ବୋମା ତିଆରି ବେଳେ ବିଷ୍ଫୋରଣରେ୨ଜଣଙ୍କର ମୃତ୍ୟୁ ଘଟଣା: ବିଷ୍ଫୋରକ ସାମଗ୍ରୀ କ୍ରେତା ଓ ବିକ୍ରେତା ଗିରଫ

ଦେବଗଡ଼: ଗତ ୫ ତାରିଖରେ ଦେବଗଡ ଥାନା ତଥା ଲଇମୁରା ଫାଣ୍ଡି ଅନ୍ତର୍ଗତ ଚିଲାଂଟିଖୋଳ ଗ୍ରାମରେ ଜନ୍ତୁ ଶିକାର ପାଇଁ ତିଆରି ବୋମା କରୁଥିବା ବେଳେ ବିଷ୍ଫୋରଣ ଘଟି ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଘଟଣାରେ ଦେବଗଡ ଥାନା ପୁଲିସ ଗୃହ କର୍ତ୍ତା ପବିତ୍ର ପଟ୍ଟା(୩୫)କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲା। ପଚରା ଉଚରା ସମୟରେ ପବିତ୍ର ଜନ୍ତୁ ଶିକାର ପାଇଁ ବୋମା ତିଆରି ନିମନ୍ତେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଘବର ଗ୍ରାମର ଗଣେଶ୍ୱର ନାୟକ(୪୦)ଙ୍କ ନିକଟରୁ ବିଷ୍ଫୋରକ ସାମଗ୍ରୀ ଆଣିଥିବା ଓ ବୋମା ତିଆରି ପାଇଁ ନିଜର ସମ୍ପର୍କୀୟ (ମାମୁଁ ପୁଅ ଭାଇ)ରଞ୍ଜିତ ଭୋଇ ଓ ସନ୍ତୋଷ ପଟ୍ଟା(ମାଉସୀପୁଅ ଭାଇ)ଙ୍କୁ କଂସର ଗ୍ରାମରୁ ଡକାଇଥିବା ସ୍ୱୀକାର କରିଥିଲା। ଫଳରେ ଦେବଗଡ ଥାନା ପୁଲିସ ଚିଲାଂଟିଖୋଳ ଗ୍ରାମର ପବିତ୍ର ଓ ବିଷ୍ଫୋରକ ସାମଗ୍ରୀ ବିକ୍ରୀ କରିଥିବା ବାଘବର ଗ୍ରାମର ଗଣେଶ୍ୱରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା। ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୫ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ଚିଲାଂଟିଖୋଳ ଗ୍ରାମର ପବିତ୍ର ପଟ୍ଟାଙ୍କ ଘରେ ତା’ର ସମ୍ପର୍କୀୟ ଭାଇ ରଞ୍ଜିତ ଭୋଇ ଓ ସନ୍ତୋଷ ପଟ୍ଟା ଜନ୍ତୁ ଶିକାର ନିମନ୍ତେ ବେଆଇନ ଭାବେ ବୋମା ତିଅରି କରୁଥିଲେ। ତେବେ ଏହି ସମୟରେ ଉକ୍ତ ବୋମାଟି ଫୁଟିଯିବାରୁ ଘଟଣା ସ୍ଥଳରେ ରଞ୍ଜିତ ଓ ସନ୍ତୋଷଙ୍କର ମୃତ୍ୟୁ ଘଟିଥିଲା। ତେବେ ବେଆଇନ ଭାବେ ବଗ୍ମୋରକ ତିଆରି କରଯାଉଥିବାରୁ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ପରିବାର ଲୋକେ ଏକଥାକୁ ଚପାଇଦେବା ପାଇଁ ଉଦ୍ୟମ କରିଥିଲେ। ଏପରିକି ଏକଥା ପ୍ରଘଟ ନକରିବା ପାଇଁ ପବିତ୍ର ଗାଁ ଲୋକଙ୍କୁ ମଧ୍ୟ ନିବେଦନ କରିଥିଲା। ଅନ୍ୟପକ୍ଷରେ ଚିଲାଂଟିଖୋଳ ଗାଁଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବାରୁ ଏବଂ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ସେବା ଅପହଞ୍ଚ ଥିବାରୁ ଏକଥା ଅନ୍ୟ ଗ୍ରାମର ଲୋକମାନେ ଜାଣିପାରିନଥିଲେ। ତେବେ ଭବିଷ୍ୟତରେ ବିପଦ ସୃଷ୍ଟି ହେବାର ଅଶଙ୍କା କରି ସଂଧ୍ୟାରେ ଗାଁ ସଭାପତି ଦୁର୍ଯ୍ୟୋଧନ ଧରୁଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏ ସମ୍ପର୍କରେ ପୁଲିସକୁ ସୂଚନା ଦେବାପାଇଁ ନିଷ୍ପତ୍ତି ହୋଇଥିଲା। ରାତ୍ରିରେ ଏ ନେଇ ପବିତ୍ର ଲଇମୁରା ଫାଣ୍ଡିରେ ଲିଖିତ ଏତଲା ଦେବାରୁ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଓ ଲଇମୁରା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏଥିପାଇଁ ସାଇଂଟିଫିକ ଟିମର ସହାୟତା ନେଇଥିଲେ। ସେହିପରି ଗୃହ କର୍ତ୍ତା ପବିତ୍ର ଥାନାକୁ ଆଣି ପଚରାଉଚରା କରୁଥିଲା। ଅନ୍ୟପକ୍ଷରେ ସମ୍ପୃକ୍ତ ଗାଁରେ ପୂର୍ବରୁ ମାଓ ଗତିବିଧି ରହିଥିବାରୁ ଓ ବୋମା ତିଆରି କରୁଥିବା ରଞ୍ଜିତ ଓ ସନ୍ତୋଷ ପୂର୍ବରୁ ମାଓବାଦୀଙ୍କ ଗଡ କୁହାଯାଉଥିବା କଂସର ଗ୍ରାମରେ ହୋଇଥିବାରୁ ବୋମା ତିଆରି ପଛରେ ମାଓବାଦୀଙ୍କର ସମ୍ପୃକ୍ତି ରହିଛି କି ନାହିଁ ସନେଇ ମଧ୍ୟ ତଦନ୍ତ ଚଳାଇଥିଲା।

Comments are closed.