରହିମଧ୍ୟ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ହାତକରି ଛେପିଲିପାଲି ପଞ୍ଚାୟତରେ ନିଯୁକ୍ତି ପାଇଁ ଉଦ୍ୟମ କରୁଥିବା ସୂଚନା ପାଇ ଛେପିଲିପାଲି ପଞ୍ଚାୟତର ୱାର୍ଡ ସଦସ୍ୟ ସଦସ୍ୟା ଓ ଜନସାଧାରଣଙ୍କ ଅନୁରୋଧ କ୍ରମେ ଗତକାଲି ପୂର୍ବାହ୍ନରେ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଦେହୁରୀ, ଦେହୁରୀ ,ସରପଞ୍ଚ ମିନି ବୁଡ ଓ ଜିଲ୍ଲାପରିଷଦ ସଦସ୍ୟା ବୃନ୍ଦାବତୀ ଭୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ ପଞ୍ଚାୟତରେ ଅବସ୍ଥାପିତ ଥିବା (ଅତିରିକ୍ତ ଦାୟିତ୍ୱରେ ଥିବା)ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ସେଠାରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବାପାଇଁ ଦାବି କରିଥିଲେ। ଏହି ନିର୍ବାଚିତ ଲୋକ ପ୍ରତିନିଧି ତ୍ରୟ ଗତକାଲି ଏମର୍ମରେ ସରପଞ୍ଚଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।