୨୦୧୯ରେ ଦୁନିଆରୁ ବିଦାୟ ନେଇଥିବା ରାଜନୀତିଜ୍ଞ

ବର୍ଷ ୨୦୧୯ ଶେଷ ହୋଇ ଆସିଲାଣି। ଆଉ ମାତ୍ର ୫ଦିନ ପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୦। ଚଳିତ ବର୍ଷ ରାଜନୀତି କ୍ଷେତ୍ରରେ ଅନେକ ଦୁଃଖଦ ଘଟଣା ଘଟିଯାଇଛି। କେତେକ ବରିଷ୍ଠ ନେତା ଓ ନେତ୍ରୀ କେବଳ ରାଜନୀତି ନୁହେଁ, ପୂରା ଦୁନିଆରୁ ବିଦାୟ ନେଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେତେକ ରାଜନେତାଙ୍କୁ ସ୍ମରଣ କରିବା, ଯେଉଁମାନେ ୨୦୧୯ରେ ଆରପାରିକୁ ଚାଲି ଯାଇଛନ୍ତି।
ମନୋହର ପାରିକର: ବିଜେପି ପାଇଁ ୨୦୧୯ ସେତେଟା ଭଲ ନଥିଲା କହିଲେ କିଛି ଭୁଲ ହେବ ନାହିଁ। ଯଦିଓ ଲୋକସଭା ନିର୍ବାଚନରେ ବିଜେପି ବିଜୟଲାଭ କରିଥିଲା, କିନ୍ତୁ ଅନେକ ବରି​‌ଷ୍ଠ ନେତାକୁ ଦଳ ହରାଇଥିଲା। ବରିଷ୍ଠ ନେତା ଓ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ମାର୍ଚ୍ଚ ୧୭ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ସେ ଦେଶର ରକ୍ଷାମନ୍ତ୍ରୀ ଥିଲେ।
ସୁଷମା ସ୍ବରାଜ: କୁଶଳୀ ବକ୍ତା ଭାବେ ପରିଚିତ ବିଜେପିର ବରିଷ୍ଠ ନେତା ସୁଷମା ସ୍ବରାଜ ଅଗଷ୍ଟ ୬ରେ ସବୁଦିନ ପାଇଁ ଚୁପ୍ ହୋଇ ଯାଇଥିଲେ। ଦକ୍ଷ ବକ୍ତବ୍ୟ ପାଇଁ ବି​‌ରୋଧୀ ମଧ୍ୟ ତାଙ୍କର ପ୍ରଶଂସା କରିବାକୁ ପଛାଉନଥିଲେ। ଅସୁବିଧାରେ ପଡିଥିବା ଦେଶର ନାଗରିକଙ୍କୁ ତୁରନ୍ତ ସାହାଯ୍ୟର ହାତ ବଢାଇ ଦେଉଥିବା ସୁଷମା ହୃଦଘାତରେ ୬୭ ବୟସରେ ଦୁନିଆରୁ ବିଦାୟ ନେଇଥିଲେ। ସେ ବିଦେଶମନ୍ତ୍ରୀ ଥିବା ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ବିଦେଶରେ ଫସି ରହିଥିବା ଅନେକ ଭାରତୀୟଙ୍କ ଆତ୍ମବିଶ୍ବାସ ସୁଦୃଢ କରିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରିଥିଲେ।
ଅରୁଣ ଜେଟଲୀ: ଅଗଷ୍ଟ ୨୪ ତାରିଖ ଦିନ ୧୨ଟାରେ ବିଜେପିର ସଙ୍କଟମୋଚକ କୁହାଯାଉଥିବା ପୂର୍ବତନ କେନ୍ଦ୍ରୀୟମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିଧନ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଶ୍ବାସକ୍ରିୟା ଜନିତ ସମସ୍ୟାର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ। ବିମୁଦ୍ରାକରଣ ସମୟରେ ଅରୁଣ ଜେଟଲୀ କେନ୍ଦ୍ରର ଅର୍ଥମନ୍ତ୍ରୀ ଥିଲେ।
ରାମ ଜେଠମଲାନୀ: ଖ୍ୟାତାନାମା ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀ ୯୫ ବର୍ଷ ବୟସରେ ସପ୍ଟେମ୍ବର ୮ରେ ପରଲୋକକୁ ଗମନ କରିଥିଲେ। ୧୯୨୩ ମସିହା ସିପ୍ଟେମ୍ବର ୧୪ରେ ପାକିସ୍ତାନର ଶିକାରପୁରରେ ତାଙ୍କର ଜନ୍ମ ହୋଇଥିଲା। ସେତେବେଳେ ପାକିସ୍ତାନ ଭାରତର ଅଂଶ ଥିଲା। ମାତ୍ର ୧୮ ବର୍ଷ ବୟସରେ ସେ ଓକିଲାତି ଆରମ୍ଭ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶର କୌଣସି ଓକିଲ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢିବାକୁ ପ୍ରସ୍ତୁତ ନଥିଲେ ସେତେବେଳେ ରାମ ଜେଠମଲାନୀ ସେମାନଙ୍କ ମୋକଦ୍ଦମା ଲଢିଥିଲେ।
ଶୀଲା ଦୀକ୍ଷିତ: କଂଗ୍ରେସ ଦଳର ଝିଅ ନାମରେ ପ୍ରସିଦ୍ଧ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଳା ଦୀକ୍ଷିତଙ୍କର ଜୁଲାଇ ୨୦ରେ ପରଲୋକ ଘଟିଥିଲା। ତାଙ୍କ ନେତୃତ୍ବରେ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଲଗାତର ଭାବେ ଦିଲ୍ଲୀରେ କଂଗ୍ରେସ ସରକାର ରହିଥିଲା।

Comments are closed.